Latest Odisha News

BREAKING NEWS

ଜେଲରୁ ଲେଖିଥିଲେ ଚିଠି; ଖୋଲା ଚିଠିରେ ଥିଲା ଯୁଦ୍ଧର ବାର୍ତ୍ତା

ସଂକ୍ରାନ୍ତରେ ଜନ୍ମ, ସଂକ୍ରାନ୍ତରେ ମୃତ୍ୟୁ । ସେଥିପାଇଁ ସେ ସଂକ୍ରାନ୍ତି ପୁରୁଷ । ସେ ହେଉଛନ୍ତି ଓଡ଼ଶା ଭାଷା ସାହିତ୍ୟର ସାରସ୍ୱତ କଥାକାର ବ୍ୟାସକବି ଫକୀରମୋହନ ସେନାପତି । ୧୮୪୩ ମସିହା ପବିତ୍ର ମକର ସଂକ୍ରାନ୍ତିରେ ଭୂମିଷ୍ଠ ହୋଇଥିଲେ କଥା ସମ୍ରାଟ ଫକିରମୋହନ ସେନାପତି । ୧୯୧୮ ମସିହା ରଜ ସଂକ୍ରାନ୍ତି ଦିନ ପରଲୋକ ଗମନ କରିଥିଲେ।

BjdElectrycity

କେନ୍ଦ୍ରାପଡାର କୁଶିଲାରୁ ଆସି ବାଲେଶ୍ୱର ଜିଲ୍ଲାର ମଲ୍ଲିକାଶପୁରରେ ରହୁଖିବା ବୀର ହନୁମଲ୍ଲଙ୍କ ବଶଂଧର । ରଣକ୍ଷେତ୍ରରେ ନିଜ ବୀରତ୍ୱ ପାଇଁ ମରହଟ୍ଟା ଶାସକଙ୍କ ଠାରୁ ହନୁମଲ୍ଲଙ୍କୁ ସେନାପତି ଉପାଧି ମିଳିଥିଲା। ମାତ୍ର ତାଙ୍କ ପଞ୍ଚମ ପିଢିର ଦାୟଦ ଫକିରମୋହନ  ଯୋଦ୍ଧା ନ ଥିଲେ ସତ ହେଲେ ବୈଦ୍ଧିକ ଲଢେଇରେ ସେ ଥିଲେ ଜଣେ ଯଥାର୍ଥ ସେନାପତି । ମାତୃଭାଷା ସୁରକ୍ଷା ସଂଗ୍ରାମର ସେ ଥିଲେ ମୁଖିଆ । ଓଡ଼ିଆ ଗଦ୍ୟ ସାହିତ୍ୟର ଦିଗବାରେଣୀ ଭାବେ ମଧ୍ୟ ସେ ଚିର ଅମର ।

ନାରୀ  ଶିକ୍ଷାର ପ୍ରସାର ପାଇଁ ବାଳିକା ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ଶଗଡ଼ରେ କଲିକତାରୁ ମୁଦ୍ରଣ ଯନ୍ତ୍ର ଆଣି ସମ୍ବାଦବାହିକା ନାମରେ ଖବରକାଗଜ ପ୍ରକାଶ କରିଥିଲେ। ନିଜ ସାରସ୍ୱତ ପ୍ରତିଭା, ଅପାର ପାଣ୍ଡିତ୍ୟ, ଓଡ଼ିଶା ପ୍ରୀତି ଓ ବିଭିନ୍ନ ଗଡ଼ଜାତରେ ଦେବାନ ଭାବେ ଦକ୍ଷତାର ସହ କା‌ର୍ଯ୍ୟ କରିଥିଲେ । ସେଥିପାଇଁ ସେ ଉତ୍କଳ ଗୌରବ ମଧୁବାବୁ, କବିବର ରାଧାନାଥ ରାୟ, ଉତ୍କଳ ମଣି ଗୋପବନ୍ଧୁ ଦାସ, ବ୍ରିଟିଶ ଅଧିକାରୀଙ୍କ ଭଳି ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କର ପ୍ରିୟପାତ୍ର ହୋଇପାରିଥିଲେ।

