Latest Odisha News

ଜନ୍ମଦିନ ଅବସରରେ ଜାଣନ୍ତୁ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସମ୍ପର୍କରେ

ଭୁବନେଶ୍ୱର: ଚର୍ଚ୍ଚିତ ରାଜନେତ୍ରୀ ଓ ଲେଖିକା ତଥା  ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେଉଛନ୍ତି ନନ୍ଦିନୀ ଶତପଥୀ।

ଜନ୍ମଦିନ ଅବସର ଜାଣନ୍ତୁ ତାଙ୍କ ଅକୁହା ଜୀବନ ସଂଗ୍ରାମର କାହାଣୀ…

୧୯୩୧ ମସିହା ଜୁନ୍ ୯ ତାରିଖରେ କଟକର ପିଠାପୁରଠାରେ ବିଖ୍ୟାତ ଲେଖକ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ବଡ଼ଝିଅ ହୋଇ ଜନ୍ମ ନେଇଥିଲେ ନନ୍ଦିନୀ ।

ପିତାଙ୍କ ସୃଜନଶୀଳତା ଓ କକା ଭଗବତୀ ଚରଣ ପାଣିଗ୍ରାହୀଙ୍କ ବୈପ୍ଳବିକ ଚିନ୍ତାଧାରାର ଯୁଗ୍ମ ପ୍ରଭାବ ପଡ଼ିଥିଲା ନନ୍ଦିନୀଙ୍କ ଉପରେ ।

ରେଭେନ୍ସା କଲେଜରେ ପଢ଼ିବା ବେଳେ କମ୍ୟୁନିଷ୍ଟ ଦଳର ଛାତ୍ରବାହିନୀ ‘ଷ୍ଟୁଡେଣ୍ଟ୍ସ ଫେଡେରେସନ୍’ର ଜଣେ ସକ୍ରିୟ ନେତ୍ରୀ ଥିଲେ । ଏହି ସମୟରେ ଛାତ୍ରନେତା ଦେବେନ୍ଦ୍ର ଶତପଥୀଙ୍କ ସହ ତାଙ୍କର ଘନିଷ୍ଠତା କ୍ରମେ ଦାମ୍ପତ୍ୟରେ ପରିଣତ ହେଲା ।

ଦେବେନ୍ଦ୍ର ଶତପଥୀଙ୍କ ସହ ମିିଶି ସର୍ବୋଦୟ ଆନ୍ଦୋଳନରେ କାମ କରିବା ସହ ସନ୍ଥ ବିନୋବା ଭାବେଙ୍କ ସାନ୍ନିଧ୍ୟ ଲାଭ କରିଥିଲେ ନନ୍ଦିନୀ । ଷାଠିଏ ଦଶକରେ କଂଗ୍ରେସ୍ ଦଳରୁ ରାଜ୍ୟସଭାକୁ ସାଂସଦ ହୋଇ ଯାଇଥିଲେ ସେ । ୧୯୬୫ରେ ଶାସ୍ତ୍ରୀଜୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସୂଚନା ଓ ପ୍ରସାରଣ ବିଭାଗର ଉପମନ୍ତ୍ରୀ ହୋଇଥିଲେ । ପରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲା ପରେ ନନ୍ଦିନୀଙ୍କୁ ସେହି ବିଭାଗର ସ୍ୱାଧୀନ ମନ୍ତ୍ରୀ ଭାବେ ଅବସ୍ଥାପିତ କରିଥିଲେ ।

୧୯୭୧ରେ ନନ୍ଦିନୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଜଣେ ଦକ୍ଷ, ସକ୍ରିୟ ଓ ସଚ୍ଚୋଟ ଶାସକ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ଜରୁରୀକାଳୀନ ପରିସ୍ଥିତି ସମୟରେ ପ୍ରଶାସନିକ ଶିଥିଳତାକୁ ଭାଙ୍ଗିବା ଓ ଦୁର୍ନୀତି ନିବାରଣ ପାଇଁ ଦୃଢ଼ ପଦକ୍ଷେପ ନେଇ ସେ ଜନସାଧାରଣଙ୍କ ଦ୍ୱାରା ସମଭାବେ ପ୍ରଶଂସିତ ଓ ନିନ୍ଦିତ ହୋଇଥିଲେ । ୧୯୭୬ରେ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ସେ ଦଳ ତ୍ୟାଗ କରି ‘କଂଗ୍ରେସ୍ ଫର୍ ଡେମୋକ୍ରାସି’ରେ ଯୋଗ ଦେଲେ ।

ପରେ ‘ଜାଗ୍ରତ ଓଡ଼ିଶା’ ନାମକ ଏକ ଦଳ ଗଠନ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫ରେ ସେ ପୁଣି କଂଗ୍ରେସ୍ କୁ ଫେରିଲେ ଏବଂ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷା ହେଲେ । ରାଜନୈତିକ ବ୍ୟସ୍ତତା ଭିତରେ ମଧ୍ୟ ସେ ଅମୃତା ପ୍ରୀତମଙ୍କ ‘ରସିଦ୍ ଟିକେଟ୍’, ତସଲିମାଙ୍କ ‘ଲଜ୍ଜା’ ଆଦି ପୁସ୍ତକ ଅନୁବାଦ କରିଥିଲେ ।

କେନ୍ଦ୍ର ସାହିତ୍ୟ ଏକାଡେମୀ, ସାହିତ୍ୟ ଭାରତୀ ଆଦି ପୁରସ୍କାରରେ ସମ୍ମାନିତ ନନ୍ଦିନୀ ଦୀର୍ଘଦିନ ଅସୁସ୍ଥ ରହି ୨୦୦୬ ଅଗଷ୍ଟ ୪ ତାରିଖରେ ମୃତ୍ୟୁବରଣ କଲେ ।

Leave A Reply

Your email address will not be published.