ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ଅନେକ ଦିନ ପରେ ନବଘନ ପାହାଡ଼ସିଂହ ଆସିଥିଲା ଗାଁକୁ। ଗତ ଦଶ ବର୍ଷ ହେଲାଣି ସେ ଗାଁରୁ ଦୂରରେ ରହୁଛି। ଯେବେଠାରୁ କେନ୍ଦ୍ର ସରକାରଙ୍କ ସଂସ୍ଥାରେ କାମ କଲାଣି, ସେବେଠୁ ତାର କାର୍ଯ୍ୟକ୍ଷେତ୍ର କେତେବେଳେ କେଉଁଠି ପଡୁଛି। କହିବାକୁ ଗଲେ ଦେଶର ବିଭିନ୍ନ ସହରରେ ସେ କାମ କରିସାରିଲାଣି। ପାଞ୍ଚବର୍ଷ ତଳେ ତାର ବାହାଘର ହୋଇଥିଲା। ତାର ଦି ବର୍ଷ ପରେ ଜନ୍ମ ହେଇଥିଲା ନବଘନର ଝିଅ। ସେତେବେଳକୁ ସେ ରହୁଥିଲା କଲିକତାରେ। ସ୍ତ୍ରୀ ତନୁଜାର ଡେଲିଭେରି ବେଳେ ପାଖରେ କେହି ନଥିଲେ। ଶାଶୂ ତ କୋଉ କାଳୁ ଚାଲି ଯାଇଥିଲେ। ଆଉ ନବଘନର ମାଆ ରୋଗରେ ପଡ଼ିଥିବାରୁ ଯାଇପାରିଲେ ନାହିଁ। ତେଣୁ ବାଧ୍ୟ ହୋଇ ନବଘନ ଡାକ୍ତରଖାନାର ସହାୟତାରେ ହିଁ ସବୁକିଛି କରିଛି। ଅବଶ୍ୟ ଏଥିପାଇଁ ତାକୁ ବହୁତ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଛି। କିନ୍ତୁ ତା ଛୁଆ ଓ ଛୁଆର ମାଆ ଉଭୟେ ସୁସ୍ଥ ଓ ସୁରୁଖୁରୁରେ ଘରକୁ ଫେରିଛନ୍ତି। ମାର୍ଗଶୀର ଗୁରୁବାର ଦିନ ଝିଅ ଜନ୍ମ ହୋଇଥିବାରୁ ସେ ତା ନାଁ ରଖିଥିଲା ପଦ୍ମାଳୟା। ଘରକୁ ମାଆ ଲକ୍ଷ୍ମୀ ଆସିଛନ୍ତି।
କଥାଟା ପ୍ରକୃତରେ ସତ। ନବଘନର ଝିଅ ଜନ୍ମ ହେଲା ପରେ ତାର ପଦୋନ୍ନତି ହୋଇଛି। ଦରମା ଢେର୍ ବଢ଼ିଛି। ତାର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହୋଇପାରିଛି। ତେଣୁ ସେ କହେ, ତା ଝିଅ ତା ପାଇଁ ଶୁଭ। ସବୁଦିନ ଘରୁ ଅଫିସ୍ ବାହାରିବା ପୂର୍ବରୁ ସେ ତା ଝିଅକୁ ଥରେ ନିଶ୍ଚିତ ଦେଖିକି ଯାଏ। ଝିଅର ପ୍ରଥମ ଜନ୍ମଦିନ ବା ପ୍ରଥମ ସ୍ୱନକ୍ଷତ୍ର କରିବା ପାଇଁ ସେ ଗାଁକୁ ଯିବାକୁ ଚାହୁଁଥିଲା। କିନ୍ତୁ ସେ ସମୟରେ ଅଫିସରୁ ଛୁଟି ମିଳିଲା