Latest Odisha News

BREAKING NEWS

ବିପର୍ଯ୍ୟୟ ପରବର୍ତ୍ତୀ ମୁକାବିଲା

 ପଲିଟିକସ ଫଲିଟିକସ : 1 

ବିପର୍ଯ୍ୟୟ ପରବର୍ତ୍ତୀ ମୁକାବିଲା
ଜ୍ୟୋତି ପ୍ରକାଶ ମହାପାତ୍ର

ଫନି ବାତ୍ୟା ଓଡ଼ିଶାରୁ ଗଲା ପରେ ଏକଥା ଜୋରଦାର ଢଙ୍ଗରେ ଉଠିଛି । ବାତ୍ୟା ପୂର୍ବରୁ ମୁକାବିଲା କରିବାରେ ସରକାର ବେଶ ସଫଳ ହେଲେ । ୧୨ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଗଲା । ଫଳରେ ବାତ୍ୟାରେ ମୃତ୍ୟୁସଂଖ୍ୟା ଯଥେଷ୍ଟ କମିଗଲା । ଧନଜୀବନ ହାନି କମିଗଲା । ସରକାରଙ୍କୁ ବି ଏ ନେଇ ଚାରିଆଡ଼ୁ ପ୍ରଶଂସା ମିଳିଲା ।

କିନ୍ତୁ ଫନି ଗଲା ପରେ ବିଭୀଷିକାର ଯେଉଁ ଚିତ୍ର ଓଡ଼ିଶାରେ ଛାଡ଼ି ଗଲା, ତାହା ଭରିବା ପାଇଁ ଆଉରି ବୋଧେ ଶହେ ବର୍ଷ ଲାଗିଯିବ । ବିଶେଷକରି ଯେତେ ବଡ଼ ବଡ଼ ଗଛ ଉପୁଡ଼ି ଯାଇଛି, ସହରଗୁଡ଼ିକ ଯେମିତି ଫୁଙ୍ଗୁଳା ଲାଗୁଛନ୍ତି- ସେଥିରେ ନୂଆ ସବୁଜ ବଳୟ ସୃଷ୍ଟି ହେବାକୁ ଦୀର୍ଘ ସମୟ ଲାଗିଯିବ । ସେମିତି ତିଆରି ହେବା ବି କାଠିକର । ପୁରୀ-କୋଣାର୍କ ବେଳାଭୂମି ରାସ୍ତା ଯେଉଁଠି ଅନେକ ଜାଗାରେ ସୂର୍ଯ୍ୟ କିରଣ ପଡ଼ୁନଥିଲା, ଏବେ ଲାଗୁଛି ଯେମିତି କିଏ ନିଆଁ ଲଗେଇ ଦେଇ ମାଇଲ ମାଇଲ ଧରି ଜଙ୍ଗଲ ପୋଡ଼ି ଦେଇଛି । ପୋଡ଼ା, ଧୂସର ଦେଖା ଯାଉଛି ସେ ରାସ୍ତା । ବୋମା ବିସ୍ଫୋରଣରେ ସାରା ସହରଟି ଜଳିଗଲା ପରେ ଯେମିତି ଦେଖାଯାଏ, ପୁରୀ ସେମିତି ଦେଖା ଯାଉଥିଲା ବୋଲି ସ୍ମୃତି ରଂଜନ ଜେନା ସାମାଜିକ ଗଣମାଧ୍ୟମରେ ଲେଖିଥିଲେ । ଅନେକ ସ୍ଥାନରେ ଲୋକେ ଏବେ ବି ରାସ୍ତାରେ ପଡ଼ିଛନ୍ତି । ଖାଇବାକୁ ନାହିଁ ।

