Latest Odisha News

ରାଜ୍ୟ ପ୍ରଶାସନକୁ ଧର୍ମେନ୍ଦ୍ରଙ୍କ କଟାକ୍ଷ: ପୂର୍ବପୁରୁଷଙ୍କୁ ସମ୍ମାନ ନ କଲେ ନାହିଁ ଅସମ୍ମାନ କରନି 

ଭୁବନେଶ୍ୱର:  ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ବିବାଦକୁ ନେଇ ରାଜ୍ୟ ପ୍ରଶାସନ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଶାସନ ପୂର୍ବପୁରଷଙ୍କୁ ସମ୍ମାନ ନ ଦେଲେ ନାହିଁ, ଅସମ୍ମାନ କରନ୍ତୁ ନାହିଁ ବୋଲି କ୍ଷୋଭର ସହ କହିଛନ୍ତି ।

BjdElectrycity

ଏକ ଟ୍ୱିଟ କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଅନୁଗୋଳର ଗୋପବନ୍ଧୁ ପାର୍କରେ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନା ନେଇ ଉପୁଜିଥିବା ବିବାଦ ଦୁଃଖଦାୟକ । ଓଡ଼ିଶାର ମହାନ ବିଭୂତିଙ୍କ ପ୍ରତିମୂର୍ତ୍ତି ସ୍ଥାପନା ବେଳେ ପ୍ରଶାସନ ଅଧିକ ସମ୍ବେଦନଶୀଳ ଓ ଯତ୍ନବାନ ହେବା ଆବଶ୍ୟକ । ଅନୁଗୋଳ ପ୍ରଶାସନ ଦ୍ୱାରା ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ବାରମ୍ବାର ବିକୃତ ପ୍ରତିମୂର୍ତ୍ତି ସ୍ଥାପନ ଲୋକଙ୍କୁ ଆଘାତ ଦେଇଛି ।

ପ୍ରଶାସନ ଯଥାଶୀଘ୍ର ସ୍ୱର୍ଗତ ଚୌଧୁରୀଙ୍କ ପରିବାର ଓ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବରପୁତ୍ରଙ୍କ ସଠିକ୍ ପ୍ରତିମୂର୍ତ୍ତି ନିର୍ମାଣ କରି ପୁନଃସ୍ଥାପନ କରିବା ସହ ଯଥୋଚିତ ସମ୍ମାନ ଦେବା ଉଚିତ୍ । ଓଡ଼ିଶା ପ୍ରଶାସନ ପୂର୍ବପୁରୁଷଙ୍କୁ ସମ୍ମାନ କରନ୍ତୁ କିମ୍ବା ନ କରନ୍ତୁ କିନ୍ତୁ ଅସମ୍ମାନ କରନ୍ତୁ ନାହିଁ ବୋଲି କ୍ଷୋଭର ସହ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

ସୂଚନାଥାଉ କି, ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କର ଏକ ପ୍ରତିମୂର୍ତ୍ତି ଅନଗୁଳ ଗୋପବନ୍ଧୁ ପାର୍କରେ ସ୍ଥାପନ କରାଯାଇଥିଲା । ହେଲେ ଏହି ପ୍ରତିମୂର୍ତ୍ତିରେ ନବକୃଷ୍ଣ ପ୍ୟାଣ୍ଟସର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଏହାକୁ ବିରୋଧ କରାଯିବା ପରେ ଏହାର ପରିଧାନ ବଦଳିଥିଲା । ତଥାପି ସେଥିରେ ତ୍ରୁଟି ରହି ଯାଇଥିଲା । ପ୍ୟାଣ୍ଟସର୍ଟ ବଦଳରେ ଧୋତି ପିନ୍ଧାଇଥିଲେ । କିନ୍ତୁ ତାହା ନବକୃଷ୍ଣ ପିନ୍ଧିବା ପରି ନ ଥିଲା । ଧୋତି ପାଦଯାଏ ଲମ୍ବିଥିଲା । ଏହାକୁ ନେଇ ପୁଣିବ ବିବାଦ ଉଠିବାରୁ ଏହାକୁ ସେହି ସ୍ଥାନରୁ ଉଠାଇ ନେଇଥିଲେ ଅନୁଗୁଳ ମ୍ୟୁନିସିପାଲଟି କର୍ତ୍ତୃପକ୍ଷ ।

ଜୀବନରେ ଖଦୀ ଧୋତି ବ୍ୟତୀତ ଅନ୍ୟକିଛି ପିନ୍ଧି ନ ଥିବା ନବକୃଷ୍ଣ ଚୌଧୁରୀଙ୍କୁ ସୁଟ, ବୁଟ ପିନ୍ଧାଇଲେ । ବିରୋଧ ହେବାରୁ ତାକୁ ବଦଳାଇ ଧୋତି ପିନ୍ଧାଇଲେ । ସେ ବି ଠିକ ଭାବେ ପିନ୍ଧାଇଲେନି । ଏମିତି ଧୋତି ପିନ୍ଧାଇଲେ ଯେ ତାକୁ ନେଇ ବି ଅସନ୍ତୋଷ ଦେଖା ଦେଇଛି । ଜାଣି ଶୁଣି ବାରମ୍ବାର ନବକୃଷ୍ଣ ଚୌଧୁରୀଙ୍କୁ ଅପମାନିତ କରାଯାଉଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ଆସିଥିଲା । ଏପରିକି ନବକୃଷ୍ଣଙ୍କ ପରିବାର ସଦସ୍ୟ ମଧ୍ୟ ଏହାକୁ ବିରୋଧ କରିଥିଲେ ।

 

Leave A Reply

Your email address will not be published.