ନାହିଁ। ତେଣୁ ଘରେ ହିଁ ପାଖ ପଡ଼ୋଶୀଙ୍କୁ ଡାକି ଜନ୍ମଦିନ ପାଳିଥିଲା ନବଘନ। ଝିଅର ଜନ୍ମଦିନ କଥା ଭାବିଲା ବେଳେ ତା ଆଖି ଆଗରେ ନାଚି ଯାଉଥିଲା ତା ପିଲାଦିନ କଥା। ତା ଜନ୍ମଦିନ ଆସିଲେ କେମିତି ମାଆ ତାକୁ ଗାଁ ପୋଖରୀରେ ସକାଳୁ ସକାଳୁ ଗାଧୋଇ ଦେଇ ମୁଣ୍ଡରେ ଟିପା ଟିପା ଚନ୍ଦନ ଲଗାଇ, ନୂଆ ଅଙ୍ଗିପଟା ପିନ୍ଧାଇ ମନ୍ଦିରକୁ ନେଉଥିଲା। ଗାଁ ମୁଣ୍ଡରେ ଥିବା ମହାପ୍ରଭୁ ଲଙ୍ଗଳେଶ୍ୱରଙ୍କ ପାଖରେ ଅଭିଷେକ କରାଉଥିଲା। ମହାଦେବଙ୍କ ଦର୍ଶନ ପରେ ମାଆର ବାକି ଦିନଯାକ ପାଇଁ ଆରମ୍ଭ ହୋଇଯାଉଥିଲା କାମ। ପ୍ରଥମେ ହାଣ୍ଡିଏ କ୍ଷୀରି ରାନ୍ଧୁଥିଲା ମାଆ। ତା ପରେ ଦି ତିନି ପ୍ରକାରର ପିଠା କରୁଥିଲା। ଘର ଈଶାଣ ଆଗରେ ନବଘନକୁ ବସାଇ ପୁଣିଥରେ ବନ୍ଦାପନା କରୁଥିଲା ମାଆ। ଖାଲି ସେତିକି ନୁହେଁ, ସାହି ପଡ଼ିଶାରେ ଅନ୍ୟ ସ୍ତ୍ରୀ ଲୋକମାନେ ବି ଆସୁଥିଲେ। ଥାଳିରେ ଦୀପ ସଜାଇ ନବଘନକୁ ବନ୍ଦାପନା କରୁଥିଲେ ସେମାନେ। ତା ପରେ ସେ ସମସ୍ତଙ୍କୁ ପାଦ ଛୁଇଁ ଜୁହାର ହେଉଥିଲା। ଉପହାର ବୋଲି କିଛି ନଥିଲା। କିନ୍ତୁ କିଏ ତାକୁ ଗେଲରେ କୋଳେଇ ନେଉଥିଲା ତ, ଆଉ କିଏ ତା ଗାଲରେ ବୋକ ଦେଇ ଗେଲା କରିଦେଉଥିଲା।
ନବଘନର ସାଙ୍ଗସାଥୀ ସମସ୍ତେ ଆସୁଥିଲେ। ମାଆ ସେମାନଙ୍କୁ କ୍ଷୀରି, ପିଠା ସବୁ ଖାଇବାକୁ ଦେଉଥିଲା। ସମସ୍ତେ ଖୁସିରେ ଖାଇଦେଇ ଅନେକ ସମୟ ଯାଏଁ ଖେଳୁଥିଲେ ନବଘନ ସାଙ୍ଗରେ। ନବଘନ ଯେତେ ବଡ଼ ହେଉଥିଲା, ତା ବୟସଠୁ ଗୋଟିଏ ଅଧିକ ଦୀପ ଜାଳୁଥିଲା ମାଆ। ମାନେ ଯଦି ତା ବୟସ ଦଶ ବର୍ଷ, ତାହେଲେ ମାଆ ଜଳାଉଥିଲା ଏଗାରଟି ଦୀପ। ବାପା କହୁଥିଲେ, ଏ ଯେଉଁ ଗୋଟିଏ ଅଧିକା ଦୀପ ଜଳାଯାଉଛି, ସେଇଟା ତୋ ଜୀବନର ନୂଆ ବର୍ଷଟିଏ ପାଇଁ। ଏମିତି ପ୍ରତିବର୍ଷ ଗୋଟିଏ ଗୋଟିଏ ଅଧିକ ଦୀପ ଜାଳି, ତୋ ଭବିଷ୍ୟତକୁ ଉଜ୍ୱଳ କରିବା ପାଇଁ ଠାକୁରଙ୍କ ପାଖରେ ମାଆ ଏ ଦୀପ ଜଳାଉଛି। ମନେ ମନେ ଖୁବ୍ ଖୁସି ହେଉଥିଲା ନବଘନ। ତାକୁ ଲାଗୁଥିଲା, ଏଭଳି ଜନ୍ମଦିନ ବୋଧେ ଆଉ କେଉଁଠି ପାଳନ ହେଉନଥିବ। ତା ଗାଁରେ ହିଁ ରହିଛି ଏମିତି ପରମ୍ପରା। କିନ୍ତୁ ପ୍ରକୃତ ପକ୍ଷେ ଏଭଳି ଜନ୍ମଦିନ ପାଳନ କରିବା ପରମ୍ପରା ପ୍ରାୟ ଗାଁର ପ୍ରତି ଘରେ ରହିଛି।
ଏତେ ସବୁ କଥା ଭାବିଲା ବେଳେ ନବଘନକୁ ମନେ ପଡ଼ିଲା ତା’ ମାଆ। ଗତବର୍ଷ ବିଶ୍ୱମହାମାରୀ ଯେତେବେଳେ ଶୀର୍ଷରେ ଥିଲା, ସେତେବେଳେ ସେ ଚାହିଁଲେ ବି ଘରକୁ ଆସିପାରୁନଥିଲା। ସେହି ସମୟରେ ହିଁ ରୋଗରେ ପଡ଼ିଥିବା ନବଘନର ମାଆ ଚାଲିଗଲା ଆରପାରିକୁ। ଯେହେତୁ ପୂରା ଦେଶରେ ଲକ୍ ଡାଉନ୍ ଚାଲିଥିଲା, ଗାଡ଼ି ଘୋଡ଼ା ମୋଟର କିଛି ବି ଯିବା ଆସିବା କରୁନଥିଲେ, ତେଣୁ ମାଆର ଅନ୍ତ୍ୟେଷ୍ଟିରେ ଯୋଗ ଦେବା ତ ଦୂରର କଥା, ତା ଶେଷ ଦର୍ଶନରୁ ବି ବଞ୍ଚିତ ହୋଇଥିଲା ନବଘନ। ତାର ଗୋଟିଏ ଦୁଃଖ, ତା ପଦ୍ମାଳୟାକୁ ଦେଖିପାରିଲାନି ତା ମାଆ। ମହାମାରୀ କାରଣରୁ ଦ୍ୱିତୀୟ ଜନ୍ମଦିନ ପାଳନ କରିବାକୁ ଝିଅକୁ ନେଇ ଗାଁକୁ ଆସିପାରିଲାନି ନବଘନ। ହେଲେ ଏଇ ମାର୍ଗଶୀର ଗୁରୁବାରକୁ ପଦ୍ମାଳୟାକୁ ତିନିବର୍ଷ ହେବ। ନବଘନ ଚାହୁଁଛି, ଝିଅକୁ ନେଇ ଗାଁକୁ ଯିବ। ଜନ୍ମହେଲାଠୁ ତା ଝିଅକୁ ଗାଁରେ କେହି ଦେଖିନାହାନ୍ତି। ତେଣୁ ମନରେ କେତେ କଣ ଭାବି ଗାଁକୁ ବାହାରି ପଡ଼ିଲା ନବଘନ ଝିଅ ପଦ୍ମାଳୟା ଓ ପତ୍ନୀ ତନୁଜାକୁ ସାଙ୍ଗରେ ନେଇ।
ଗାଁରେ ପହଞ୍ଚିବା କ୍ଷଣି, ଗାଁ ମୁଣ୍ଡରେ ଥିବା ପ୍ରଭୁ ଲଙ୍ଗଳେଶ୍ୱରଙ୍କ ପାଖରେ ଝିଅକୁ ମୁଣ୍ଡିଆ ମରାଇ ଘରକୁ ନେଲା ନବଘନ। ଘରେ ପଶିଲା ବେଳକୁ ଦୁଆର ମୁହଁରେ ବସିଥିଲେ ତା ବାପା। ଝିଅକୁ ବାପାଙ୍କ ହାତକୁ ବଢ଼େଇ ଦେଇ ଭୋ କିନା କାନ୍ଦି ଉଠିଲା ନବଘନ। ତାକୁ ଲାଗିଲା, ମାଆ ଥିଲେ ଘରୁ କାଞ୍ଜିପାଣି ତୋରାଣି ଗିନାଏ ଆଣି ତାକୁ, ତା ଝିଅକୁ ଓ ତନୁଜାକୁ ଆଉଳେଇ ଦେଇ ଥାଆନ୍ତା। ବାଟରେ କାଳେ କାହାର କୁଦୃଷ୍ଟି ପଡ଼ିଥିବ, ବା କୌଣସି ଭୂତ ପିଶାଚ ବା ଚିଲ ଚିରୁଗୁଣୀର ନଜର ପଡ଼ିଥିବ, ତାକୁ ଦୂରେଇବା ପାଇଁ ଗାଁରେ ଥିବା ପ୍ରତି ମାଆର ଏଇଟା ଏକ ଉପାୟ ଏବଂ ଅକାଟ୍ୟ ବିଶ୍ୱାସ। ତେବେ ସେସବୁ କିଛି ହେଲାନି। ଦୁଆର ମୁହଁରୁ ହିଁ ମାଆର ଅନୁପସ୍ଥିତିକୁ ଅନୁଭବ କରିପାରୁଥିଲା ନବଘନ। ପରଦିନ ଝିଅର ଜନ୍ମଦିନ। ସେଥିପାଇଁ ତା ପିଲାଦିନ ଭଳି ଜନ୍ମଦିନ ପାଳନ ପାଇଁ ସେ ସମସ୍ତ ବନ୍ଦୋବସ୍ତ କରିଲା। ତନୁଜାକୁ କହି କ୍ଷୀରି ରାନ୍ଧିଲା, ପିଠା କରେଇଲା। ଝିଅକୁ ନେଇ ଗାଁ ପୋଖରୀରେ ଗାଧୋଇ ମହାଦେବଙ୍କ ଦର୍ଶନ କରାଇଲା। ଗାଁରେ ପ୍ରଥମ ଥର ପାଇଁ ଝିଅର ଜନ୍ମଦିନ ପାଳନ କରୁଥିବାରୁ, ନବଘନ ଗାଁ ମନ୍ଦିରର ପୂଜାରୀଙ୍କୁ କହି ସମ୍ପର୍କୀୟ ଓ ପରିବାର ଲୋକଙ୍କ ପାଇଁ ପ୍ରସାଦ ସେବନର ବି ବ୍ୟବସ୍ଥା କରାଇଥିଲା। ତନୁଜା ଓ ନବଘନ ଘରଘର ବୁଲି ସମସ୍ତଙ୍କୁ ନିମନ୍ତ୍ରଣ ବି କରିଥିଲେ ଝିଅର ଜନ୍ମଦିନ ପାଇଁ। ମନ୍ଦିରରେ ଓ ଘରେ ପୂଜା କଥା କହିଥିଲେ ସମସ୍ତଙ୍କୁ। ପ୍ରସାଦ ସେବନ ପାଇଁ ନିଉତା ଦେଇଥିଲେ।
କିନ୍ତୁ ବିଡ଼ମ୍ୱନା, ଜଣେ ଦି ଜଣ ମାଆ ବୟସର ବୟସ୍କ ସ୍ତ୍ରୀ ଲୋକ ଓ ବାପାଙ୍କ ବୟସର ପୁରୁଷ ଲୋକଙ୍କୁ ଛାଡ଼ି ଦେଲେ ଆଉ କେହି ଆସିଲେନି ପଦ୍ମାଳୟାର ଜନ୍ମଦିନ ପାଇଁ। ଘର ଘର ବୁଲି ଡାକିଥିବା ସତ୍ତ୍ୱେ ନା କେହି ତା ଘରକୁ ଆସିଲା ନା ମନ୍ଦିରକୁ। କଥାଟା ଭାରି ବାଧିଲା ନବଘନକୁ। ଛୋଟ ଛୋଟ ପିଲାଙ୍କ ତ ଦର୍ଶନ ହିଁ ନଥିଲା। ନବଘନ ବଡ଼ ଉତ୍କଣ୍ଠା ଓ ଆଶ୍ଚର୍ଯ୍ୟର ସହ ଖୋଜୁଥିଲା ଏହାର କାରଣ।
