Latest Odisha News

BREAKING NEWS

ସାତକୋଶିଆରେ ଚାଲିଛି କୁମ୍ଭୀର ଗଣନା, ୧୦ରୁ ହେବ ପକ୍ଷୀ ଗଣନା

ଅନୁଗୁଳର ସାତକୋଶିଆରେ ଚାଲିଛି କୁମ୍ଭୀର ଓ ପକ୍ଷୀ ଗଣନା । ଏଥିପାଇଁ ସାତକୋଶିଆ, ଆଠମଲ୍ଲିକ, ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ୧୪ଟି ଟିମ ବିଭିନ୍ନ ଜାଗାରେ ଡଙ୍ଗାରେ ଯାଇ କୁମ୍ଭୀର ଗଣନା କରୁଛନ୍ତି । ଏହି ଦଳରେ ୫୬ ଜଣ ବନ କର୍ମଚାରୀଙ୍କୁ ସାମିଲ କରାଯାଇଛି । ସାତକୋଶିଆ ମହାନଦୀ ଗଣ୍ଡରେ ୨୩ କିମି ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବାର ଯୋଜନା ରହିଛି । ଗଣନା ନିମନ୍ତେ ଚଳିତ ମାସ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ସାତକୋଶିଆ ମହାନଦୀ ଗଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବନ୍ଦ କରାଯାଇଛି।

ଏବେ କୁମ୍ଭୀର ଗଣନା ଚାଲିଥିବା ବେଳେ ଆଶନ୍ତା ୧୦ ତାରିଖରୁ ପକ୍ଷୀ ଗଣନା କରାଯିବ। ଟିକରପଡ଼ାରୁ ବିନିକେଇ,ବିନିକେଇରୁ ପତାକା, ଟିକରପଡାରୁ କଟରଙ୍ଗ, କଟରଙ୍ଗରୁ ବାଲିପୁଟ,ବାଲିପୁଟରୁ ଚକ୍ରଗଡ଼, ସେହି ପରି ଆଠମଲ୍ଲିକର ହରଭଙ୍ଗାରୁ ଅଏଡ଼ା, ଲୁଣହାଣ୍ଡି , ବେଲପୁଞ୍ଜିମଠ, ଶିଶୁପଥର ଡ୍ୟାମ ଆଦି ଜଳାଶୟରେ କୁମ୍ଭୀର ଓ ପକ୍ଷୀ ଗଣାଯିବ। ଏଥିଲାଗି ମୋବାଇଲ୍ ଟ୍ରାକିଂ, ଜିପିଏସ୍, ବାଇନାକୁଲାର୍ ଓ ସ୍ଵତନ୍ତ୍ର କ୍ୟାମେରାର ବ୍ୟବସ୍ଥା କରାଯାଇଛି।ନିଜେ DFO ସାତକୋଶିଆ ଗଣନା କାର୍ଯ୍ୟର ତଦାରଖ କରିଛନ୍ତି।

ସୂଚନା ଅନୁସାରେ ଗତବର୍ଷ ଗଣନାରେ ସାତକୋଶିଆ ମଧ୍ୟଦେଇ ଯାଇଥିବା ମହାନଦୀରେ ୭ଟି ଘଡ଼ିଆଳ ଏବଂ ୮୨ଟି ମଗର ଥିଲେ । ଗତବର୍ଷ ଜାନୁଆରୀ ମାସରେ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡର ପତାକା ଠାରୁ ଆଠଗଡର ଚକ୍ରଗଡ ପର୍ଯ୍ୟନ୍ତ ଦୀର୍ଘ ୪୦ କିଲୋମିଟର ବ୍ୟାପୀ ମହାନଦୀ ଓ ନଦୀ ଅବବାହିକାରେ କୁମ୍ଭୀର ଗଣନା କରାଯାଇଥିଲା । ଅର୍ଥାତ ମହାନଦୀ ସାତକୋଶିଆ ଗଣ୍ଡରେ ଏହି ଗଣନା କରାଯାଇଥିଲା । ତେବେ ଗତବର୍ଷ ୩ ଦିନ ଧରି କୁମ୍ଭୀର ଗଣନା କରାଯାଇଥିବା ବେଳେ ୧୨ ଟିମ ନିୟୋଜିତ ହୋଇଥିଲେ । ହେଲେ ଚଳିତ ବର୍ଷ ଏହି ଗଣନାକୁ ବୃଦ୍ଧି କରାଯାଇଛି । ସମୁଦାୟ ୫ ଦିନ ଧରି ଚାଲିବ କୁମ୍ଭୀର ଏବଂ ପକ୍ଷୀ ଗଣନା ।

Leave A Reply

Your email address will not be published.