Latest Odisha News

BREAKING NEWS

ଆମେରିକାଠୁ ଭଲ ୟୁପିର କୋଭିଡ ପରିଚାଳନା: ବିଲ୍ ମେଲିଣ୍ଡା ଫାଉଣ୍ଡେସନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କୋଭିଡ୍ ପରିଚାଳନା ଆମେରିକା ତୁଳନାରେ ଭଲ। ଆମେରିକାର ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ଏହା କହିଛି। ଫାଉଣ୍ଡେସନର ଏକ ପ୍ରତିନିଧି ଦଳ ଗୁରୁବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ସ୍ୱାସ୍ଥ୍ୟ, ପୋଷଣ ଏବଂ କୃଷି କ୍ଷେତ୍ରରେ ବୈଷୟିକ ସହଯୋଗରେ ଉନ୍ନତି ଆଣିବା ଉପରେ ଆଲୋଚନା କରିଥିଲେ।

ଫାଉଣ୍ଡେସନର ସିଇଓ ମାର୍କ ସୁଜମାନ କହିଛନ୍ତି, ଆମେ ଅନେକ ଦେଶର କୋଭିଡ ପରିଚାଳନା ଉପରେ ନଜନ ରଖିଥିଲୁ । ହେଲେ ଉତ୍ତର ପ୍ରଦେଶର ଯେଉଁଭଳି ଲୋକସଂଖ୍ୟା ରହିଛି ଏବଂ ସଂକ୍ରମଣକୁ ରୋକିବା ପାଇଁ ଯେଉଁସବୁ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ତାହା ଆମେରିକା ଠାରୁ ବହୁତ ଉନ୍ନତ ଥିଲା।

ସେ ଆହୁରି ମଧ୍ୟ କହିଛନ୍ତି, ଜନସଂଖ୍ୟା ଏବଂ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସାମାଜିକ ଆହ୍ୱାନକୁ ଦେଖି ରାଜ୍ୟସରକାରଙ୍କ ନେତୃତ୍ୱ ପ୍ରଶଂସନୀୟ । ଉତ୍ତର ପ୍ରଦେଶର କୋଭିଡ ପରିଚାଳନା “ବିଶ୍ୱ ପାଇଁ ଏକ ଉଦାହରଣ”।

ଗରିବଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନାକୁ ସଫଳ ରୂପାୟନ କରିବାରେ ଫାଉଣ୍ଡେସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନିକଟ ଅତୀତରେ କୃଷି କ୍ଷେତ୍ରରେ ବୈଷୟିକ ସହାୟତା ମଧ୍ୟ ଯୋଗାଇ ଆସୁଛନ୍ତି ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅବସରରେ କହିଥିଲେ।

ସେହିପରି ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-5 (NFHS-5) ରିପୋର୍ଟରୁ ଜଣାପଡିଛି ଯେ ରାଜ୍ୟରେ ସ୍ୱାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଘଟିଛି ବୋଲି ୟୁପି ମୁଖ୍ୟମନ୍ତ୍ରୀ କହିଛନ୍ତି। ନୋଏଡ଼ା, ଗୋଣ୍ଡା ଏବଂ ପ୍ରୟାଗରାଜରେ ଉତ୍ସର୍ଗୀକୃତ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ସହିତ ୟୁପି ସରକାରକୁ କୋଭିଡ୍ ମୁକାବିଲା ପାଇଁ ଫାଉଣ୍ଡେସନରୁ ସହଯୋଗ କରିଥିଲା।

ସେହିପରି ଏନସେଫାଲାଇଟିସ୍ ଜନିତ ଯୁବପିଢ଼ିଙ୍କ ମୃତ୍ୟୁ ଏବେ 95% ହ୍ରାସ ପାଇଛି ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ତେବେ ଉତ୍ତର ପ୍ରଦେଶରେ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଆହୁରି ଅନେକ କିଛି କରିବାକୁ ବାକି ଥିଲା, ତେଣୁ ଡାକ୍ତରଙ୍କ ଅଭାବ ଯେପରି ନ ରହେ ସେଥିପାଇଁ ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିଥିଲେ।

Leave A Reply

Your email address will not be published.