Latest Odisha News

BREAKING NEWS

ଯୁଦ୍ଧ ବେଳେ ଋଷ ଯିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ

ନୂଆଦିଲ୍ଲୀ: ଋଷ ଗସ୍ତରେ ଯିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଋଷ ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ପ୍ରଥମ ଥର ପାଇଁ ଋଷ ଗସ୍ତରେ ଯିବେ କେନ୍ଦ୍ର ସରକାରଙ୍କର ଏହି ମନ୍ତ୍ରୀ। ଆସନ୍ତା ସପ୍ତାହରେ ଋଷର ସେଣ୍ଟ ପିଟର୍ସବର୍ଗରେ ଇଣ୍ଟରନ୍ୟାସନାଲ ଇକୋନୋମିକ୍ ଫୋରମ୍ (ଏସପିଆଇଇଏଫ) ଆୟୋଜିତ ହେଉଛି। ଏଥିରେ ଯୋଗଦେବା ପାଇଁ ଡକ୍ଟର ମନସୁଖ ମାଣ୍ଡଭ୍ୟ ଋଷ ଗସ୍ତରେ ଯିବେ। ଏହା ଏସପିଆଇଇଏଫର ୨୫ତମ ସଂସ୍କରଣ ହେବ । ଜୁନ୍ ୧୫ରୁ ୧୮ ତାରିଖ ଯାଏ ଚାଲିବ ଏହି ଇକୋନମିକ ଫୋରମ।

୧୯୯୭ ମସିହାରୁ ରୁଷ ରାଷ୍ଟ୍ରପତି ପୁଟିନଙ୍କ ନେତୃତ୍ୱରେ ଏହି ବିଶାଳ ସମାବେଶ ଆରମ୍ଭ ହୋଇଆସୁଛି। ଇଜିପ୍ଟ ଚଳିତ ବର୍ଷ ଅତିଥି ରାଷ୍ଟ୍ର ଭାବେ ଯୋଗଦେବ ବୋଲି ସୂଚନା ରହିଛି। ଏହା ପୂର୍ବରୁ ୨୦୧୭ରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଏସପିଆଇଇଏଫରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଋଷୀୟ ଫେଡେରେସନର ସଭାପତିଙ୍କ ପରାମର୍ଶଦାତା ତଥା ଏସପିଆଇଇଏଫ ଆୟୋଜକ କମିଟିର କାର୍ୟ୍ୟନିର୍ବାହୀ ସଚିବ ଆଣ୍ଟନ୍ କୋବିଆକୋଭ କହିଛନ୍ତି, ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ଅନେକ ଦେଶ ଆଗ୍ରହ ଦେଖାଇଛନ୍ତି। ଏବଂ ଅନେକ ଦେଶ ଏବେ ହେବାକୁ ଥିବା ଏସପିଆଇଇଏଫ ୨୦୨୨କୁ ନିଜ ନିଜର ପ୍ରତିନିଧିଙ୍କୁ ପଠାଇବା ପାଇଁ ଆଗ୍ରହ ପ୍ରକାଶ କରିସାରିଛନ୍ତି।

ଉଲ୍ଲେଖଯୋଗ୍ୟ, ଫେବୃଆରୀରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିଥିଲା। ଏହାପରେ କେନ୍ଦ୍ରମନ୍ତ୍ରୀ ମାଣ୍ଡଭ୍ୟଙ୍କ ଏହି ଗସ୍ତ ହେଉଛି ଭାରତରୁ ଋଷିଆକୁ ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ। ଚଳିତ ବର୍ଷର ଆରମ୍ଭରେ ଋଷର ଅର୍ଥମନ୍ତ୍ରୀ ଲାଭରୋଭ ଭାରତ ଗସ୍ତରେ ଆସିଥିଲେ।

Leave A Reply

Your email address will not be published.