Latest Odisha News

BREAKING NEWS

ଆଜି ପ୍ରବାଦ ପୁରୁଷଙ୍କ ୨୭ତମ ଶ୍ରାଦ୍ଧ ବାର୍ଷିକ, ନିରାଡ଼ମ୍ବର ଭାବେ ପାଳୁଛି ବିଜେଡି

ଭୁବନେଶ୍ବର: ଆଜି ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ, ମହାନ ଜନନାୟକ, ପ୍ରବାଦ ପୁରୁଷ, ସ୍ଵାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକଙ୍କର ୨୭ତମ ଶ୍ରାଦ୍ଧ ବାର୍ଷିକ । ବିଜୁ ବାବୁଙ୍କ ତିରୋଧାନ ଦିବସକୁ ନିରାଡମ୍ବର ଭାବେ ପାଳନ କରୁଛି ବିଜୁ ଜନତା ଦଳ । ଏହି ଦିବସରେ ବିଜୁ ଜନତା ଦଳର ପ୍ରତ୍ୟେକ ସଦସ୍ୟ ବିଜୁ ବାବୁଙ୍କ ଅଭିଳଷିତ ଓଡ଼ିଶା ଗଠନ ନିମନ୍ତେ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବା ନିମନ୍ତେ ପୁନଃ ସଂକଳ୍ପବଦ୍ଧ ହୋଇଛନ୍ତି ।

ସେବା, ତ୍ୟାଗ, ଓଡ଼ିଆ ସ୍ବାଭିମାନର ପ୍ରତୀକ ହେଉଛନ୍ତି ବିଜୁ ପଟ୍ଟନାୟକ । ବିଜୁ ବାବୁ ଦାରିଦ୍ର୍ୟ ବିରୁଦ୍ଧରେ ନିରବଚ୍ଛିନ୍ନ ସଂଗ୍ରାମ ଜାରି ରଖିଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ରାଜନୀତିରେ ଏକ ଆକର୍ଷଣୀୟ ଓ ଘଟଣା ବହୁଳ ବ୍ୟକ୍ତିତ୍ୱ । ସେ ଏକାଧାରରେ ଜଣେ ବିଚକ୍ଷଣ ରାଜନେତା, ସ୍ୱାଧୀନତା ସଂଗ୍ରାମୀ ଓ ଦୁର୍ଦ୍ଧଶ ବିମାନ ଚାଳକ ।

୧୯୧୬ ମସିହା ମାର୍ଚ୍ଚ ୫ ତାରିଖ କଟକର ତୁଳସୀ ପୁର ଠାରେ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ପଟ୍ଟନାୟକଙ୍କ କୋଳରେ ତୃତୀୟ ସନ୍ତାନ ଭାବେ ଜନ୍ମ ନେଇଥିଲେ ଶ୍ରୀ ବିଜୟାନନ୍ଦ ପଟ୍ଟନାୟକ ତଥା ବିଜୁ ପଟ୍ଟନାୟକ । ୧୯୯୭ ମସିହା ଏପ୍ରିଲ ୧୭ ତାରିଖ ଆଜିର ଦିନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ଯାଏଁ ଓ ୧୯୬୧ ଜୁନ୍ ୨୩ ରୁ ୧୯୬୩ ମସିହା ଅକ୍ଟୋବର ୨ ଯାଏଁ ସେ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ରାଜନୀତି ଓ ବିକାଶ କ୍ଷେତ୍ରରେ ବିଜୁ ବାବୁଙ୍କ ଭୂମିକା ଆଜି ବି ସ୍ମରଣୀୟ । ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତ୍ୟେକ ଲୋକର କଲ୍ୟାଣ ଓ ଉନ୍ନତି ପାଇଁ କାର୍ଯ୍ୟ କରିବା ଥିଲା ବିଜୁ ବାବୁଙ୍କ ଜୀବନ ମନ୍ତ୍ର ।

ବିଜୁ ବାବୁଙ୍କ ସେବା, ତ୍ୟାଗ ଏବଂ ନିରନ୍ତର ସଂଗ୍ରାମର ଜୀବନ୍ତ ଆଲେଖ୍ୟ । ସାରା ଜୀବନ ବିଜୁ ବାବୁ ଜନସେବାକୁ ସର୍ବାଧିକ ଗୁରୁତ୍ବ ଦେଇ ଆସୁଥିଲେ । ଏହି ମହାନ୍ ଜନନେତାଙ୍କ ଶ୍ରାଦ୍ଧ ଦିବସ ଅବସରରେ ଏହି ସେବା ମନୋଭାବକୁ ଆହୁରି ପରିବର୍ଦ୍ଧିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.