Latest Odisha News

କେଉଁଠି ଜନ୍ମ ହୋଇଥିଲେ ହନୁମାନ ? କର୍ଣ୍ଣାଟକ ନା ଆନ୍ଧ୍ରପ୍ରଦେଶ…

ହାଇଦ୍ରାବାଦ: କେଉଁଠି ଜନ୍ମ ହୋଇଥିଲେ ପ୍ରଭୁ ଶ୍ରୀରାମଙ୍କ ଭକ୍ତ ହନୁମାନ । ପ୍ରଭୁ ହନୁମାନଙ୍କ ଜନ୍ମ ସ୍ଥାନକୁ ନେଇ ଦକ୍ଷିଣ ଭାରତର ଦୁଇ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ମଧ୍ୟରେ ଏବେ ବି ବିବାଦ ଲାଗି ରହିଛି । ଦୁଇ ରାଜ୍ୟର ଲଢ଼େଇ ଭିତରେ ଗୋଟିଏ ପଟେ ଆନ୍ଧ୍ରର ତିରୁପତି ଦେବସ୍ଥାନମ ରହିଥିବା ବେଳେ ଅନ୍ୟ ପଟେ ରହିଛି କର୍ଣ୍ଣାଟକ କିଷ୍କିନ୍ଧାର ଶ୍ରୀ ଆଞ୍ଜେନୟ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ।

କର୍ଣ୍ଣାଟକର ଦାବି ଅନୁସାରେ, ହମ୍ପିରୁ ପ୍ରାୟ ୨୫ କିଲୋମିଟର ଦୂର ଅନେଗୁଣ୍ଡି ଗାଁର କିଷ୍କିନ୍ଧା ନଗରରେ ଜନ୍ମ ହୋଇଥିଲେ ପବନ ପୁତ୍ର ହନୁମାନ । ଅନ୍ୟପଟେ ଟିଟିଡି ତିରୁମାଳାର ଆଞ୍ଜନେୟ ପାହାଡ଼ରେ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁବିଧା ଲାଗି ନିର୍ମାଣ ପାଇଁ ଭୂମି ପୂଜନ କରିଥିବା ବେଳେ ବିରୋଧ କରି ଆନ୍ଧ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କର୍ଣ୍ଣାଟକର ହନୁମାନ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ । ଗତବର୍ଷ କୋର୍ଟ ନିର୍ମାଣ ଉପରେ ରହିତାଦେଶ ଦେଇଥିଲେ, ଯାହା ଏବେବି ବଳବତ୍ତର ରହିଛି ।

ତେବେ ହନୁମାନଙ୍କ ଜନ୍ମ ସ୍ଥାନ କିଷ୍କିନ୍ଧା ବୋଲି କର୍ଣ୍ଣାଟକ ଦାବି କରିବା ସହ ଅନେକ ପ୍ରମାଣ ଦେଉଥିବା ବେଳେ ଆନ୍ଧ୍ର କହିଛି, ହନୁମାନଙ୍କ ଜନ୍ମ ସ୍ଥାନ ତିରୁମାଳର ୭ ପାହାଡ଼ ମଧ୍ୟରୁ ଅଞ୍ଜନାଦ୍ରି ପାହାଡ଼ରେ । ଅଞ୍ଜନାଦ୍ରୀ ପାହାଡ଼ରେ ପବନ ପୁତ୍ର ଜନ୍ମ ହୋଇଥିବା ବେଳେ କିଷ୍କିନ୍ଧା ତାଙ୍କର କର୍ମସ୍ଥଳୀ ଥିଲା ବୋଲି ଟିଟିଡି ଦାବି କରିଛି ।

ତେବେ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶକୁ ବାଦ ଦେଲେ ଗୁଜରାଟ, ଝାଡ଼ଖଣ୍ଡ, ହରିୟାଣା, ମହାରାଷ୍ଟ୍ରରୁ ମଧ୍ୟ ଦାବି ହୁଏ ସେଠାରେ ଜନ୍ମ ଗ୍ରହଣ କରିଥିଲେ ହନୁମାନ । ତେବେ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ଦାବିକୁ ବାଦ୍ ଦେଲେ ଅନ୍ୟମାନଙ୍କ ପାଖରେ ଦାବି ସମ୍ବଳିତ ସେଭଳି କିଛି ତଥ୍ୟ ଓ ପ୍ରମାଣ ନାହିଁ ।

Comments are closed.