ବୁଝୁ ବୁଝୁ ଜଣାପଡ଼ିଲା, ତା ଘରର ବାରିପଟ ସାହିରେ ରହୁଥିବା ବିଜୟ ରଣସିଂହର ପୁଅର ଜନ୍ମଦିନ ବି ଆଜି। ସେଥିପାଇଁ ସେ ସହରରୁ ଗୋଟିଏ ପାଞ୍ଚ କିଲିଆ କେକ୍ ମଗେଇଛି। ରାତିରେ ସାହି ଲୋକଙ୍କ ପାଇଁ ଭୋଜିର ଆୟୋଜନ ବି କରିଛି। ଏଥିପାଇଁ ଫୁଲବାଣୀରୁ ସ୍ୱତନ୍ତ୍ର ଖାସି ଅଣାଯାଇଛି। ବିରିୟାନୀ ସାଙ୍ଗକୁ ମଟନ୍ ହେବ। କେକ୍ କଟା ହେବ। ଆହୁରି କେତେ କ’ଣ କାର୍ଯ୍ୟକ୍ରମ। ଖାଲି ସାହି ଲୋକ ନୁହନ୍ତି, ଆଖ ପାଖ ଗାଁର କୁଣିଆ ମୈତ୍ର ବି ଆସିଛନ୍ତି ତା ପୁଅ ଜନ୍ମଦିନ ପାର୍ଟିରେ ଯୋଗଦେବା ପାଇଁ। ନବଘନ ମନେ ମନେ ଭାବିଲା, ମୁଁ କ’ଣ ଏ ସବୁ ଆୟୋଜନ କରିପାରିନଥାନ୍ତି ମୋ ପଦ୍ମାଳୟାର ଜନ୍ମଦିନ ପାଇଁ। ହେଲେ ମୁଁ ତ ଚାହୁଁଥିଲି ଝିଅର ମଙ୍ଗଳ ମନାସି ମହାଦେବଙ୍କ ପ୍ରସାଦ ସମସ୍ତଙ୍କୁ ଖୁଆଇବା ପାଇଁ। ଏକ ଅବସାଦ ଓ ଅବସୋସ ଭରା ହସ ଫୁଟି ଉଠିଲା ତା ମୁହଁରେ। ସେ ମନେ ମନେ ଭାବିଲା, ହଁ ଯେଉଁଠି ବିରିୟାନୀ ସାଙ୍ଗକୁ ମଟନ୍ ଅଛି, ସେଇଠି ଅନ୍ନ, ଡାଲମା, କାନିକା, ବେସର, ମହୁର, ଖଟାକୁ କିଏ ପଚାରୁଛି? ମହାଦେବଙ୍କ କଥା କିଏ ଚିନ୍ତା କରୁଛି? ତା ଛଡ଼ା ନିଜ ପିଲାର ଜନ୍ମଦିନରେ କେହି କଣ ଗୋଟିଏ ନୀରିହ ପଶୁକୁ ବଳି ଦେଇପାରେ? ଯେଉଁଠି ଆମେ ଆମ ପିଲାର ମଙ୍ଗଳ ମନାସୁଛନ୍ତି, ସେଇଠି ଆଉ ଗୋଟିଏ ଜୀବର ଜୀବନ ନେବା କେତେଦୂର ଯଥାର୍ଥ? ଏଇ କଥା ଭାବିବା ପରେ ଟିକିଏ ହାଲୁକା ହୋଇଯାଇଥିଲା ନବଘନ। ଆଉ ନିଶ୍ଚୟ କରିଥିଲା ଯେ, ସ୍ଥିତି ଯାହା ବି ହେଇଯାଉନା କାହିଁକି, ସେ ପ୍ରତିବର୍ଷ ତା ଝିଅର ଜନ୍ମଦିନ, ତା ମାଆ ଭଳି ପାଳିବ। ଗୋଟିଏ ଅଧିକ ଦୀପ ଜାଳି ତାକୁ ସେ ବନ୍ଦାପନା କରିବ ଆଉ ତା ଉଜ୍ୱଳ ଭବିଷ୍ୟତ ପାଇଁ ସେ ମହାପ୍ରଭୁ ଲଙ୍ଗଳେଶ୍ୱରଙ୍କୁ ପ୍ରାର୍ଥନା କରିବା ।
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ଫୋନ୍- ୯୯୩୭୨୫୨୪୬୪
Comments are closed.