ନୂଆଦିଲ୍ଲୀ: ବିହାର ନିର୍ବାଚନକୁ ଆଉ କିଛି ମାସ ବାକି । ଏମିତିକି ଆଗୁଆ ନିର୍ବାଚନକୁ ନେଇ ବି ଆକଳନ ହେଲାଣି । ବିଜେପି ମିଶନ ବିହାରକୁ ନେଇ ଗ୍ରାଉଣ୍ଡକୁ ଗଲାଣି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନଥିଲେ ବି ନୀତିଶ କୁମାରଙ୍କ ନେତୃତ୍ବରେ ନିର୍ବାଚନ ଲଢିବାକୁ କହିସାରିଛି ବିଜେପି। ହେଲେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ କଂଗ୍ରେସ ଓ ଆରଜେଡି ମୁହାଁମୁହିଁ ହୋଇଛନ୍ତି । ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ହେବାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଆଉ ଏହାପରେ ବ୍ୟାକଫାୟାର କରିଛି ଆରଜେଡି । ହରିୟାଣା ହେଉ କି ଦିଲ୍ଲୀ, ସହଯୋଗୀଙ୍କ ବିପକ୍ଷରେ ନିର୍ବାଚନ ଲଢି ହାରିଛି କଂଗ୍ରେସ । ଏଭଳି ସ୍ଥିତିରେ ବିହାରରେ କଂଗ୍ରେସ ଓ ଆରଜେଡି ମଧ୍ୟରେ ଅନ୍ତକନ୍ଦଳକୁ ନେଇ ଚର୍ଚ୍ଚା ବଢିଛି ।
କାହିଁକି ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ବିବାଦ?
ନିର୍ବାଚନ ପରେ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ନେଇ ନିଷ୍ପତ୍ତି ନିଆଯିବ । ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ନିଷ୍ପତ୍ତି ନେବେ ବୋଲି କହିଥିଲେ କଂଗ୍ରେସ ବିଧାୟକ ଅଜିତ ଶର୍ମା । ଯଦି ମହାଗଠବନ୍ଧନ ଜିତେ ଓ ଆରଜେଡି ଅଧିକ ସିଟ୍ ପାଏ, ତେବେ ତେଜସ୍ବୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ କହିଥିଲେ । ତେବେ ଅଜିତ ଶର୍ମାଙ୍କ ଏଭଳି ବୟାନକୁ ପସନ୍ଦ କରିନାହାନ୍ତି ଆରଜେଡି ନେତା । ଦଳର ସାଂସଦ ମନୋଜ ଝା କଂଗ୍ରେସର ଏଭଳି ବୟାନକୁ ଖାରଜ କରିଛନ୍ତି । ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଆଦୌ ଦ୍ବନ୍ଦ୍ବ ନାହିଁ । ୨୦୨୦ ନିର୍ବାଚନ ମଧ୍ୟ ତେଜସ୍ବୀଙ୍କ ନେତୃତ୍ବରେ ଲଢାଯାଇଥିଲା। ୨୦୨୫ରେ ମଧ୍ୟ ତେଜସ୍ବୀଙ୍କୁ ବିକଳ୍ପ ଭାବେ ଦେଖୁଛନ୍ତି ବିହାରର ଜନତା । ତେଜସ୍ବୀ ତାଙ୍କର ଦକ୍ଷ ନେତୃତ୍ବ ପୂର୍ବରୁ ପ୍ରମାଣିତ କରିସାରିଛନ୍ତି । ତେଣୁ ସେନେଇ ପ୍ରଶ୍ନ ଉଠୁନି ବୋଲି ମନୋଜ ଝା କହିଛନ୍ତି ।
