Latest Odisha News

BREAKING NEWS

ବିଜେଡି ପାଇଁ ବିଜେଡି ବିପଦ !

ଭୁବନେଶ୍ୱର: ଆସନ୍ନ ନିର୍ବାଚନ ପାଇଁ ତତ୍ପର ବିଜେଡି। ଦକ୍ଷିଣ ଓଡିଶାଠୁ ଆରମ୍ଭ କରି ପଶ୍ଚିମ ଓଡିଶା ସବୁଆଡେ ମୁଖ୍ୟମନ୍ତ୍ରୀ ଘନ ଘନ ଗସ୍ତ କରି ଲୋକଙ୍କୁ ବହୁ ଯୋଜନା ଉପହାର ଦେଉଛନ୍ତି। ନିର୍ବାଚନ ଘୋଷଣା ବହୁ ପୂର୍ବରୁ ବିଜେଡି ସପକ୍ଷରେ ବାତାବରଣ ତିଆରି ହେଉଛି। କିନ୍ତୁ ବିଜେଡିରେ ସବୁ ଠିକ ଠାକ ଚାଲିଛି କି ନାହିଁ ବୋଲି ଚର୍ଚ୍ଚା ହେଉଛି।

ଦୀର୍ଘ 23 ବର୍ଷରୁ ଅଧିକ ସମୟ ଧରି ଶାସନ କ୍ଷମତାରେ ଥିବା ବିଜେଡି ପାଇଁ ଖୋଦ ନିଜ ଦଳର ନେତା ଚିନ୍ତାର କାରଣ ସାଜିଥିବା ଚର୍ଚ୍ଚା ହେଉଛି। ବିଜେଡି ଏବେ ଏକ ମହାଦ୍ରୁମରେ ପରିଣତ ହୋଇଛି। ବିଭିନ୍ନ ଦଳରୁ ନେତା କର୍ମୀ କର୍ଯ୍ୟକର୍ତା ଆସି ବିଜେଡିରେ ରହି କାର୍ଯ୍ୟ କରୁଛନ୍ତି। ଏପରିକି ଆଗକୁ ନିର୍ବାଚନ ଥିବାରୁ ଆହୁରି ନେତାଙ୍କର ଦଳକୁ ଆଗମନର ସମ୍ଭାବନା ମଧ୍ୟ ବହୁତ। ବହୁ ପ୍ରଭାବଶାଳୀ ନେତା ମଧ୍ୟ ଦଳରେ ରହିଛନ୍ତି। ତେଣୁ ଆଗାମୀ ନିର୍ବାଚନ ଦଳ କାହାକୁ କେଉଁଠୁ ପ୍ରାର୍ଥୀ କରିବ ତାକୁ ନେଇ ଚିନ୍ତା ବଢିଥିବା ଚର୍ଚ୍ଚା ହେଉଛି।

ଏପରିକି ଏବେଠୁ ଟିକେଟ ଦାବିଦାର ମାନେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଅଲଗା ଅଲଗା ହୋଇ କାର୍ଯ୍ୟକ୍ରମ କରୁଛନ୍ତି। ଜିଲ୍ଲା ସ୍ତରରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ରାଜ୍ୟର ପ୍ରମୁଖ ଆଗଧାଡ଼ିର ନେତା ମାନେ ମଧ୍ୟ ଦଳର ମଙ୍ଗୁଆଳଙ୍କୁ ତେରେଛା ବାଣ ମାରୁଛନ୍ତି। ବିଜୁ ବାବୁଙ୍କ ଜୟନ୍ତୀ ପାଳନ ହେଉଛି କିନ୍ତୁ ବିଜୁଙ୍କ ଭଳି କାର୍ଯ୍ୟ ସବୁ ହେବା ଦରକାର ବୋଲି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି।

ବିଜୁଙ୍କ ଭଳି ଦୁଃସାହସୀ ତଥା ବିଶାଳ ହୃଦୟର ହେବା ଆବଶ୍ୟକ ବୋଲି ସୌମ୍ୟ ରଞ୍ଜନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ମଧ୍ୟ ବିଜୁ ଜୟନ୍ତୀ ପାଳନ ଅବସରରେ ବସ୍ତି ବାସିନ୍ଦାଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସରକାରଙ୍କୁ କହିଛନ୍ତି। ତେଣୁ ବରିଷ୍ଠ ନେତାମାନେ ମଧ୍ୟ ଦଳ ପାଇଁ ଏକ ପ୍ରମୁଖ ଆହ୍ୱାନ ହୋଇଛନ୍ତି।

ଏପରିକି ପୂର୍ବ ପଂଚାୟତ ଓ ଅନ୍ୟ ନିର୍ବାଚନରେ ବିଜେଡି ନେତା ନିଜ ନିଜ ମଧ୍ୟରେ ଲଢ଼ିବା ଦେଖାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ପୂର୍ବ ପଂଚାୟତ ନିର୍ବାଚନରେ ଜିଲ୍ଲା ବିଜେଡି ସଭାପତି ଓ ବିଜେଡିରେ ମିଶିଥିବା ତଲସରାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ ମଧ୍ୟରେ ପଂଚାୟତ ସମିତି ଅଧ୍ୟକ୍ଷ ପଦରେ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ବସାଇବାକୁ ଲଢେଇ ହୋଇଥିଲା।

