Latest Odisha News

BREAKING NEWS

ମହେଶ୍ୱରଙ୍କୁ ଲକି ଅଡୁଆ !

ପୁରୀ/ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ ଶାସକ ବିଜେଡି ଉପରେ ସମସ୍ତଙ୍କ ନଜର। ଏପରିକି ପ୍ରାୟ ବହୁ ନେତାଙ୍କ ଆଖି ବିଜେଡି ଟିକେଟ ଉପରେ। ସେଥିପାଇଁ ବିଭିନ୍ନ ବିଧାନସଭା କ୍ଷେତ୍ରରେ ଆଗ ଧାଡ଼ିର ନେତା ଓ ଟିକେଟ ଆଶାୟୀଙ୍କ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଲିଲାଣି।ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଦଳୀୟ ନେତା ମାନେ ନିଜ ନିଜ ଗୋଷ୍ଠୀକୁ ନେଇ କାର୍ଯ୍ୟକ୍ରମ ସହ ଶକ୍ତି ପ୍ରଦର୍ଶନ କରୁଛନ୍ତି।

ସେମିତି କିଛି ଚିତ୍ର ପୁରୀ ବିଧାନସଭା କ୍ଷେତ୍ରରେ ଦେଖିବାକୁ ମିଳିଛି। ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ପୁରୀ ବିଜେଡିରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଶୁଭାଶିଷ ଖୁଣ୍ଟିଆ ଓ ମହେଶ୍ୱର ମହାନ୍ତି ଗୋଷ୍ଠୀ ଭିନ୍ନ ଭିନ୍ନ ଭାବେ ବିଜୁ ଜୟନ୍ତୀ ପାଳିଛନ୍ତି। ବିଜୁ ଜୟନ୍ତୀରେ ଉଭୟ ଗୋଷ୍ଠୀ ପକ୍ଷରୁ ଦୀପ ଦାନ, ରକ୍ତ ଦାନ, ସାଧାରଣ ସଭା ଆଦି ଆୟୋଜିତ ହୋଇଥିଲା।

ଶୁଭାଶିଷ ଖୁଣ୍ଟିଆଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଭଗବାନ ମହାପାତ୍ର, ଗୌରହରି ପ୍ରଧାନଙ୍କ ଭଳି ବିଜେଡି ନେତା ଥିବା ବେଳେ ମହେଶ୍ୱରଙ୍କ ଶିବିରରେ ସବ୍ୟସାଚୀ ମହାପାତ୍ର, ଶାନ୍ତିଲତା ପ୍ରଧାନ, ସୁରେନ୍ଦ୍ର ନାଥ ଦାସ, ରମେଶ ପ୍ରହରାଜ ଓ ନାରାୟଣ ପଟ୍ଟନାୟକ ପ୍ରମୁଖ ରହିଥିଲେ। ଶୁଭାଶିଷ ଖୁଣ୍ଟିଆଙ୍କ କାର୍ଯ୍ୟକ୍ରମରେ ଯୁବ ଏବଂ ମହେଶ୍ୱର ମହାନ୍ତିଙ୍କ ଗୋଷ୍ଠୀରେ ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିଥିଲା।

ପୁରୀର ଆଉ କିଛି ବିଜେଡି ନେତା ନୀରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି। ସେମାନେ ଉଭୟ ଗୋଷ୍ଠୀଠାରୁ ସମଦୂରତା ଅବଲମ୍ବନ କରୁଥିବା ଦେଖୁବାକୁ ମିଳିଛି। କେବଳ ବିଜୁ ଜୟନ୍ତୀ ପାଳନ ନୁହେଁ ପୂର୍ବରୁ ଅନେକ ସମୟରେ ଉଭୟ ଗୋଷ୍ଠୀ ଅଲଗା ଅଲଗା କାର୍ଯ୍ୟକ୍ରମ କରନ୍ତି। ବିଜେଡି ପଦଯାତ୍ରା ହେଉ କିମ୍ବା ଦଳର ପ୍ରତିଷ୍ଠା ଦିବସ ସବୁଥିରେ ଉଭୟ ଗାଷ୍ଠୀ ଅଲଗା କାର୍ଯ୍ୟକ୍ରମ କରନ୍ତି।