କେତେକ ବଙ୍ଗୀୟ ବ୍ୟକ୍ତି ଓଡ଼ିଆ ଭାଷାର ବିଲୋପ ପାଇଁ ଚକ୍ରାନ୍ତ କରିଥିବାବେଳେ ଫକିର ମୋହନ ଦୁର୍ବାର ସଂଗ୍ରାମ ଚଳାଇ ମାତୃଭାଷାକୁ ବଞ୍ଚାଇଥିଲେ । ବୁଦ୍ଧି ଓ କଲମ ମାଧ୍ୟମରେ ବିଦ୍ରୋହୀଙ୍କ ହାତରୁ ସେ କେମିତି ବଞ୍ଚିଥିଲେ ତାର ପ୍ରମାଣ ହେଉଛି ତାଙ୍କ ଆତ୍ମ ଚରିତ । ମେଳି ସର୍ଦାର ଧରଣାଧରଙ୍କ ଅନୁମତିକ୍ରମେ ବାଲେଶ୍ୱରରୁ ପାନଗୁଆ ମଗେଇବା ଛଳରେ ସେ ଲେଖିଥିଲେ ଏକ କୃତାର୍ଥପୂର୍ଣ୍ଣ ଚିଠି। ସେଥିରେ ଲେଖାଥିଲା- ‘ଭୋଳାନାଥ ଖମାରିଆ (ଖମାର ତତ୍ତ୍ୱାବଧାରକ) ଜାଣିବୁ, ମହାରାଣୀ ପୁତ୍ରଙ୍କ (ବିଦ୍ରୋହୀ ନେତା ଧରଣୀଧର) ସକାଶେ ନିତାନ୍ତ ଦରକାର, ଅତିଶୀଘ୍ର ଶହେ ହେଲେ ମଧ୍ୟ ପାନ, ଦୁଇଶହ ଗୁଆ ପଠାଇବୁ । ଉତ୍ତର ପଟୁ ମାହାରା କରି ଆଖୁ ବାଡିକୁ ଶୀଘ୍ର ପାଣି ବୁହାଇବୁ। ନୋହିଲେ ଆଖୁବାଡି ବିନାଶ ଯିବ ବୋଲି ଜାଣିବୁ । ଇତି। ଫକିରମୋହନ ସେନାପତି ।

ଚିଠି ଯାଇ ପହଞ୍ଚିଥିଲା ଆନନ୍ଦପୁରରେ ଅବସ୍ଥାନ କରୁଥିବା ରାଜାଙ୍କ ପାଖରେ। ଚିଠିଟିର ଅସଲ ଅର୍ଥ ଥିଲା ପାନ ଅର୍ଥ ସିପାହି, ଗୁଆ ଅର୍ଥ ଗୁଳି ଓ ଆଖୁ କିଆରି ହେଉଛି ରାଜବାଟୀ। ଉତ୍ତରପଟୁ ମାହାରା କରି ପାଣି ବୁହାଇବା ନିମନ୍ତେ ଲେଖିବା ଅନ୍ତରାଳରେ ଥିଲା ସିଂହଭୂମିରୁ ସୈନ୍ୟ ଆଣି ବିଦ୍ରୋହୀ ଦଳ ଉପରେ ଆକ୍ରମଣ କରିବା। ସତକୁ ସତ ଚିଠିଟି ଏମିତି କାମ କଲା ଯେ ଗୋରା ସରକାରଙ୍କ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ  ଆରମ୍ଭ ହେଲା। ବିଦ୍ରୋହ ଦମନ ପାଇଁ ଦଳବଳ ଧରି କେନ୍ଦୁଝରରେ ପହଞ୍ଚିଥିଲେ  ଚାଇଁବସାର ଡେପୁଟି କମିସନର ଏଚ ଡାଉସନ ସାହେବ।

