Latest Odisha News

BREAKING NEWS

ବିହାର ବିଧାନସଭା ନିର୍ବାଚନ: ଆଜି ସଂଧ୍ୟାରେ ପ୍ଲାନ ପ୍ରସ୍ତୁତ କରିବେ ଅମିିତ ଶାହ-ନୀତିଶ କୁମାର

ପାଟଣା: ବିହାରରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ରାଜନୈତିକ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏନଡିଏ ଓ ମହାଗଠବନ୍ଧନ ମଧ୍ୟରେ ରାଜନୈତିକ ଅଭିଯୋଗ ଓ ପାଲଟା ଅଭିଯୋଗର ମାହୋଲ ଜୋର ଧରିଛି। ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଦଳଗୁଡ଼ିକ ସମ୍ପୂର୍ଣ୍ଣ ଶକ୍ତି ଲଗାଇଛନ୍ତି। ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଗସ୍ତରେ ବିହାର ଆସୁଥିବା ଖବର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଗସ୍ତ ଏନଡିଏ ପାଇଁ ନିର୍ବାଚନୀ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ଅମିତ ଶାହ ୨୯ ଓ ୩୦ ମାର୍ଚ୍ଚରେ ବିହାରରେ ରହିବେ। ଏହି ସମୟରେ ସେ ୩୦ ମାର୍ଚ୍ଚରେ ଗୋପାଳଗଞ୍ଜରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ, ଯାହାକୁ ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏର ପ୍ରାରମ୍ଭିକ ପ୍ରଚାର ବୋଲି କୁହାଯାଉଛି। ଏହା ପୂର୍ବରୁ ୨୯ ମାର୍ଚ୍ଚ ସନ୍ଧ୍ୟା ୭ଟାରେ ପଟନାସ୍ଥିତ ବିଜେପି ମୁଖ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିହାରର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ, ବିଧାୟକ, ବିଧାନପରିଷଦ ସଦସ୍ୟଙ୍କ ସହ ପ୍ରଦେଶ ଅଧ୍ୟକ୍ଷ, ସଙ୍ଗଠନ ମନ୍ତ୍ରୀ ଏବଂ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ। ସମୟଠାରୁ ଦୁଇ ଘଣ୍ଟା ପୂର୍ବରୁ ସମସ୍ତଙ୍କୁ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହା ବିଜେପିର ନିର୍ବାଚନୀ ରଣନୀତିର ଗମ୍ଭୀରତାକୁ ସୂଚାଇଛି।

ଏହି ବୈଠକରେ କେବଳ ବିହାର ନିର୍ବାଚନରେ ବିଜୟ ହାସଲ କରିବା ଉପରେ ଆଲୋଚନା ହେବ। ରାଜ୍ୟରେ କେଉଁ ଅଞ୍ଚଳରେ ଏନଡିଏ ଦୁର୍ବଳ, ଗତ ନିର୍ବାଚନରେ ଚିରାଗ ପାଶୱାନଙ୍କ ଦଳ କେଉଁଠି କ୍ଷତି ପହଞ୍ଚାଇଥିଲା ଏବଂ ତାହାର ପୂରଣ କିପରି କରାଯିବ, ପ୍ରଶାନ୍ତ କିଶୋରଙ୍କ ଦଳର ପ୍ରଭାବ କେତେ, ବିହାର ପାଇଁ କେନ୍ଦ୍ରର କେଉଁ ଯୋଜନା ଆବଶ୍ୟକ, ବିପକ୍ଷର ଘୋଷଣାର ବାସ୍ତବତା ଓ ତାର ଜବାବରେ ଏନଡିଏର ରଣନୀତି କ’ଣ ହେବା ଉଚିତ ଆଦି ବିଷୟରେ ବିସ୍ତୃତ ଚର୍ଚ୍ଚା ହେବାର ସମ୍ଭାବନା ରହିଛି। ଗତ ଲୋକସଭା ନିର୍ବାଚନରେ ଅନେକ ଏନଡିଏ ସାଂସଦ ସ୍ଥାନୀୟ ବିଧାୟକଙ୍କ ସହଯୋଗ ଅଭାବରେ ହାରିଥିବା ଅଭିଯୋଗ କରିଥିଲେ। ଏହି ସାଂସଦଙ୍କ ମତ ମଧ୍ୟ ଏହି ବୈଠକରେ ଗୁରୁତ୍ୱ ପାଇବ।

ଶନିବାର ରାତି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକ ପରେ ୩୦ ମାର୍ଚ୍ଚ ଅପରାହ୍ନ ୩ଟାରେ ମୁଖ୍ୟମନ୍ତ୍ରୀ ବାସଭବନରେ ଏନଡିଏର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ଏଥିରେ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜେଡିୟୁର ବରିଷ୍ଠ ନେତା, ଚିରାଗ ପାଶୱାନ, ଜିତନ ରାମ ମାଞ୍ଝୀ ଓ ଉପେନ୍ଦ୍ର କୁଶୱାହା ଉପସ୍ଥିତ ରହିବେ। ଏହି ବୈଠକରେ ଆସନ ବଣ୍ଟନ ଓ ନିର୍ବାଚନୀ ପ୍ରଚାରର ରୂପରେଖ ଉପରେ ମୁଖ୍ୟ ଆଲୋଚନା ହେବ।

୨୦୨୦ ବିଧାନସଭା ନିର୍ବାଚନରେ ଚିରାଗ ପାଶୱାନ ନୀତୀଶ କୁମାରଙ୍କ ସହ ରାଜନୈତିକ ବିବାଦ କାରଣରୁ ଏକାକୀ ୧୩୪ଟି ଆସନରେ ଲଢ଼ିଥିଲେ। ଉପେନ୍ଦ୍ର କୁଶୱାହା ଏଥର ଏନଡିଏର ନୂଆ ସହଯୋଗୀ ଭାବେ ସାମିଲ ହୋଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସେ ଏନଡିଏ ଛାଡ଼ି ତେଜସ୍ୱୀ ଯାଦବଙ୍କ ଆରଜେଡି ସହ ମିଶିଥିଲେ। ତେଣୁ ଚିରାଗ ଓ ଉପେନ୍ଦ୍ରଙ୍କ ଦାବି ଏନଡିଏ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ।

୨୦୨୦ରେ ୨୪୩ଟି ଆସନ ମଧ୍ୟରୁ ଜେଡିୟୁ ୧୧୫, ବିଜେପି ୧୧୦, ଜିତନ ରାମ ମାଞ୍ଝୀଙ୍କ ‘ହାମ’ ୭ ଓ ମୁକେଶ ସାହାନୀଙ୍କ ବିଆଇପି ୧୧ଟି ଆସନରେ ଲଢ଼ିଥିଲେ। ଏଥର ମୁକେଶ ସାହାନୀ ଏନଡିଏ ଛାଡ଼ି ମହାଗଠବନ୍ଧନରେ ସାମିଲ ହୋଇଛନ୍ତି। ତେଣୁ ୩୦ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ବାସଭବନରେ ହେବାକୁ ଥିବା ଏନଡିଏ ବୈଠକକୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି। କୌଣସି ମତଭେଦ ନ ରହିବା ପାଇଁ ଅମିତ ଶାହ ଓ ନୀତୀଶ କୁମାର ନିଜେ ଏହି ବୈଠକରେ ଉପସ୍ଥିତ ରହିବେ।

Comments are closed.