Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ଓଡ଼ିଶା ବିଜେପି ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ତୁଟୁନି ଘର କଳି । ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ କେଳେଙ୍କାରୀ ନେଇ ବିରୋଧୀ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଥିବା ନେଇ ବିଜେଡି କାଉଣ୍ଟର କରିଛି । ଆଜି ପ୍ରେସମିଟ୍ କରି ବିଜେଡି କହିଛି, ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଗତ କିଛିଦିନ ହେଲା ରାଜ୍ୟ ବିଜେପି ନେତାମାନଙ୍କଠୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଓଡ଼ିଶାବାସୀଙ୍କୁ ଭ୍ରମିତ କରି ଆସୁଛନ୍ତି ।

ଅତୀତରେ ଓଡ଼ିଶାର ବିଜେପି ସାଂସଦ ଏବଂ ଓଡ଼ିଶାରୁ ଯାଇଥିବା ଜଣେ ନିର୍ଦ୍ଦିଷ୍ଟ କେନ୍ଦ୍ରମନ୍ତ୍ରୀ ଷଡ଼ଯନ୍ତ୍ର କରି ଲକ୍ଷ ଲକ୍ଷ ଗରିବ ଓଡ଼ିଆ ହିତାଧିକାରୀଙ୍କୁ ତିନି ବର୍ଷ କାଳ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାରୁ ବଞ୍ଚିତ କରିଥିବା ବେଳେ ଏବେବି ଏଭଳି ଷଡ଼ଯନ୍ତ୍ର ଜାରି ରଖିଛନ୍ତି । ଶଙ୍ଖ ଭବନରେ ସାମ୍ୱାଦିକ ସମ୍ମିଳନୀକୁ ସମ୍ୱୋଧିତ କରି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଥିଲେ, ଖାଦ୍ୟ ଓ ବସ୍ତ୍ର ଭଳି ବାସ ଗୃହ ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା ।

ପ୍ରତ୍ୟେକ ଲୋକର ସ୍ୱପ୍ନ ଥାଏ ନିଜ ପାଇଁ ଘରଟିଏ ତୋଳିବ । ମାତ୍ର ବିଡ଼ମ୍ୱନା ହେଲା, ଯେତେବେଳେ ଓଡ଼ିଶାର ଗରିବ, ଆଦିବାସୀ ଏବଂ ଅନୁସୂଚିତ ଜନଜାତିର ୧୫ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିଜ ମୁଣ୍ଡ ଉପରେ ଛାତଟିଏ ଆବଶ୍ୟକ କରୁଥିଲେ, ଏହାକୁ ବନ୍ଦ କରିବା ଲାଗି ଓଡ଼ିଶାରୁ ଦିଲ୍ଲୀ ଯାଇଥିବା ବିଜେପିର ସାଂସଦମାନେ ମିଳିତ ହୋଇ ଷଡ଼ଯନ୍ତ୍ର କରିଥିଲେ । ଏଥିପାଇଁ ସେମାନେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କୁ ଭେଟି ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନ ଦେବାକୁ ଚାପ ପକାଇଥିଲେ ।

ଶେଷରେ ସେମାନଙ୍କର ଏହି ଷଡ଼ଯନ୍ତ୍ର ସଫଳ ମଧ୍ୟ ହେଲା ଏବଂ ଦୀର୍ଘ ୩ ବର୍ଷ କାଳ ଓଡ଼ିଶାକୁ ଘର ମିଳିବା ବନ୍ଦ ହୋଇଗଲା । ତେବେ ଓଡ଼ିଶାବାସୀଙ୍କ ଆଗରେ ଏବେ ସେମାନଙ୍କର ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍‌ ହୋଇଯାଇଛି । ଓଡ଼ିଶାର ବିଜେପି ସାଂସଦମାନେ ଏବଂ ଓଡ଼ିଶାର ସ୍ୱାର୍ଥ ବିରୋଧରେ ସଦାବେଳେ କାର୍ଯ୍ୟ କରୁଥିବା ଜଣେ ନିର୍ଦ୍ଦିଷ୍ଟ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ତାଙ୍କ ଦଳର ରାଷ୍ଟ୍ରୀୟ ସଭାପତିଙ୍କୁ ଏ ବାବଦରେ ସମ୍ପୂର୍ଣ୍ଣଭୁଲ ତଥ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ପାଇଁ ମାତ୍ର ୮ ଲକ୍ଷ ଘର ମଞ୍ଜୁର ହୋଇଥିବା ବେଳେ ୭୫ ଲକ୍ଷ ଘର ମଞ୍ଜୁର ହୋଇଛି ବୋଲି କଳାହାଣ୍ଡିର ଏକ ଜନସଭାରେ ବିଜେପିର ରାଷ୍ଟ୍ରୀୟ ସଭାପତିଙ୍କ ମୁହଁରେ କୁହାଇଛନ୍ତି ।