ମାତ୍ର ସାହେବଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେବା ଯାଏ ଫକିରମୋହନ ଯେଉଁ ଆଶା ଓ ଆଶଙ୍କାରେ ରହିଲେ, ତାହା ହିଁ ଥିଲା ତାଙ୍କ ଧର୍ଯ୍ୟର ବଡ ପରୀକ୍ଷା। ସେ ଆତ୍ମ ଚରିତରେ ଲେଖିଛନ୍ତି- “ମୁଁ ସେମାନଙ୍କ ବାଟ ଚାହିଁ ଭୟରେ ଦିନ କାଟୁଥାଏ। ମନେମନେ ଭାବୁଥାଏ ମନ୍ତ୍ରୀ ବୁଦ୍ଧି ଓ ଭୂୟାଁ- ବୁଦ୍ଧି ବର୍ତ୍ତମାନ କଷାକଷି। ଶେଷରେ ଜିତାପଟ ହେଲା ମନ୍ତ୍ରୀ-ବୁଦ୍ଧିର ।

ପିଲାବେଳ

୧୩ ଜାନୁଆରୀ ୧୮୪୩ରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ମଲ୍ଲିକାଶପୁର ଗାଆଁର ଲକ୍ଷ୍ମଣ ଚରଣ ସେନାପତି ଓ ତୁଳସୀ ଦେବୀ ସେନାପତିଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଯେତେବେଳେ ଏକ ବର୍ଷ ପାଞ୍ଚ ମାସ ସେତେବେଳେ ତାଙ୍କ ପିତାଙ୍କର ମୃତ୍ୟୁ ଘଟିଲା । ଏହାର ମାତ୍ର ୧୪ ମାସ ପରେ ତାଙ୍କ ମାତା ମଧ୍ୟ ଈହଧାମ ତ୍ୟାଗ କରିଥିଲେ । ବାଲ୍ୟକାଳରୁ ତାଙ୍କ ଲାଳନପାଳନ ଜେଜେମା ସମ୍ଭାଳିଥିଲେ । ଫକୀରମୋହନଙ୍କ ପ୍ରକୃତ ନାମ ଥିଲା ବ୍ରଜମୋହନ । ବାଲ୍ୟକାଳରେ ସେ ପ୍ରାୟତଃ ଅସୁସ୍ଥ ରହୁଥିବାରୁ ତାଙ୍କ ଜେଜେ ତାଙ୍କୁ ଫକୀରମାନଙ୍କ ପାଖକୁ ନେଇଯାଉଥିଲେ । ସେହି ଫକୀରମାନଙ୍କ ସମ୍ମାନାର୍ଥେ ତାଙ୍କ ଜେଜେମା’ ତାଙ୍କ ନାଁ ବଦଳାଇ କରିଦେଲେ ଫକୀରମୋହନ। ଫକୀରଙ୍କର ଦାଦା ପୁରୁଷୋତ୍ତମ ସେନାପତି ଅତ୍ୟନ୍ତ ଇର୍ଷାପରାୟଣୀ ବ୍ୟକ୍ତି ଥିବାରୁ ପାଠ ପଢ଼ିବାକୁ ଅନୁମତି ଦେଉ ନ ଥିଲେ । ବାଲ୍ୟକାଳରେ ସବୁବେଳେ ଅସୁସ୍ଥ ରହୁଥିବାରୁ, ସେ ୯ବର୍ଷ ବୟସରେ ଫଳା ଶିଖିବା ଆରମ୍ଭ କରିଥିଲେ । ପାଠ ପଢ଼ି ପଇସା ଦେବାର କ୍ଷମତା ନ ଥିବାରୁ ସେ ଶିକ୍ଷକଙ୍କ ଘରେ କାମ କରି ପଢ଼ୁଥିଲେ  । ନିଜ ମାତୃଭାଷାରେ ଜ୍ଞାନ‌କୋଷ ଭରିବା ସ‌ହିତ ସେ ପାର୍ସୀ, ବଙ୍ଗାଳୀ ଓ ସଂସ୍କୃତ ଭାଷା ମଧ୍ୟ ଶିକ୍ଷା କରିଥିଲେ ।

ଉତ୍ତର ଜୀବନ :

