Latest Odisha News

BREAKING NEWS

ନେତାଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ, ଛାଟ ମାରିଲା କମିଶନରେଟ ପୋଲିସ

ଭୁବନେଶ୍ୱର: ନିର୍ବାଚନ ବେଳେ ନେତା ଏବଂ ରାଜନୈତିକ ଦଳ ନାଁରେ ଟିକା ଟିପ୍ପଣୀ। ତାପୁଣି ଆପତ୍ତିଜନକ। ଏପରି ସୋଶିଆଲ ମିଡିଆ ପୋଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ। କମିଶନରେଟ୍ ପୁଲିସ ଏପର୍ଯ୍ୟନ୍ତ ଭିଡିଓ, ଫଟୋ ଓ ବୟାନ ସମେତ ୨୪୯ଟି ପୋଷ୍ଟକୁ ଆପତ୍ତିଜନକ ବୋଲି ଦର୍ଶାଇ ସେମାନଙ୍କୁ ସୋସିଆଲ ମିଡିଆରୁ ହଟାଇବା ପାଇଁ ନୋଟିସ୍ ଜାରି କରିଛି।

ଏଭଳି ପୋଷ୍ଟକୁ ଡିଲିଟ୍ କରିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସୂଚନା ଦେଇ ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆପତ୍ତିଜନକ ପୋଷ୍ଟ ଉପରେ ନଜର ରଖିବା ପାଇଁ ଭୁବନେଶ୍ୱର ଓ କଟକରେ ସୋସିଆଲ ମିଡିଆ ସେଲ୍ ରହିଛି।

କେବଳ ଭୁବନେଶ୍ୱରରେ ଥିବା ସେଲ୍ ପକ୍ଷରୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ୨୪୯ଟି ସୋସିଆଲ ମିଡିଆ ପୋଷ୍ଟକୁ ହଟାଇବା ପାଇଁ ନୋଟିସ ଜାରି କରାଯାଇଛି। ଏହି ପୋଷ୍ଟଗୁଡ଼ିକ ମଧ୍ୟରେ ୬୮ଟି ଫେସବୁକ୍ ପୋଷ୍ଟ, ୧୪୪ଟି ଇନଷ୍ଟାଗ୍ରାମ ପୋଷ୍ଟ ଏବଂ ୩୭ଟି ଏକ୍ସ ପୋଷ୍ଟ ରହିଛି। ୪ଟି ପୋଷ୍ଟ ଏଥିମଧ୍ୟରୁ ଲୋକଙ୍କ ଦ୍ବାରା ଆସିଥିଲା।

ସୋସିଆଲ ମିଡିଆ ସେଲ ୧୧୦ଟି ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ସକ୍ରିୟ ନଜର ରଖିଥିଲା । ଏବେ ଏକ ହ୍ଵାଟ୍ସଆପ୍ ନମ୍ବର ମଧ୍ୟ ଜାରି ହୋଇଛି। ଯଦି ଲୋକମାନେ ସେହି ନମ୍ବର ବ୍ୟବହାର କରି କିମ୍ବା ଇମେଲ୍ ମାଧ୍ୟମରେ ସେମାନଙ୍କ ଅଭିଯୋଗ ପଞ୍ଜୀକରଣ କରନ୍ତି, ତେବେ ଟିମ୍ ଆବଶ୍ଯକ ପଦକ୍ଷେପ ଗ୍ରହଣ କରିବ।

ଉଲ୍ଲେଖଯୋଗ୍ୟ, ନିର୍ବାଚନ ପୂର୍ବରୁ ଏପରି ସବୁ ପୋଷ୍ଟ ଉପରେ ନଜର ରଖିବାକୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା କମିଶନରେଟ ପୋଲିସ। ଯିଏକି ୨୪ ଘଣ୍ଟା ନେତାଙ୍କ ସମ୍ମାନକୁ କ୍ଷତି ପହଁଚାଇଲା ଭଳି କିମ୍ବା ବ୍ୟକ୍ତଗତ ଟିକା ଟିପ୍ପଣୀର ପୋଷ୍ଟ ଉପରେ ଅନୁଧ୍ୟାନ କରୁଛି।

Leave A Reply

Your email address will not be published.