ଭୁବନେଶ୍ବର: ଧୀରେ ଧୀରେ ଶୁଭିଲାଣି ବିଜେଡିର ସ୍ବର । କାଲି ମହାନଦୀ ଆଜି ନିଟ୍। ନିର୍ବାଚନ ପରାଜୟ ପରଠୁ ତୁନି ପଡିଥିବା ବିଜେଡି ନେତା କହିବା ଆରମ୍ଭ କଲେଣି। ନିଟ୍ ପରୀକ୍ଷାକୁ ନେଇ ସାରା ଦେଶରେ ତୁମ୍ବିତୋଫାନ ହେଉଥିବା ବେଳେ ବିଜେଡି ଆଗଧାଡ଼ିର ନେତା ମୁହଁ ଖୋଲୁନଥିଲେ । ତେବେ ଶୁକ୍ରବାର ରାଜ୍ୟସଭାରେ ବିଜେଡି ସାଂସଦମାନେ ନିଟ୍ ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ କରିଥିବା ସାଂସଦ ସସ୍ମିତ ପାତ୍ର ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ଗୁରୁବାର ମଧ୍ୟ ମହାନଦୀ ବିବାଦ ପ୍ରସଙ୍ଗରେ ପ୍ରେସମିଟ୍ କରି ସମାଧାନ ପାଇଁ ବିଜେପି ସରକାରକୁ ଘେରିଥିଲେ ଦଳର ନେତା ।
ଟ୍ରାକକୁ ଫେରିଲା କି ବିଜେଡି ?
ନା ନିଟ୍ ପରୀକ୍ଷା ବିଭ୍ରାଟକୁ ନେଇ ମୁହଁ ଖୋଲିଥିଲେ ନା ଦରବୃଦ୍ଧିକୁ ନେଇ ପଦେ କହିଥିଲେ । ପରାଜୟ ପରଠୁ ନିରବ ମୁଦ୍ରାରେ ହିଁ ରହିଥିଲା ବିଜେଡି । ନିଟ୍ ପରୀକ୍ଷାରେ ଅନିୟମିତତାକୁ ନେଇ ଅଣଏନଡିଏ ଦଳ ଗୁଡିକ ଜୋରଦାର ବିରୋଧ କରିଥିଲେ । ଏମିତିକି ରାଜ୍ୟ କଂଗ୍ରେସ ବି ବିକ୍ଷୋଭ ପ୍ରଦର୍ଶନ କରିଥିଲା। ହେଲେ ଆଗଧାଡିର ବିଜେଡି ନେତାଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠିଥିଲା। ତେବେ ଶୁକ୍ରବାର ରାଜ୍ୟସଭାରେ ବିଜେଡି ସାଂସଦ ନିଟ୍ ପରୀକ୍ଷା ବିଭ୍ରାଟକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି । ପରୀକ୍ଷାରେ ଅନିୟମିତତା ହଜାର ହଜାର ପିଲାଙ୍କ ଜୀବନ ଉପରେ ପ୍ରଭାବ ପକାଇବ । ତେଣୁ ରାଜ୍ୟସଭା ବିଜେଡି ସାଂସଦ ପ୍ରଥମେ ନିଜ ସ୍ଥାନରେ ଓ ପରେ ଗୃହର ଓ୍ବେଲରେ ଦୁଇ ଦୁଇ ଥର ଜୋରଦାର ବିରୋଧ କରିଥିବା ସସ୍ମିତ ପାତ୍ର ପୋଷ୍ଟ କରିଛନ୍ତି । ସଶକ୍ତ ବିରୋଧୀ ଦଳ ଭାବେ ବିଜେପି ନେତୃତ୍ବାଧୀନ ସରକାର ବିରୋଧରେ ସଂସଦରେ ସ୍ବର ଉଠାଇଥିବା କହିଛନ୍ତି ।
ନବୀନ ଦେଇଥିଲେ ‘ବିରୋଧ’ ମନ୍ତ୍ର
ଲୋକସଭାରେ ବିଜେଡିର ପ୍ରତିନିଧିତ୍ବ ନଥିବା ବେଳେ ରାଜ୍ୟସଭାରେ ଓଡିଶା ସ୍ବାର୍ଥ ସଂପର୍କିତ ପ୍ରସଙ୍ଗ ଉଠାଇବ । ରାଜ୍ୟ ସ୍ବାର୍ଥ ପାଇଁ ସଂସଦରେ ଆବଶ୍ୟକ ପଡିଲେ ଜୋରଦାର ବିରୋଧ କରିବାକୁ ଗୁରୁମନ୍ତ୍ର ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟସଭାରେ ବିଜେଡିର ୯ସାଂସଦଙ୍କୁ କେବଳ ଫ୍ଲୋର ନୁହେଁ ଓ୍ବେଲରେ ବି ଲଢେଇ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ସୁପ୍ରିମୋଙ୍କ ଗୁରୁମନ୍ତ୍ର ଅନୁସାରେ ଶୁକ୍ରବାର ନିଟ୍ ପ୍ରସଙ୍ଗରେ ରାଜ୍ୟସଭାରେ ବିରୋଧ ପ୍ରଦର୍ଶନ କରିଛି ଦଳ ।
