ବ୍ରହ୍ମପୁର: ବାତ୍ୟା ଅକୱାନ ପରବର୍ତ୍ତୀ ବ୍ୟାପକ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ମାତ୍ର ୭ ଘଣ୍ଟା ମଧ୍ୟରେ ୧୦,୬୯,୦୨୬ ଜଣ ଗ୍ରାହକଙ୍କ ବିଦ୍ୟୁତ ସେବା ପୁନରୁଦ୍ଧାର କରି ୯୮.୬୮ ପ୍ରତିଶତ ସଫଳତା ହାସଲ କରିଛି । ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ ଟିପିଏସ୍ଓଡିଏଲ୍ ଏହାର ଆଠଟି ଜିଲ୍ଲାର କାର୍ଯ୍ୟକ୍ଷେତ୍ରରେ ପ୍ରାୟ ୯୯ ପ୍ରତିଶତ ବିଦ୍ୟୁତ ସେବା ସ୍ୱାଭାବିକ କରିଛି। ଏହା ସହିତ ସମସ୍ତ ପ୍ରଭାବିତ ୩୩ କେଭି ଫିଡର୍, ୩୩/୧୧ କେଭି ପାୱାର ସବ୍ଷ୍ଟେସନ୍ ଏବଂ ପାୱାର ଟ୍ରାନ୍ସଫର୍ମରରେ ବିଦ୍ୟୁତ ସେବା ପୁନରୁଦ୍ଧାର କରାଯାଇଛି। ଏହା କମ୍ପାନୀର ବ୍ୟାପକ ପ୍ରସ୍ତୁତି, ସମନ୍ୱିତ କାର୍ଯ୍ୟଧାରା ଏବଂ ତ୍ୱରିତ ପଦକ୍ଷେପର ପ୍ରମାଣ।
ବାତ୍ୟା ଅକୱାନ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳରେ ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିବା ସହ ପ୍ରବଳ ପବନ ଓ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଦ୍ୟୁତ ବିତରଣ ଭିତ୍ତିଭୂମି ପ୍ରଭାବିତ ହୋଇଥିଲା। ଏହାର ମୁକାବିଲା କରିବା ସହ ବିଦ୍ୟୁତ ସେବା ଶୀଘ୍ର ସ୍ୱାଭାବିକ କରିବା ପାଇଁ ଟିପିଏସ୍ଓଡିଏଲ୍ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାରେ ୬,୫୦୦ରୁ ଅଧିକ କର୍ମଚାରୀଙ୍କୁ ମୁତୟନ କରିଥିଲା।
ସମସ୍ତ ୬ଟି ପ୍ରଭାବିତ ୩୩ କେଭି ଫିଡର୍, ୧୯ଟି ୩୩/୧୧ କେଭି ପାୱାର ସବ୍ଷ୍ଟେସନ୍ (ପିଏସ୍ଏସ୍) ଏବଂ ୪୨ଟି ପାୱାର ଟ୍ରାନ୍ସଫର୍ମର (ପିଟିଆର୍)ରେ ବିଦ୍ୟୁତ ସେବା ପୁନରୁଦ୍ଧାର ହୋଇଛି। ସେହିପରି ପ୍ରଭାବିତ ୩୬୫ଟି ୧୧ କେଭି ଫିଡର୍ ମଧ୍ୟରୁ ୩୬୪ଟିକୁ ସ୍ୱାଭାବିକ କରାଯାଇଥିବା ବେଳେ ୩୫,୭୪୯ଟି ପ୍ରଭାବିତ ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର (ଡିଟିଆର୍)ରେ ବିଦ୍ୟୁତ ସେବା ପୁନଃସଂଯୋଗ କରାଯାଇଛି।
ଏହି କ୍ରମରେ ଜିଲ୍ଲାୱାରୀ ବିଦ୍ୟୁତ ପୁନରୁଦ୍ଧାର ହାର ଗଞ୍ଜାମରେ ୯୯.୭୬%, କୋରାପୁଟରେ ୯୯.୫୩%, ଗଜପତିରେ ୯୮.୯୦%, ରାୟଗଡ଼ାରେ ୯୮.୦୬%, ନବରଙ୍ଗପୁରରେ ୯୮.୦୧%, ବୌଦ୍ଧରେ ୯୭.୫୫%, କନ୍ଧମାଳରେ ୯୪.୨୩% ରହିଥିବା ବେଳେ ମାଲକାନଗିରିରେ ଶତ ପ୍ରତିଶତ ବିଦ୍ୟୁତ ସେବା ପୁନରୁଦ୍ଧାର ହୋଇଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ ଭିତ୍ତିଭୂମିର ମରାମତି ଏବଂ ଗ୍ରାହକଙ୍କୁ ପୁନଃ ବିଦ୍ୟୁତ ସଂଯୋଗ ପାଇଁ କର୍ମଚାରୀମାନେ ସମନ୍ୱୟ ରକ୍ଷା କରି ନିରନ୍ତର କାର୍ଯ୍ୟ କରିଥିଲେ।