ତେବେ କଥା ହେଉଛି- ବାତ୍ୟା ଗଲା ପରେ ପରେ ଠିକ ଭାବେ ପରିସ୍ଥିତି ମୁକାବିଲା କରିହେଲା କି ? ରାଜଧାନୀ ଭୁବନେଶ୍ୱର ଦୀର୍ଘ ଦିନ ଧରି ଅଚଳ ହୋଇଗଲା । ପାଣି, ବିଜୁଳି ବିନା ମଇ ମାସରେ ଲୋକ ଗରମରେ ସଢିଲେ । ସିଆଡେ଼ ସାରା ସହରରେ କୁଢ କୁଢ ଅଳିଆ ଜମା ହୋଇ ରହିଲା । ସାରା ସହରଟା ଗଂଧେଇଲା । ସେମିତି ସାରା ପୁରୀରେ ତ ଆଜିଯାକେ ବିଜୁଳି ଆସିନି । କୋଣାର୍କ, ସାତପଡ଼ା ଓ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଅଞ୍ଚଳ ପରିସ୍ଥିତି ଆହୁରି ଗୁରୁତର । ଜଗତସିଂହପୁର ଜିଲ୍ଲାର ଭିତର ଇଲାକାରେ ବି ବିଜୁଳି ଆସିନି ବୋଲି ଲୋକେ ରାସ୍ତା ରୋକ କରୁଛନ୍ତି । କେଉଁଠି କେଉଁଠି ବିଜୁଳି ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ ବି ହେଉଛି । କାରଣ- ଡିଜିଟାଲ ଟେକ୍ନୋଲୋଜି ଯୁଗରେ ଲୋକଙ୍କୁ ସବୁକିଛି ହାତପାହାନ୍ତାରେ ଓ ଫଟାଫଟ ଦରକାର । ତାହା ନହେଲା ବେଳକୁ ଲୋକେ ତାତୁଛନ୍ତି । ତାତିଲେ ଝାମେଲା ବଢୁଛି ।

ସେମିତି- ଅନେକ ଜାଗାରେ ରିଲିଫକୁ ନେଇ ହଜାରେ ସମସ୍ୟା ରହିଛି । ‘ଇଣ୍ଡିଆନ ଏକ୍ସପ୍ରେସ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ- ରିଲିଫ୍‍ ଚାଉଳ ନେଇ ଟ୍ରକ ପହଞ୍ଚିଲା ବେଳକୁ ରଖିବା ପାଇଁ ଜାଗା ନାହିଁ । ଫଳରେ ଟ୍ରକଗୁଡ଼ିକ ଧାଡ଼ି ବାନ୍ଧି ଛିଡ଼ା ହେଉଛନ୍ତି । ଲୋକଙ୍କ ପାଖରେ ରିଲିଫ୍‍ ସାମଗ୍ରୀ ପହଞ୍ଚି ପାରୁନାହିଁ । ‘ଜିରୋ କାଜୁଆଲିଟି’ କଥା ଠିକ । କିନ୍ତୁ ଲୋକଙ୍କୁ ସର୍ବନିମ୍ନ ସୁବିଧା ଯେମିତି ପାଣି, ରିଲିଫ୍‍, ବିଜୁଳି ଆଦି ତ ଯେତେଶୀଘ୍ର ସମ୍ଭବ ଦେଇ ଦିଆଯିବା କଥା । ହେଲେ ତାହା ହୋଇପାରିଲା ନାହିଁ ଅନେକ ସ୍ଥାନରେ । ବାତ୍ୟାକୁ ମାପିବାରେ ଓ ବାତ୍ୟା ପରବର୍ତ୍ତୀ ଅବସ୍ଥାରେ କାମ କରି ସାଧାରଣ ଜୀବନଯାତ୍ରା ଫେରାଇ ଆଣିବା ଦିଗରେ ପ୍ରଶାସନ ସେତିକି ଯତ୍ନଶୀଳ ହୋଇପାରିଲା ନାହିଁ । କାମ କରିପାରିଲାନି । କେତେ ଗୁଡ଼ିଏ ଛୋଟିଆ କଥା ରହିଗଲା । ଯେମିତି- ଭୁବନେଶ୍ୱର ଓ କଟକରେ ପାଣି ନଥିଲା । ଲୋକେ ପ୍ରଥମ ସପ୍ତାହ ପାଣି ପାଇଲେ ନାହିଁ । ଡହଳବିକଳ ହେଲେ । ସେଇ ସମୟରେ କେନ୍ଦ୍ରାପଡ଼ା, ଆଠଗଡ଼, ଢେଙ୍କାନାଳ, ଚଣ୍ଡୀଖୋଲ ଆଦି ସ୍ଥାନରେ ବିଜୁଳି ଆସି ସାରିଥିଲା । ପାଣି ବି ଥିଲା । ଦିନ ତମାମ ସେଠୁ ଟ୍ୟାଙ୍କରରେ ପାଣି ଯୋଗାଯାଇ ପାରି ଥାଆନ୍ତା । ତାହା ହେଲାନି । ସେଥିରେ ବିଳମ୍ବ ହେଲା । ଲୋକଙ୍କ ଦୁଃଖ ସରିନି କି ସରିବା ପାଇଁ ସହୃଦୟତାର ସତ ହାତଟେ ପହଞ୍ଚି ନାହିଁ । ଏହା ହିଁ ବାସ୍ତବତା ।