ବିରୋଧ ନକଲେ ବାଟ ନାହିଁ
୨୪ବର୍ଷ ଧରି ଶାସନରେ ରହିବା ପରେ ଏବେ ବିରୋଧୀ ଆସନରେ ବିଜେଡି । କେନ୍ଦ୍ର ହେଉ ବା ରାଜ୍ୟ, ବିଜେଡିକୁ ନିଜ ଅସ୍ଥିତ୍ବ ବଞ୍ଚାଇ ରଖିବାକୁ ହେଲେ ବିରୋଧ ହିଁ ଏକମାତ୍ର ବାଟ। ରାଜ୍ୟରେ ବିଜେପି ସରକାର ଗଠନ ପରଠୁ ବିଜେଡିର ନିରବତାକୁ ନେଇ ଅନେକ ପ୍ରଶ୍ନ ଉଠିଛି, ସମାଲୋଚନା ବି ହୋଇଛି । ତେଣୁ ସଶକ୍ତ ବିରୋଧୀ ଭାବେ ଏବେ ସ୍ବର ଉଠାଇଲେ ହିଁ ବିଜେଡି ପୁଣି ଲୋକଙ୍କ ପାଖରେ ପହଞ୍ଚିପାରିବ । ନହେଲେ ଦଳୀୟ ନେତାଙ୍କର ବିଭିନ୍ନ ଦୁର୍ନୀତିରେ ସଂପୃକ୍ତିକୁ ନେଇ ବିଜେଡି ଭୟଭୀତ ହୋଇ ଚୁପ୍ ବସିଥିବା କେଉଁଠି ନା କେଉଁଠି ଲୋକଙ୍କ ମନକୁ ଆସିବ । ଯାହା ଦଳ ପାଇଁ ଆଦୌ ଶୁଭପ୍ରଦ ହେବନି ।
ଥିଲେ ବନ୍ଧୁ ଏବେ ବିରୋଧୀ
ରାଜ୍ୟରେ ବିଜେଡି ସରକାର ଥିବା ବେଳେ କେନ୍ଦ୍ରରେ ବିଜେପି ସରକାରକୁ ସବୁବେଳେ ସମର୍ଥନ ଦେଇଛି ବିଜେଡି । ସଂସଦରେ ବିଲ୍ ପାରିତ କରିବା ସମର୍ଥନରେ ହେଉ କି ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ବିରୋଧରେ, ସବୁବେଳେ କେନ୍ଦ୍ର ବିଜେପି ସପକ୍ଷରେ ହିଁ ଗୋଟି ଚଳାଇଛି ବିଜେଡି । ରାଜ୍ୟ ସ୍ବାର୍ଥ ନାଁରେ ସମର୍ଥନ ଦେଇଛି। ଏହାକୁ ନେଇ ବିଜେପି ସହ ଭିତିରିଆ ମେଣ୍ଟକୁ ନେଇ ବି ସମାଲୋଚନାର ଶିକାର ହୋଇଛି । ବିଜେପି ସହ ବନ୍ଧୁତ୍ବପୂର୍ଣ୍ଣ ସଂପର୍କର ଫଳ ବି ଗତ ନିର୍ବାଚନରେ ଭୋଗିଛି ବିଜେଡି । ୨୦୧୯ ପରଠୁ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ନେଇ ବିଜେଡିର ସ୍ବର ନରମିଥିଲା। ରାଜ୍ୟ ବିଜେପିକୁ କାଁ ଭାଁ ବିରୋଧ କରୁଥିଲେ ବି କେନ୍ଦ୍ର ବିଜେପି ସରକାର ସହ ବନ୍ଧୁତ୍ବପୂର୍ଣ୍ଣ ସଂପର୍କ ରଖିଥିଲା ବିଜେଡି । ନିର୍ବାଚନ ପୂର୍ବରୁ ମେଣ୍ଟ ଚର୍ଚ୍ଚା ବି ଏହି ସଂପର୍କ ଉପରେ ମୋହର ମାରିଥିଲା । ଫଳରେ ଆଞ୍ଚଳିକ ଦଳ ଭାବେ କ୍ଷତି ସହିଲା ବିଜେଡି । ଏବେ ସେହି ଧାରଣା ଭାଙ୍ଗିବାକୁ ହେଲେ ବିଜେପି ବିରୋଧରେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଆଭିମୁଖ୍ୟ ଆହୁରି ଦୃଢ କରିବାକୁ ପଡିବ । ମହାନଦୀ ହେଉ କି କୋଟିଆ, ରାଜ୍ୟ ସ୍ବାର୍ଥ ସଂପର୍କିତ ପ୍ରସଙ୍ଗକୁ ଆହୁରି ପ୍ରଭାବଶାଳୀ ଢଙ୍ଗରେ ଉଠାଇବାକୁ ପଡିବ । ନହେଲେ ଲୋକଙ୍କଠାରୁ ଦୂରେଇଯିବ ବିଜେଡି । ଯେଉଁ ବିଜେଡିକୁ ୨୪ବର୍ଷ ଧରି ମୁଣ୍ଡରେ ବସାଇଥିଲେ ଜନତା ତାର ଅସ୍ତିତ୍ବ ସଂକଟରେ ପଡିପାରେ ।
Comments are closed.