ମହେଶ୍ୱର ମହାନ୍ତି ପୁରୀ ଜିଲ୍ଲା ବିଜେଡି ସଭାପତି ଥିବାବେଳେ ଶୁଭାଶିଷ ଖୁଣ୍ଟିଆ ଜିଲା ଯୁବ ବିଜେଡି ଉପସଭାପତି ଅଛନ୍ତି। ଶୁଭାଶିଷଙ୍କ ସପକ୍ଷରେ ଯୁବ ଗୋଷ୍ଠୀ ଥିବାବେଳେ ରାଜ୍ୟସ୍ତରୀୟ ବରିଷ୍ଠ ନେତୃତ୍ୱଙ୍କ ଆଶୀର୍ବାଦ ତାଙ୍କ ଉପରେ ଥିବା ଚର୍ଚ୍ଚା ହୁଏ। ଏପରିକି ପୁରୀ ଗସ୍ତରେ ବିଜେଡିର କୌଣସି ରାଜ୍ୟସ୍ତରୀୟ ନେତା କିମ୍ବା ପ୍ରଭାବୀ ଅଧିକାରୀ ଗଲେ ଶୁଭାଶିଷଙ୍କୁ ସେମାନଙ୍କ ପାଖେ ପାଖେ ଦେଖିବାକୁ ମିଳେ। ଅନ୍ୟପକ୍ଷରେ ମହେଶ୍ୱରଙ୍କର ପୁରୀ ବିଧାନସଭା କ୍ଷେତ୍ରର ଗ୍ରାମାଞ୍ଚଳରେ ଭଲ ସଂଗଠନ ରହିଛି।

ତେଣୁ ଏଠି ବିଜେଡି ଉଭୟଙ୍କ ମଧ୍ୟରୁ କାହାକୁ ଆଗାମୀ ନିର୍ବାଚନରେ ଟିକେଟ ଦେବ ତାକୁ ନେଇ ଜୋରଦାର ଚର୍ଚ୍ଚା। ଉଭୟଙ୍କ ମଧ୍ୟରୁ କାହାର ବି ମନଉଣା ହେଉ ବୋଲି ଦଳ କେବେ ଚାହିଁବନି। ଏପରିକି ପୂର୍ବ ନିର୍ବାଚନରେ ଏଭଳି ସ୍ଥିତି ଯୋଗୁ ଜୟନ୍ତ ଷଡଙ୍ଗୀ ବିଧାୟକ ଭାବେ ବିଜେପିରୁ ବିଜୟୀ ହୋଇଥିଲେ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ସେ ମଧ୍ୟ ବିଜେଡିର ପ୍ରମୁଖ ନେତା ଭାବେ ଦାଇତ୍ୱ ନେଉଥିଲେ। ଦଳ ଛାଡି ବିଜେପିକୁ ଯିବା ପରେ ବହୁ ବିଜେଡି ନେତା ତାଙ୍କ ସହ ଏବେ ମଧ୍ୟ ରହିଥିବା ଚର୍ଚ୍ଚା ହେଉଛି।

ବିଜେଡି ମଧ୍ୟରେ କନ୍ଦଳ ଯୋଗୁ ପୂର୍ବ ନିର୍ବାଚନରେ ବିଜେପି ବାଜି ମାରି ନେଇଥିବା ଚର୍ଚ୍ଚା ହେଉଛି। ଏବେ କିନ୍ତୁ ଜୟନ୍ତ ଷଡଙ୍ଗୀ ପୁଣିଥରେ ବିଜେଡିକୁ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଜେଡି ଏସବୁକୁ କିଭଳି ମ୍ୟାନେଜ କରିବ ତା ଉପରେ ରାଜନୈତିକ ମହଲର ନଜର ରହିଛି।

Leave A Reply

Your email address will not be published.