ଶିକ୍ଷକତା କରିବା ସଙ୍ଗେ ସଙ୍ଗେ ସେ ଓଡ଼ିଆ, ଇଂରାଜୀ, ସଂସ୍କୃତ ଓ ବଙ୍ଗାଳୀ ଆଦି ଭାଷାରେ ଦକ୍ଷତା ହାସଲ କରିଥିଲେ ଓ ବିଭିନ୍ନ ଆଲୋଚନାମାନଙ୍କରେ ଭାଗ ନେଇ ବାଲେଶ୍ୱରର ବୁଦ୍ଧିଜୀବି ମହଲରେ ନିଜର ସ୍ୱତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିଥିଲେ । ବାରବାଟୀ ସ୍କୁଲରୁ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିବା ଫକୀରମୋହନ ପରବର୍ତ୍ତୀ ସମୟରେ ଖ୍ରୀଷ୍ଟୀଆନ ମିଶନ ସ୍କୁଲର ପ୍ରଧାନଶିକ୍ଷକ ରୂପେ ନିଜୁକ୍ତି ପାଇଥିଲେ । ସେହି ସମୟରେ ଓଡ଼ିଆ ଛାତ୍ରମାନେ ସମସ୍ତ ପାଠ ବଙ୍ଗଳାରେ ପଢ଼ୁଥିଲେ ।  ତେଣୁ ସେ ଓଡ଼ିଆରେ ବିଭିନ୍ନ ବିଷୟରେ ପାଠ୍ୟପୁସ୍ତକମାନ ରଚନା କରଥିଲେ । ଜଣେ ଗର୍ବିତ ଓଡ଼ିଆ ଭାବରେ ସେ ଓଡ଼ିଆରେ ପାଠ୍ୟପୁସ୍ତକ ସବୁକୁ ଅନୁବାଦ କରି ଓଡ଼ିଶାର ଏବଂ ଓଡ଼ିଆ ଭାଷାର ସମ୍ମାନ ବ‌ହୁତ ଉପରକୁ କରିଦେଇଥିଲେ ।

ସେ ମୁଖ୍ୟତଃ ଓଡ଼ିଆ ଉପନ୍ୟାସ ସାହିତ୍ୟର ସୃଷ୍ଟିକର୍ତ୍ତା ରୂପେ ସୁପରିଚିତ । ୧୮୯୭ରୁ ୧୯୧୫ ମଧ୍ୟରେ ରଚିତ ତାଙ୍କର ଚାରୋଟି ଉପନ୍ୟାସ – ’ଛ’ ମାଣ ଆଠ ଗୁଣ୍ଠ’, ’ମାମୁଁ’, ’ପ୍ରାୟଶ୍ଚିତ’ ଓ ’ଲଛମା’ ତତ୍କାଳୀନ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀର ଓଡ଼ିଶାର ସାମାଜିକ ଅବସ୍ଥାର ନିଚ୍ଛକ ଦର୍ପଣ । ଓଡ଼ିଆର ପ୍ରଥମ ଆତ୍ମଜୀବନୀର ମଧ୍ୟ ସେ ଥିଲେ ରଚୟିତା । ଏହାର ନାମ ଥିଲା ’ଆତ୍ମ ଜୀବନ ଚରିତ’ । ୧୮୬୦ରେ ଫକୀରମୋହନଙ୍କ ରଚିତ କ୍ଷୁଦ୍ରଗଳ୍ପ ’ଲଛମନିଆ’, ତାଙ୍କରି ଦ୍ୱାରା ସମ୍ପାଦିତ ଓ ବାଲେଶ୍ୱରରୁ ପ୍ରକାଶିତ ବୋଧଦାୟିନୀ ପତ୍ରିକାରେ ପ୍ରକାଶିତ ହୋ‍ଇଥିଲା । ୧୮୯୮ରେ ତାଙ୍କ ରଚିତ ’ରେବତୀ’ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇ ପ୍ରଥମ ଓଡ଼ିଆ ଗଳ୍ପର ମାନ୍ୟତା ପାଇଥିଲା ।

Leave A Reply

Your email address will not be published.