ସିଟ୍ ଭାଗକୁ ନେଇ ବି ମତଭେଦ
ପୂର୍ବରୁ ମହାଗଠବନ୍ଧନର ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ଆରଜେଡି ନେତାଙ୍କ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ବି ମତଭେଦ ସାମନାକୁ ଆସିଛି । ବିହାର କଂଗ୍ରେସ ସଭାପତି ଅଖିଳେଶ ପ୍ରସାଦ ସିଂ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଅଧିକ ସିଟ୍ ମିଳିବା ନେଇ ଯୁକ୍ତି ରଖିଥିଲେ । ୨୦୨୦ ନିର୍ବାଚନରେ କଂଗ୍ରେସ ୭୦ଟି ସିଟରେ ନିର୍ବାଚନ ଲଢିଥିବା ବେଳେ ୧୭ଟି ଜିତିଥିଲା । ଏପରିକି ଜାଣିଶୁଣି ଆରଜେଡି ସ୍ଥିତି ଭଲ ନଥିବା ସିଟ କଂଗ୍ରେସକୁ ଦେଇଥିବାରୁ ଦଳ ଭଲ ପ୍ରଦର୍ଶନ କରିପାରିନଥିବା ବି କୁହାଯାଇଥିଲା । ତେବେ ୨୦୨୫ରେ କଂଗ୍ରେସ ପୁରୁଣା ଭୁଲ ସୁଧାରିବାକୁ ଚାହୁଁଛି । ସେପଟେ ସହଯୋଗୀ ଦଳର ଶୀର୍ଷ ନେତୃତ୍ବ ବସି ସିଟ୍ ଭାଗବଣ୍ଟା ନେଇ ନିଷ୍ପତ୍ତି ନେବେ ବୋଲି ଆରଜେଡି କହିଛି ।
ବିଜେପି ଜେଡିୟୁର ସମାଲୋଚନା
ମହାଗଠବନ୍ଧନରେ ନେତୃତ୍ବ ଅନ୍ତକନ୍ଦଳକୁ ନେଇ ଉଭୟ ବିଜେପି ଓ ଜେଡିୟୁ ସମାଲୋଚନା କରିଛନ୍ତି । ଜେଡିୟୁ ମୁଖପାତ୍ର ରାଜୀବ ରଞ୍ଜନ ତେଜସ୍ବୀଙ୍କୁ ନୀତିଶଙ୍କ ତୁଳନାରେ ଅପରିପକ୍ବ କହିଛନ୍ତି । ଏହାସହ ୨୦୨୫ନିର୍ବାଚନରେ ଜେଡିୟୁ ନିଜ ପୁରୁଣା ପ୍ରଦର୍ଶନରେ ଉନ୍ନତି ଆଣିବ ବୋଲି କହିଛନ୍ତି । ସେପଟେ ବିଜେପି ମୁଖପାତ୍ର ସୟଦ ସାହାନଓ୍ବାଜ ହୁସେନ ବିରୋଧୀ ମେଣ୍ଟକୁ ସମାଲୋଚନା କରିଛନ୍ତି । ମହାଗଠବନ୍ଧନ ୨୫ରୁ ଅଧିକ ସିଟ୍ ଜିତିବାକୁ ସଂଘର୍ଷ କରିବ ବୋଲି ସେ କହିଛନ୍ତି ।
ନାଳନ୍ଦା, ପାଟନା, ଖଗରିଆ, ପଶ୍ଚିମ ଚମ୍ପାରନ, ଗୋପାଳଗଞ୍ଜ ଓ ଗୟା ଜିଲ୍ଲାର ଅଧିକାଂଶ ସିଟରେ ଜାତି ସମୀକରଣ ଆରଜେଡି ସପକ୍ଷରେ ନଥିବାରୁ ଗତଥର କଂଗ୍ରେସକୁ ଦିଆଯାଇଥିବା କୁହାଯାଇଥିଲା। ଗତ ଲୋକସଭା ନିର୍ବାଚନରେ ଆରଜେଡି ୪ଟି ସିଟ୍ ଜିତିଥିବା ବେଳେ କଂଗ୍ରେସକୁ ୯ଟି ସିଟରେ ଲଢି ୩ଟିରେ ଜିତିଥିଲା । ତେବେ ବିଧାନସଭା ସିଟ୍ ଭାଗବଣ୍ଟାରେ ବଡ ଭାଗ ନେବାକୁ କହିଲେଣି କଂଗ୍ରେସ ନେତା ।
Comments are closed.