Latest Odisha News

ବିଜେଡିର ଉପନିର୍ବାଚନ ଚିନ୍ତା, ଶ୍ରଦ୍ଧାଞ୍ଜଳି ସଭାରେ ଭୋଟ୍ ମାଗିଲେ ବିଧାୟକ

ଭୁବନେଶ୍ୱର: ଶେଷ ହୋଇନି ନବ ଦାସଙ୍କ ଦଶାହ, ଜୋର୍ ଧରିଲାଣି ଉପନିର୍ବାଚନ ଚର୍ଚ୍ଚା । ଦିବଙ୍ଗତ ବିଜେଡି ବିଧାୟକ ତଥା ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ାରେ ଉପନିର୍ବାଚନକୁ ନେଇ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି । ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଦଳ ପକ୍ଷରୁ ଶୋକସଭା ଆୟୋଜନ ହେଉଥିବା ବେଳେ ବିଜେଡି ନେତା ଏବେଠୁ ଭୋଟ୍ ମାଗିବା ଆରମ୍ଭ କଲେଣି ।

ନବ ଦାସଙ୍କ ସ୍ମୃତିରେ ଆୟୋଜିତ ସଭାରେ ରାଉରକେଲା ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକ ଭୋଟ୍ ମାଗିଛନ୍ତି । କହିଛନ୍ତି, କୌଣସି ବି ସମୟରେ ଉପନିର୍ବାଚନ ହେବ । ବିଜୟ ତ ସୁନିଶ୍ଚିତ, କିନ୍ତୁ ବିଜୟର ବ୍ୟବଧ୍ୟାନ କିଭଳି ଅଧିକ ହେବ, ସେ ଦାୟିତ୍ୱ ଆପଣମାନଙ୍କର ଆମ ସମସ୍ତଙ୍କର ।

୨୦୨୪ ନିର୍ବାଚନକୁ ଆଉ ବର୍ଷେରୁ ଅଧିକ ସମୟ ଥିବା ବେଳେ ବିଧାନସଭା ସଚିବ ନବ ଦାସଙ୍କ ଦେହାନ୍ତ ନେଇ ନିର୍ବାଚନ କମିଶନଙ୍କୁ ଅବଗତ କରାଇଛନ୍ତି । ଯାହାକୁ ନେଇ ଉପନିର୍ବାଚନ ଆଶା କରାଯାଉଥିବା ବେଳେ କିଏ ହେବ ବିଜେଡି ପ୍ରାର୍ଥୀ ? ନବ ଦାସଙ୍କ ମୃତ୍ୟୁ ପରେ ଝିଅ ଦିପାଳୀ ନା ପୁଅ ବିଶାଳ କାହାକୁ ପ୍ରାର୍ଥୀ କରିବ ବିଜେଡି ? ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଉପନିର୍ବାଚନ ଇତିହାସରେ ୨୦୧୯ ପରେ ଓଡ଼ିଶା ସର୍ବାଧିକ ଉପନିର୍ବାଚନ ଦେଖୁଛି । ୨୦୧୯ ସାଧାରଣ ନିର୍ବାଚନ ପରେ ପ୍ରଥମେ ବିଜେପୁରରେ ହୋଇଥିଲା ଉପନିର୍ବାଚନ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ିବା ପରେ ସେଠାରୁ ଦଳ ଟିକେଟରେ ବିଜୟୀ ହୋଇଥିଲେ ରୀତାରାଣୀ ସାହୁ ।

ଇତି ମଧ୍ୟରେ ୨୦୧୯ ପର ଠାରୁ ଓଡ଼ିଶା ୭ଟି ଉପନିର୍ବାଚନ ଦେଖିଥିବା ବେଳେ ଧାମନଗରକୁ ଛାଡ଼ିଦେଲେ ସବୁଠି ବିଜୟ ବାନା ଉଡ଼ାଇଛି ବିଜେଡି । ବିଜେପୁର, ତିର୍ତ୍ତୋଲ, ବାଲେଶ୍ୱର, ବ୍ରଜରାଜନଗର, ପିପିଲି ଓ ପଦ୍ମପୁର ଉପନିର୍ବାଚନରେ ବିଜୟୀ ହୋଇଥିବା ବିଜେଡିର ମନୋବଳ ବେଶ୍ ଦୃଢ଼ ରହିଛି ।

ନିକଟରେ ସରିଥିବା ପଦ୍ମପୁର ଉପନିର୍ବାଚନରେ ବିଜୟ ରଞ୍ଜନ ବରିହାଙ୍କ ଝିଅ ବର୍ଷା ବରିହା ୪୨ ହଜାରରୁ ଅଧିକ ଭୋଟରେ ଜିତିଥିଲେ । ସେହି ଦୃଷ୍ଟିରେ ଦେଖିଲେ ଝାରସୁଗୁଡ଼ା ଆସନରେ ଉପନିର୍ବାଚନ ହେଲେ ବିଜେଡି ନବ ଦାସଙ୍କ ଝିଅ ଦିପାଳୀଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ତା’ଛଡ଼ା ନବ ଦାସ ମନ୍ତ୍ରୀ ଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କ ସହ ଦିପାଳୀଙ୍କୁ ଦେଖିବାକୁ ମିଳୁଥିଲା । ବାପାଙ୍କ ସହ ଝିଅ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମକୁ ଯାଉଥିଲେ ।

Comments are closed.