ଟିପିଏସ୍ଓଡିଏଲ୍ର ପୂର୍ବ ପ୍ରସ୍ତୁତି ଏହି ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ସହଜ ଓ ତ୍ୱରାନ୍ୱିତ କରିଥିଲା। ଏଥିପାଇଁ ୬,୪୭୪ ଜଣ କର୍ମଚାରୀଙ୍କ ମୁତୟନ ଯୋଜନା ସହ ପ୍ରାୟ ୮୦୦ ଜଣ ଦକ୍ଷ ଓ ଅଣଦକ୍ଷ ପ୍ରକଳ୍ପ କର୍ମଚାରୀ, ଅତିରିକ୍ତ ଷ୍ଟାଣ୍ଡବାଏ କର୍ମଚାରୀ, ମୋବାଇଲ୍ ଡିଷ୍ଟ୍ରିବ୍ୟୁସନ୍ ସବ୍ଷ୍ଟେସନ୍, ଯାନବାହନ, ଜରୁରିକାଳୀନ ଉପକରଣ, ଆଲୋକ ବ୍ୟବସ୍ଥା, ଡିଜି ସେଟ୍, ଗଛ କାଟିବା ଓ ଡାଳ ସଫା କରିବା ପାଇଁ ଟିମ୍ ଏବଂ ବିଭିନ୍ନ ସ୍ଥାନରେ ଟ୍ରାଞ୍ଜିଟ୍ ଷ୍ଟୋର୍ର ବ୍ୟବସ୍ଥା କରାଯାଇଥିଲା। କଣ୍ଟ୍ରୋଲ୍ ସେଣ୍ଟର୍ ଏବଂ କ୍ଷେତ୍ରସ୍ତରୀୟ ଟିମ୍ଗୁଡ଼ିକ ମଧ୍ୟରେ ସମନ୍ୱୟ ରଖି ବିଦ୍ୟୁତ ନେଟୱର୍କର ସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଥିଲା।
ଏହି ଅବସରରେ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍, କହିଛନ୍ତି, “ଏଭଳି ବଡ଼ ବାତ୍ୟା ପରେ ଖୁବ୍ କମ୍ ସମୟ ମଧ୍ୟରେ ବିଦ୍ୟୁତ ସେବା ପୁନରୁଦ୍ଧାର କରିବା ପାଇଁ ବ୍ୟାପକ ପ୍ରସ୍ତୁତି, ସମନ୍ୱିତ କାର୍ଯ୍ୟଧାରା ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା ଟିମ୍ର ନିଷ୍ଠା ଅତ୍ୟନ୍ତ ଜରୁରୀ। ଆମର ଟିମ୍ଗୁଡ଼ିକ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମୁତୟନ ହୋଇ ସୁରକ୍ଷିତ ଭାବେ ଯଥାଶୀଘ୍ର ବିଦ୍ୟୁତ ସେବା ପୁନରୁଦ୍ଧାର ପାଇଁ କାର୍ଯ୍ୟ କରିଥିଲେ। ପ୍ରାୟ ୯୯ ପ୍ରତିଶତ ବିଦ୍ୟୁତ ପୁନରୁଦ୍ଧାର ସହ ସମସ୍ତ ପ୍ରଭାବିତ ୩୩ କେଭି ଫିଡର୍, ସବ୍ଷ୍ଟେସନ୍ ଏବଂ ପାୱାର ଟ୍ରାନ୍ସଫର୍ମରକୁ ସ୍ୱାଭାବିକ କରିବା ଆମର କର୍ମଚାରୀଙ୍କ ନିଷ୍ଠା ଓ ଆମର ତ୍ୱରିତ ପଦକ୍ଷେପ ଗ୍ରହଣ କରିବାର ଦକ୍ଷତାକୁ ପ୍ରତିଫଳିତ କରୁଛି। ଏହି କଠିନ ସମୟରେ ନିରନ୍ତର ପରିଶ୍ରମ ଓ ନିଷ୍ଠାର ସହ କାର୍ଯ୍ୟ କରିଥିବା ଆମର କର୍ମଚାରୀ, ସହଯୋଗୀ ଅଂଶୀଦାର ଏବଂ କ୍ଷେତ୍ରସ୍ତରୀୟ ଟିମ୍କୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି। ଗ୍ରାହକମାନଙ୍କୁ ନିର୍ଭରଯୋଗ୍ୟ ବିଜୁଳି ସେବା ଯୋଗାଇବା ସହ ଆମର ବିଦ୍ୟୁତ ବିତରଣ ନେଟୱର୍କକୁ ଆହୁରି ସୁଦୃଢ଼ କରିବା ଉପରେ ଆମେ ନିରନ୍ତର ଗୁରୁତ୍ୱ ଦେଉଛୁ।”