ସେହିପରି ଗଂଜାମ ଛତ୍ରପୁରରେ ପୂର୍ବତନ ବିଧାୟକ ପ୍ରିୟାନଶୁ ପ୍ରଧାନ ଓ ବିଧାୟକ ସୁବାସ ବେହେରାଙ୍କ ମଧ୍ୟରେ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ବ୍ଲକ ଅଧ୍ୟକ୍ଷ ପଦରେ ବସାଇବା ପାଇଁ ଲଢେଇ ହୋଇଥିଲା। ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ମଧ୍ୟରେ ଲଢେ଼ଇ ହୋଇଥିଲା।

ରାୟଗଡା ଓ ବାଲେଶ୍ୱରରେ ଦଳୀୟ ନେତାଙ୍କ ମଧ୍ୟରେ ଲଢେ଼ଇ ଯୋଗୁ ଦଳକୁ ବିଭିନ୍ନ ସମୟରେ ବହୁ ମୂଲ୍ୟ ଦେବାକୁ ପଡିଛି। ସେହିପରି କିଛି ଦିନ ତଳେ ନୂଆପଡା ଜିଲ୍ଲାରେ ବିଜେଡି ଦଳୀୟ କନ୍ଦଳ ଖୋଲାଖୋଲି ଭାବେ ଦେଖିବାକୁ ମିଳିଥିଲା। ଯୋଜନା ସଂଯୋଜନ ମନ୍ତ୍ରୀ ତଥା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ସହ ଦଳର କାର୍ଯ୍ୟକାର୍ତ୍ତାଙ୍କ ସିଧା ଲଢେଇ ଦେଖିବାକୁ ମିଳିଛି।

ରାଜ୍ୟର 147 ବିଧାନସଭା କ୍ଷେତ୍ର ମଧ୍ୟରୁ 40 ପ୍ରତିଶତ କ୍ଷେତ୍ରରେ ବିଜେଡି ଭିତରେ ବ୍ୟାପକ ଦଳୀୟ କନ୍ଦଳ ଅଛି ବୋଲି ଚର୍ଚ୍ଚା ହେଉଛି। ପୁରୀ ଜିଲ୍ଲାଠୁ ଆରମ୍ଭ କରି କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର କୋରାପୁଟ ଭଳି ଅନେକ ଜିଲ୍ଲାରେ ବିଜେଡି ନେତାଙ୍କ ଭିତରେ ଲଢେଇ ଜୋରଦାର ହୋଇଛି। ପ୍ରାୟ ସବୁଆଡେ ପୁରୁଣା ନୂଆ ଭିତରେ ଲଢେଇ ତୀବ୍ର ହେଉଛି।

ପୁରୀରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୋଷ୍ଠୀ ଓ ବିଜେଡିର ଯୁବ ନେତା ଲକି ଖୁଣ୍ଟିଆଙ୍କ ମଧ୍ୟରେ ଲଢେ଼ଇ ଦେଖିବାକୁ ମିଳୁଛି। ଏପରିକି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ମଧ୍ୟ ସେମାନେ ଅଲଗା ଅଲଗା କରୁଛନ୍ତି। ସେହିପରି କାକଟପୁରରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ନିଜ ଅଞ୍ଚଳର ବିଜେଡି ନେତା କର୍ଯ୍ୟକର୍ତା ବିରୋଧ କରିବା ଆରମ୍ଭ କରିଛନ୍ତି।

ସେହିଭଳି ଅନେକ ସ୍ଥାନରେ ଏଭଳି ସ୍ଥିତି ଦେଖାଦେଇଛି। ଖାସ ଏହି କାରଣ ପାଇଁ ସଦ୍ୟ ସମାପ୍ତ ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ହାର ସ୍ୱୀକାର କରିବାକୁ ପଡିଥିଲା। ବିଦ୍ରୋହୀ ପ୍ରାର୍ଥୀ ରାଜୁ ଦାସ ଦଳୀୟ ପ୍ରାର୍ଥୀଙ୍କୁ ହରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କୁହାଯାଏ। ତେଣୁ ଆଗକୁ ନିର୍ବାଚନ ଥିବାବେଳେ ଦଳୀୟ ଟିକେଟ ପାଇଁ ବହୁ ନୂଆ ପୁରୁଣା ଆଶାୟୀ ଚାହିଁ ବସିଛନ୍ତି।

ଏଭଳି ସ୍ଥିତିରେ ନବୀନ ଜିଲ୍ଲା ଜିଲ୍ଲା ବୁଲି ଦଳ ସପକ୍ଷରେ ଯେତେ ବାତାବରଣ ତିଆରି କଲେ ମଧ୍ୟ ଦଳ ମଧ୍ୟରେ ବଢୁଥିବା ଅନ୍ତଃକନ୍ଦଳକୁ କିଭଳି ମ୍ୟାନେଜ କରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.