Latest Odisha News

କୋଟିଆକୁ ନେଇ କେନ୍ଦ୍ରକୁ ପ୍ରଶ୍ନ କଲେ ବିଜେଡି ନେତା ପ୍ରଦୀପ ମାଝୀ, ପଚାରିଲେ ଦେଇଛ କ’ଣ ?

କୋରାପୁଟ : ଉତ୍କଳ ଦିବସ ଅବସରରେ କୋରାପୁଟ ଗସ୍ତରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଠିକ୍ ଏହି ସମୟରେ କୋଟିଆକୁ ନେଇ ଉଭୟ କେନ୍ଦ୍ର ସରକାର ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ । ପ୍ରଦୀପ କହିଛନ୍ତି, କୋଟିଆରେ ଯାହା ବି ବିକାଶ କରିଛନ୍ତି ରାଜ୍ୟ ସରକାର । କୋଟିଆ ପଞ୍ଚାୟତକୁ ୧୬୦ କୋଟିର ପ୍ରକଳ୍ପ ଦିଆଯାଇଛି । କିନ୍ତୁ କୋଟିଆକୁ କେନ୍ଦ୍ର ସରକାର କ’ଣ ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ । କୋଟିଆ ପାଇଁ ସୁପ୍ରିମକୋର୍ଟ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଯୋଜନାରେ କୋଟିଆକୁ ଗମନାଗମନ ସୁବିଧା ସହ ଲୋକଙ୍କ ପାଖରେ ବିଶୁଦ୍ଧ ପାନୀୟ ଜଳ ଓ ବିଦ୍ୟୁତ ସେବା ପହଞ୍ଚିପାରିଛି । ଏକାଧିକ ବଡ଼ ଶିକ୍ଷାନୁଷ୍ଠାନ, ଫାଣ୍ଡି, ଚିକିତ୍ସାଳୟ ନିର୍ମାଣ କରାଯାଇଛି । ତେଣୁ କୋଟିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଟକବାଜୀ ବନ୍ଦ କରନ୍ତୁ ବୋଲି କହି ପ୍ରଦୀପ କଡ଼ା ସମାଲୋଚନା କରିଛନ୍ତି । ବିଜେପିକୁ ରାଜ୍ୟବ୍ୟାସୀ ପ୍ରତ୍ୟାଖ୍ୟାନ କରିଆସିଛନ୍ତି ଓ ଆଗାମୀ ଦିନରେ ମଧ୍ୟ ପ୍ରତ୍ୟାଖ୍ୟାନ କରିବେ ବୋଲି କହିଛନ୍ତି ପ୍ରଦୀପ । କେନ୍ଦ୍ର ସରକାର ଖାଲି ମିଛ ପ୍ରତିଶ୍ରୁତି ଦିଅନ୍ତି, କିଛି ପୂରଣ କରନ୍ତିନି ବୋଲି ପ୍ରଦୀପ କହିଛନ୍ତି ।

ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ପ୍ରଦୀପ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଗୋଟିଏ ଦିନ ବି କୋଟିଆ ପ୍ରସଙ୍ଗରେ ତ ଛାଡନ୍ତୁ ଆନ୍ଧ୍ର ସରକାରଙ୍କ ବିରୋଧରେ ମଧ୍ୟ ପଦୁଟିଏ ବି କହିନାହାନ୍ତି । ସେହିପରି କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ମଧ୍ୟ ସେ କେନ୍ଦ୍ରକୁ କଟାକ୍ଷ କରିଛନ୍ତି। କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଅନ୍ୟତ୍ର ଉଠାଇ ନେବାକୁ ଉଦ୍ୟମ ହେଉଛି ବୋଲି କହିଛନ୍ତି ପ୍ରଦୀପ । କେବଳ ଅବହେଳିତ ଅବସ୍ଥାରେ ନୁହେଁ, ଶିକ୍ଷାଦାନ ପାଇଁ ଏଠାରେ ମାତ୍ର ୧୭ ଆସୋସିଏଟ୍ ଓ ୨ ଜଣ ସ୍ଥାୟୀ ପ୍ରଫେସର ଅଛନ୍ତି । ସେପଟେ ୧୩୮ଟି ଟିଚିଂ ଓ ୯୧ଟି ନନ-ଟିଚିଂ ସହ ମୋଟ୍ ୨୨୯ଟି ପୋଷ୍ଟ ଖାଲି ପଡ଼ିଛି ବୋଲି ସୂଚନା ଦେଇ ସମାଲୋଚନା କରିଛନ୍ତି ପ୍ରଦୀପ । ହରିୟାଣା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଉଦାହରଣ ଦେଇ ପ୍ରଦୀପ ପ୍ରଶ୍ନ କରିଛନ୍ତି, ସେଠାରେ ପାଠ୍ୟକ୍ରମ ବଢୁଛି କିନ୍ତୁ କୋରାପୁଟରେ କାହିଁକି ବିଭାଗ ବଢ଼ାଯାଉନି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟିକୁ ଅନ୍ୟତ୍ର ଉଠାଇ ନେବା ବୋଲି ପ୍ରଦୀପ ଆରୋପ ଲଗାଇଛନ୍ତି। ସେହିପରି ଆଦିବାସୀ ସମାଜକୁ ମାନ୍ୟତା ଦାବିକୁ କେନ୍ଦ୍ର ଅଣଦେଖା କରୁଛି ବୋଲି  ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି।

Leave A Reply

Your email address will not be published.