Latest Odisha News

BREAKING NEWS

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀ ପକ୍ଷରୁ ‘ନୂତନ ଅପରାଧିକ ଆଇନ’ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ପୋଲିସ ଭବନଠାରେ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ନିମନ୍ତେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀ ପକ୍ଷରୁ ଆୟୋଜିତ “ନୂତନ ଅପରାଧିକ ଆଇନ” ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଆନୁଷ୍ଠାନିକ ଭାବେ ଉଦଘାଟନ କରି ୩ଟି ନୂତନ ଆଇନର ମୌଳିକ ଉପାଦାନ ଉପରେ ଆଲୋକପାତ କରିଥିଲେ ।

ଏହି କର୍ମଶାଳାରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥାନ (ସିବିଆଇ)ର ପୂର୍ବତନ ସ୍ଵତନ୍ତ୍ର ନିର୍ଦ୍ଦେଶକ ଧରମ ଚାନ୍ଦ ଜୈନ ଓ ସିବିଆଇର ଆଇନଗତ ପରିଚାଳନା ନିର୍ଦ୍ଦେଶିକା ପଦ୍ମିନୀ ସିଂହ ରିସୋର୍ସ ପର୍ସନ ଭାବେ ଯୋଗ ଦେଇ ଭାରତୀୟ ନ୍ୟାୟ ସଂହିତା (BNS), ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।

ଆଗାମୀ ଦିନରେ ପରିବର୍ତ୍ତିତ ନୂତନ ଆଇନର କାର୍ଯ୍ୟକାରିତା ଏବଂ ତୃଣମୂଳ ସ୍ତରରେ ଏହାର ସଠିକ ଉପଯୋଗ ହେବା କ୍ଷେତ୍ରରେ ବରିଷ୍ଠ ପୋଲିସ ଅଧିକାରୀମାନେ ଗୁରୁ ଦାୟିତ୍ୱ ତୁଲାଇବେ ବୋଲି ଡିଜିପି ଆଶା ବ୍ୟକ୍ତ କରିଛନ୍ତି । ଆଇନ ବ୍ୟବସ୍ଥାକୁ ବଜାୟ ରଖିବା ସହ ପ୍ରତ୍ୟେକ ନାଗରିକଙ୍କ ଅଧିକାର ଏବଂ ମର୍ଯ୍ୟାଦାକୁ ସୁରକ୍ଷା ଦେବା ପାଇଁ ବଦ୍ଧପରିକର ହୋଇ କାର୍ଯ୍ୟ କରିବାକୁ ଡିଜିପି ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

ଦୃଢ ଇଚ୍ଛାଶକ୍ତି ଏବଂ ବୃତ୍ତିଗତ୍ତ ଦକ୍ଷତାର ସହିତ ଏହି ଆଇନଗତ ସଂସ୍କାର ଭାରତର ନ୍ୟାୟିକ ବ୍ୟବସ୍ଥାରେ ଏକ ମାଇଲଖୁଣ୍ଟ ଭାବେ ପରିଗଣିତ ହେବ ଏବଂ ନ୍ୟାୟ ବ୍ୟବସ୍ଥାରେ ଜନସାଧାରଣଙ୍କ ବିଶ୍ୱାସକୁ ଆହୁରି ମଜବୁତ କରି ଗଢି ତୋଳିବାକୁ ଡିଜିପି ଆହ୍ୱାନ ଦେଇଛନ୍ତି । ଏହି ନୂତନ ଅପରାଧିକ ଆଇନ ଗୁଡ଼ିକ ଦଣ୍ଡ କେନ୍ଦ୍ରିକ ହେବା ପରିବର୍ତ୍ତେ ନ୍ୟାୟ କେନ୍ଦ୍ରିକ ହେବା ଦିଗରେ କାର୍ଯ୍ୟ କରିବାକୁ ଡିଜିପି କହିଛନ୍ତି ।

ଏହି ନୂତନ ଅପରାଧିକ ଆଇନ ଗୁଡିକ ନ୍ୟାୟ ବ୍ୟବସ୍ଥାରେ ଏକ ଐତିହାସିକ ପରିବର୍ତ୍ତନକୁ ପ୍ରତିନିଧିତ୍ୱ କରିବା ସହ ଆଧୁନିକ ଭାରତର ଗଣତନ୍ତ୍ର, ସାମ୍ବିଧାନିକ ଏବଂ ସାମାଜିକ-ସାଂସ୍କୃତିକ ମୂଲ୍ୟବୋଧରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଡିଜିପି ଆଶା ବ୍ୟକ୍ତ କରିଥିଲେ ।

ଏହି ଆଇନଗୁଡ଼ିକୁ କାର୍ଯ୍ୟକାରୀ କରିବାର ପ୍ରାଥମିକ ସଂସ୍ଥା ହେଉଛି ପୋଲିସ । ତେଣୁ ପ୍ରତ୍ୟେକ ପୋଲିସ କର୍ମଚାରୀ ଆଇନର ପ୍ରତିଟି ଶବ୍ଦ ସହିତ ଏହାର ଆତ୍ମାକୁ ମଧ୍ୟ ସଠିକ ଭାବେ ବୁଝି କାର୍ଯ୍ୟ କ୍ଷେତ୍ରରେ ଉପଯୋଗ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ । ଏହା ସହ ତଦନ୍ତରେ ଦକ୍ଷତା ବୃଦ୍ଧି, ପୀଡିତଙ୍କୁ ସୁନିଶ୍ଚିତ ନ୍ୟାୟ ପ୍ରଦାନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏହି ନୂତନ ଆଇନ ଆହୁରି ସଶକ୍ତ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।

ଏହି ନୂତନ ଆଇନ ଆତଙ୍କବାଦ, ସଂଗଠିତ ହତ୍ୟା ଏବଂ ସଂଗଠିତ ଅପରାଧ ଭଳି ଜଘନ୍ୟ ଅପରାଧର ବ୍ୟାପକ ସଂଜ୍ଞା ପ୍ରଦାନ କରି ଅଛି । ସମୟସୀମା, ଇଲେକ୍ଟ୍ରୋନିକ୍ ସମନ, ଇ-FIR, ବୟାନର ଭିଡିଓ ରେକର୍ଡିଂ ଏବଂ ଡିଜିଟାଲ୍ ଫୋରେନ୍ସିକ୍ କୌଶଳ ଭଳି ଡିଜିଟାଲ୍ ଉପକରଣର ବ୍ୟବହାରକୁ ଏହି ଆଇନ ପ୍ରୋତ୍ସାହିତ କରିଥାଏ ବୋଲି ସେ କହିଥିଲେ ।

ଏହି ପରିବର୍ତ୍ତିତ ଆଇନ ଗୁଡ଼ିକ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ପୀଡିତଙ୍କୁ ନ୍ୟାୟ, ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ତଦନ୍ତ ଏବଂ ସମୟସୀମା ପ୍ରକ୍ରିୟା ଉପରେ ଗୁରୁତ୍ୱାରୋପ କରୁଛି।

ଏହି କର୍ମଶାଳାରେ ଭୁବନେଶ୍ୱର ଓ କଟକରେ କାର୍ଯ୍ୟରତ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିବା ବେଳେ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ, ସମସ୍ତ ବାଟାଲିୟନର କମାଣ୍ଡାଣ୍ଟ ଓ ସମସ୍ତ ପୋଲିସ ରେଞ୍ଜର ପୋଲିସ ଅଧିକାରୀ ଆଭାସି ମାଧ୍ୟମରେ ଯୋଗ ଦେଇଥିଲେ । ପୋଲିସ ଏକାଡେ଼ମୀର ନିର୍ଦ୍ଦେଶକ ସଂଜୀବ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ଆଇଜି ତାଲିମ ଅନୁପ ସାହୁ ଏହି କର୍ମଶାଳାକୁ ପରିଚାଳନା କରିଥିଲେ ।

Comments are closed.