ଏଭଳି ଭୁଲ ତଥ୍ୟ ଦେଇ ଏହି ନିର୍ଦ୍ଦିଷ୍ଟ କେନ୍ଦ୍ରମନ୍ତ୍ରୀ ଏବଂଓଡ଼ିଶା ବିଜେପିର ସାଂସଦମାନେ ରାଷ୍ଟ୍ରୀୟ ସଭାପତିଙ୍କୁ ଅତ୍ୟନ୍ତ କଠିନ ଓ ଲଜ୍ଜାଜନକ ସ୍ଥିତିକୁ ଠେଲି ଦେଇଛନ୍ତି । ଓଡ଼ିଶାରବିଜେପିସାଂସଦ ଏବଂଏହି ନିର୍ଦ୍ଦିଷ୍ଟ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଷଡ଼ଯନ୍ତ୍ର ସତ୍ତ୍ୱେ ଓଡ଼ିଶା ସରକାର ଏବଂ ଓଡ଼ିଶାର ବିଜେଡି ସାଂସଦମାନଙ୍କ କ୍ରମାଗତ ଭାବେ ଚାପ ଫଳରେ ପ୍ରାୟ ୩ ବର୍ଷ ପରେ କେନ୍ଦ୍ର ସରକାର ୧୫ ଲକ୍ଷ ଜାଗାରେ ୮ ଲକ୍ଷ ଘର ମଞ୍ଜୁର କଲେ । ତେଣୁ ଘର ପାଇବାରୁ ବଞ୍ଚିତ ହେବାକୁ ଯାଉଥିବା ୭ ଲକ୍ଷ ହିତାଧିକାରୀ ଏବେ ଯିବେ କୁଆଡ଼େ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଥିଲେ । ସେକହିଥିଲେ ଯେ ଓଡ଼ିଶାବାସୀଙ୍କ ଭୋଟରେ ନିର୍ବାଚିତ ହୋଇଥିବା ବିଜେପି ସାଂସଦମାନେ ଏ ନେଇ ଚିନ୍ତା କରିବା ଉଚିତ ।

ଯେତେବେଳେ ଓଡ଼ିଶା ସରକାର ଏହି ବଞ୍ଚିତ ହିତାଧିକାରୀମାନଙ୍କୁ ଘର ଯୋଗାଇବା ଲାଗି ପ୍ରବଳ ଚେଷ୍ଟା କରୁଛନ୍ତି, ଏବେ ସେମାନେ ପୁଣି ଥରେଏହାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର ଚଳାଇଛନ୍ତି । ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ପୂର୍ବରୁ ପୁରସ୍କୃତ ହୋଇଛି ।ଏଭଳି ଉତ୍ତମ ପ୍ରଦର୍ଶନ ଲାଗି ଓଡ଼ିଶା ଆବାସ ଯୋଜନାରେ ଅଧିକ ଘର ପାଇବାକୁ ହକଦାର । ମାତ୍ର ଦୁର୍ଭାଗ୍ୟଜନକ ଭାବେ ଓଡ଼ିଶାକୁ ଘର ଦେବା ବନ୍ଦ କରି ଠିକ୍‌ ବିପରୀତ ବ୍ୟବହାର କରାଯାଉଛି ।

ଶ୍ରୀ ଦାସ ସୂଚନା ଦେଇ କହିଥିଲେ ଯେ ଚଳିତ ବର୍ଷ ଜାନୁଆରି ୨୫ ତାରିଖରେ ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ଆମେ ଘୋଷଣା କରିଥିଲୁ ଯଦି କେନ୍ଦ୍ରର ବିଜେପି ସରକାର ଓଡ଼ିଶାର ଲକ୍ଷ ଲକ୍ଷ ଗରିବଲୋକଙ୍କୁ ଆବାସ ଯୋଜନାରେ ଘର ଦେବାରୁ ବଞ୍ଚିତ କରେ, ତେବେ ଓଡ଼ିଶା ସରକାର ନିଜ ଉଦ୍ୟମରେ ସେମାନଙ୍କ ଘର ପ୍ରଦାନ କରିବାର ବ୍ୟବସ୍ଥା କରିବେ । ଏହି ପ୍ରତିଶ୍ରୁତି ଅନୁସାରେ ଗତ ମେ’ ୨୯ ତାରିଖରେ ରାଜ୍ୟରେ ବିଜେଡି ସରକାର ଏହାର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ “ମୋ ଘର’ ଯୋଜନା ଆରମ୍ଭ କରିଛନ୍ତି । ଓଡ଼ିଶାର ଯେଉଁ ୭ ଲକ୍ଷ ପରିବାର ଯେଉଁମାନେ କି କଠୋର ଯୋଗ୍ୟତା ମାପଦଣ୍ଡ ଯୋଗୁଁ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତହୋଇଥିଲେ, ସେମାନଙ୍କୁ “ମୋ ଘର’ ଯୋଜନାରେ ଘର ପ୍ରଦାନ କରାଯିବ ।

Leave A Reply

Your email address will not be published.