ଏବେ ଆଉ ଏକ ପ୍ରସଙ୍ଗକୁ ଆସିବା । ବାତ୍ୟା ସମୟରେ ଓ ପରେ ଓଡ଼ିଆ ଗଣମାଧ୍ୟମ ବାତ୍ୟା ନେଇ ବେଶ ସଚେତନତା ସୃଷ୍ଟି କଲା । ଫଳରେ ଲୋକେ ସଚେତନ ହେଲେ । ଓଡ଼ିଶାର ଗଣମାଧ୍ୟମ ଏ ଦିଗରେ ବହୁତ ଭଲ କାମ କରିଛି । କିନ୍ତୁ ପରେ ଅଚାନକ ସମସ୍ତେ ବାହୁଡ଼ା ମତ (ଏକଜିଟ୍‍ ପୋଲ)ରେ ସାମିଲ ହୋଇଗଲେ । ସେକଥା ବେଶି ବେଶି ସାମ୍ନାକୁ ଆସିଲା । ବାତ୍ୟା ଓ ଲୋକଙ୍କ ଦୁଃଖ ପଛକୁ ଠେଲି ହୋଇଗଲା । ଠିକ ପରେ ଦୁତୀ ଚାନ୍ଦ ପ୍ରସଙ୍ଗ ଆସିଗଲା । ଗଣମାଧ୍ୟମ ସେଥିରେ ବ୍ୟସ୍ତ ରହିଲା । ବାତ୍ୟା ଖବର ଆହୁରି ପଛକୁ ଠେଲି ହୋଇଗଲା । ୨୩ ତାରିଖରୁ ଭୋଟ ଗଣନା । ସେ ସମୟରେ ପ୍ରତି ମୁହୂର୍ତ୍ତର ଖବର ଓଡ଼ିଶା ଗଣମାଧ୍ୟମ ଦେଖାଇବେ । ପରେ ନୂଆ ସରକାର । ନୂଆ ରାଜନୀତି । ନୂଆ ଅଙ୍କକଷା ।

ତେଣୁ ବାତ୍ୟା ଓ ଲୋକଙ୍କ କଥା ଆହୁରି ପଛକୁ ଠେଲି ହୋଇଯିବ । ଲୋକଙ୍କ ଖବର ସାମ୍ନାକୁ ଆସିବା କମିଯିବ । ଓଡ଼ିଶାରେ ଏ ଦୃଷ୍ଟିରୁ ଅବସ୍ଥାଟି ବେଶ ସଙ୍ଗୀନ । ଯଦି ଗଣମାଧ୍ୟମ କୌଣସି ପ୍ରସଙ୍ଗ ଛାଡ଼ି ଦେଲା, ତେବେ ତା’ଉପରେ ସରକାରୀ ଅଧିକାରୀମାନେ ଆଉ ଗୁରୁତ୍ୱ ଦେବେ ନାହିଁ । ଯେତେଦିନ ଏହା ମୁଖ୍ୟ ଖବର ହୋଇ ରହିଥିବ, ସେତେଦିନ ଏ ସଂପର୍କିତ ପଦକ୍ଷେପ ନିଆଯାଉଥିବ । ସରକାରୀ ଅଧିକାରୀଙ୍କ ଉପରେ ମିଡ଼ିଆ ଚାପ ନ ରହିଲେ ସେମାନେ କିଛି କରନ୍ତି ନାହିଁ ବୋଲି ଗୋଟେ ଧାରଣା ବି ବଢିବାରେ ଲାଗିଛି ।

ତେଣୁ ଥରେ ଭୋଟ ଗଣନା ଓ ନୂଆ ସରକାର ପ୍ରସଙ୍ଗ ଆସିଗଲେ- ପ୍ରଶାସନ, ଲୋକେ ସମସ୍ତେ ସେଥିରେ ବ୍ୟସ୍ତ ରହିବେ । କିନ୍ତୁ ଯେଉଁମାନେ ପ୍ରକୃତରେ ଏବେ ବି ରାସ୍ତାରେ, ଗଛ ମୂଳରେ ପଡ଼ିଛନ୍ତି- ସେମାନେ ଯାହା ମୁଖ୍ୟସ୍ରୋତରୁ ଓ ନୂଆ ସରକାର, ନୂଆ ଆଶା ଆଦି ତାମଝାମରୁ ଦୂରେଇ ଯିବେ । ସେମିତି ନିଆଶରା ହୋଇ ପଡ଼ି ରହିବେ ।

jajpuria@gmail.com

Leave A Reply

Your email address will not be published.