Latest Odisha News

BREAKING NEWS

ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି: ବିଜେଡି

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଶନିବାର-ରବିବାର ରାତିରେ ବଡ଼ଧରଣର ଚୋରି ମାମଲାରେ ରବିବାର  ସାମ୍ବାଦିକ ସମ୍ମିଳନୀ କରିଛି ବିଜୁ ଜନତା ଦଳ। ରାଜଧାନୀ ଭୁବନେଶ୍ବରରେ ସାଧାରଣତନ୍ତ୍ର ଦିବସ ପାଳନର କଡ଼ା ସୁରକ୍ଷା ମଧ୍ୟରେ ଯଦି ବରିଷ୍ଠ ନେତାଙ୍କ ଘରୁ ଡକାୟତି ସମ୍ଭବ ହେଉଛି, ତେବେ ଏହାଠାରୁ ଲଜ୍ଜାଜନକ ସ୍ଥିତି ଆଉ କଣ ହୋଇପାରେ ବୋଲି ପ୍ରଶ୍ନ କରିଛି ବିଜେଡ଼ି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, ବରିଷ୍ଠ ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଡକାୟତି ଖବର ରାଜ୍ୟରେ ବିପର୍ଯ୍ୟସ୍ଥ ଆଇନଶୃଙ୍ଖଳା ସ୍ଥିତିର ନଗ୍ନ ଉଦାହରଣ। ତେବେ ଏହି ଘଟଣା ସାଧାରଣ ଜନତାଙ୍କ ଧନଜୀବନ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟକୁ ପ୍ରଧାନମନ୍ତ୍ରୀ ଆସିବାକୁ ଯୋଜନା ସ୍ଥିର ହୋଇଥିବାବେଳେ , କିଭଳି ଭାବରେ ଚୋର ଦୁଷ୍କର୍ମକାରୀଙ୍କ ଭଲି ଅସାଧୁମାନେ ସକ୍ରିୟ କେମିତି ହେଉଛନ୍ତି?

ସୁଭଦ୍ରା ଯୋଜନା ଉଦ୍ଘାଟନ ଉଦ୍ଦେଶ୍ୟରେ ମୋଦୀ ଓଡ଼ିଶା ଆସିଥିବା ସମୟର ଭରତପୁର ଘଟଣା ଦେଖା ଦେଇଥିଲା। ପ୍ରବାସୀ ଭାରତୀୟ ଦିବସ ସକାଳେ ପ୍ରଧାନମନ୍ତ୍ରୀ ଆସିବା ପୂର୍ବରୁ ପୁଲିସ ମିତ୍ର ସହଦେବ ନାୟକଙ୍କୁ ହତ୍ୟା କରାଗଲା। ଆଜି ସାଧାରଣତନ୍ତ୍ର ଦିବସ ଓ ଦିନକ ପରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ ପାଇଁ ପୁନର୍ବାର ଆସୁଛନ୍ତି। ଏସବୁ ବ୍ୟବସ୍ଥା ଭିତରେ ନିରଞ୍ଜନ ପଟ୍ଟନାୟକଙ୍କ ପରି ବରିଷ୍ଠ ନେତା ଭିଆଇପିଙ୍କ ଘରୁ ଚୋରି ହେଉଛି।

ଶ୍ରୀମତୀ ଦେଓ ବିଜେପି ସରକାରକୁ ଟାର୍ଗେଟ କରି କହିଛନ୍ତି, ରାଜ୍ୟରେ ଡବଲ ଇଞ୍ଜିନ ସରକାର ବିଫଳ ହୋଇଛନ୍ତି। ଭିଆଇପିଙ୍କ ଅବସ୍ଥା ଯଦି ଏଭଳି, ସାଧାରଣ ଜନଜୀବନ ସୁରକ୍ଷା କେମିତି ଥିବ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି,  ଭୟ ଆଉ ଡ଼ର ଭିତରେ ରହିବାକୁ ଓଡ଼ିଶାବାସୀ କ’ଣ ଡବଲ୍ ଇଞ୍ଜିନ୍ ସରକାରକୁ ଭୋଟ୍ ଦେଇଥିଲେ? ସାଧାରଣ ଜନତା ଏବେ କାହା ଉପରେ ଭରସା କରିବେ? କାହାଠୁ ସୁରକ୍ଷା ଆଶା କରିବେ? ଅପାରଗ ସରକାର ଲୋକଙ୍କୁ ସୁରକ୍ଷା ଦେବାରେ ମଧ୍ୟ ବିଫଳ ହୋଇଛି। ଓଡ଼ିଶାରେ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ନବୀନ ପଟ୍ଟନାୟକଙ୍କ ସମୟରେ ବିକାଶର ସୁବର୍ଣ୍ଣ ଯୁଗ ଥିଲା। ଏବେ ଚୋର ଓ ଦୁଷ୍କର୍ମକାରୀଙ୍କ ସୁବର୍ଣ୍ଣ ଯୁଗ ଚାଲିଛି। ରାଜଧାନୀରେ ଏମିତି ତ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ସାଧାରଣ ଜନତାଙ୍କ ଅବସ୍ଥା କ’ଣ ହେଉଥିବ? ବିଜେପି ଯେଉଁ ପରିବର୍ତ୍ତନ କଥା କହି ଆସିଥିଲା, ଅତି କମରେ ସାଧାରଣ ଲୋକଙ୍କ ଜୀବନକୁ ସୁରକ୍ଷା ଦେଉ।

ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ନୂଆପଲ୍ଲୀସ୍ଥିତ ବାସଭବନରୁ ଡକାୟତି ହୋଇଛି। ଚୋରି ଘଟଣାର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଦୁର୍ବୃତ୍ତ ଜଣକ ମାଷ୍ଟର ବେଡ୍‌ ରୁମ୍‌ରେ ପଶି ଭିତରୁ କବାଟ ବନ୍ଦ କରି ଦେଇଥିଲା। ଶବ୍ଦ ଶୁଣି ଘର ଲୋକେ ଉଠିବା ପରେ ସୁରକ୍ଷାକର୍ମୀଙ୍କୁ ଡାକିଥିଲେ। ତେବେ ଦ୍ବିତୀୟ ମହଲାର ଝରକା ଡେଇଁ ଦୁର୍ବୃତ୍ତ ଜଣଙ୍କ ଖସି ଯାଇଥିଲା। ଏନେଇ ଥାନାରେ ଏଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଲୁଟ୍‌ ପରେ ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି, ଭଗବାନଙ୍କ କୃପାରୁ ପରିବାର ସଦସ୍ୟ ସୁରକ୍ଷିତ ଅଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ ନିରଞ୍ଜନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ।

Comments are closed.