ଭୁବନେଶ୍ୱର: ଶୀତ ଋତୁର ଆଗମନ ସହିତ ରାଜ୍ୟକୁ ବିଦେଶୀ ପକ୍ଷୀଙ୍କ ଆଗମନ ମଧ୍ୟ ହୋଇସାରିଛି । ଏହି ଅତିଥୀ ମାନଙ୍କ କିଚିରି ମିଚିରି ଶବ୍ଦରେ ଫାଟି ପଡୁଛି ଚିଲିକା, ନଳବନ, ମଙ୍ଗଳାଯୋଡ଼ି, ହୀରାକୁଦ ଏବଂ ନନ୍ଦନକାନନ ପରି ଅଞ୍ଚଳ ଗୁଡିକ । ଏମାନଙ୍କୁ ଦେଖିବାକୁ ଏହି ସ୍ଥାନ ଗୁଡିକରେ ପର୍ଯ୍ୟଟକଙ୍କର ଭିଡ ମଧ୍ୟ ପରିଲିକ୍ଷିତ ହେଉଛି ।
ଏହି ପରିପ୍ରେକ୍ଷୀରେ ଆସନ୍ତା ଜାନୁଆରୀ ୬ ତାରିଖରୁ ରାଜ୍ୟରେ ପକ୍ଷୀ ଗଣନା ଆରମ୍ଭ ହେବ । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ଚିଲିକା, ନଳବନ, ମଙ୍ଗଳାଯୋଡ଼ି, ହୀରାକୁଦ ଏବଂ ନନ୍ଦନକାନନ ପରି ପ୍ରମୁଖ ସ୍ଥାନମାନଙ୍କରେ ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ଏହି ଗଣନା କାର୍ଯ୍ୟ କରାଯିବ ।
ଚଳିତ ବର୍ଷ ପକ୍ଷୀ ଗଣନା କାର୍ଯ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ସହ ପର୍ଯ୍ୟଟନ ବିଭାଗ ମଧ୍ୟ ସହଯୋଗ କରିବ। ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଥିବାରୁ ଜଳବାୟୁ ପରିବର୍ତ୍ତନ ପକ୍ଷୀମାନଙ୍କ ପାଇଁ ବେଶ୍ ଅନୁକୂଳ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।
ପକ୍ଷୀମାନଙ୍କ ସଂରକ୍ଷଣ ଏବଂ ପର୍ଯ୍ୟଟନର ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି । ବିଭିନ୍ନ ସ୍ଥାନରେ ଆଧୁନିକ ୱାଚ୍ ଟାୱାର ଏବଂ ଏନକ୍ଲୋଜର ନିର୍ମାଣ କରାଯିବ । ଏହାଦ୍ୱାରା ପର୍ଯ୍ୟଟକମାନେ ସୁବିଧାରେ ପକ୍ଷୀ ଦେଖିପାରିବେ । ଶିକାରୀ ମାନଙ୍କ ଗତିବିଧି ରୋକାଯିବା ନେଇ ବିଶେଷ ଧ୍ୟାନ ଦିଆଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।