ଭୁବନେଶ୍ବର: ଆନ୍ଧ୍ରପ୍ରଦେଶରେ ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପ ଲାଗି ମାଲକାନଗିରି ଜିଲ୍ଲାର ଏକାଧିକ ଗାଁ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ଏହାକୁ ବିରୋଧ କରି ବଡ଼ ଆନ୍ଦୋଳନ କରିବାକୁ ଯାଉଛି ବିଜେଡି । ଆସନ୍ତା ୨୮ ତାରିଖରେ ଏନେଇ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ଏବଂ ଆନ୍ଦୋଳନ କରିବ । ବାରମ୍ବାର ସରକାରଙ୍କୁ ଏନେଇ ଅବଗତ କରାଇଥିଲେ ମଧ୍ୟ ସରକାର ଏହା ଉପରେ କୌଣସି ଧ୍ୟାନ ଦେଉନଥିବା ଅଭିଯୋଗ କରି ଏବେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି ।
ଏନେଇ କେନ୍ଦ୍ର ସରକାର ଆନ୍ଧ୍ରକୁ ଅହେତୁକ ଅନୁକମ୍ପା ଦେଖାଉଥିବା କଥା ଅଭିଯୋଗ କରିଛନ୍ତି ବିଧାୟକ ସାରଦା ଜେନା । ସେପଟେ, ପୋଲାଭରମ ନେଇ ରାଜ୍ୟ ସରକାର ଓ ବିଜେପିର ୨୦ ସାଂସଦ କାହିଁକି ଚୁପ୍ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ଧ୍ରୁବ ସାହୁ । ଡବଲ ଇଞ୍ଜିନ୍ ସରକାର ଓଡିଶାର ଲାଭ ନୁହେଁ, କ୍ଷତି ଚାହୁଁଛି ବୋଲି ସେ କହିଛନ୍ତି ।
ତେବେ ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ବିଜେଡି ପକ୍ଷରୁ ମାଲକାନଗିରିର ମୋଟୁରୁ ଭୁବନେଶ୍ଵର ଯାଏଁ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ଵରରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରାଯିବ। ଆନ୍ଦୋଳନରେ ସବୁ ବର୍ଗର ଲୋକଙ୍କୁ ସାମିଲ କରିବା ନେଇ ବିଜେଡି ଲକ୍ଷ୍ୟ ରଖିଛି। କିଛି ଦିନ ମଧ୍ୟରେ ଦଳ ପକ୍ଷରୁ ଆନ୍ଦୋଳନର ରୂପରେଖ ସ୍ଥିର ହେବ।
ତେବେ ଗତ ବର୍ଷ ଜୁଲାଇ ଓ ଅଗଷ୍ଟ ମାସରେ ବିଜେଡିର ଏକ ଦଳ ପୋଲାଭରମ ଅଞ୍ଚଳ ପରିଦର୍ଶନ କରି ମାଲକାନଗିରିରେ ସମ୍ଭାବ୍ୟ କ୍ଷୟକ୍ଷତିକୁ ଆକଳନ କରିଥିଲା । ଏହାର ରିପୋର୍ଟ ନବୀନ ପଟ୍ଟନାୟକଙ୍କୁ ଦିଆଯାଇଥିଲା। ପରେ ବିଜେଡି ପକ୍ଷରୁ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ, କେନ୍ଦ୍ରୀୟ ଜଳ କମିସନ, ଆଦିବାସୀ ବ୍ୟାପାର ବିଭାଗ ଆଦିବାସୀ କମିସନଙ୍କୁ ସାକ୍ଷାତ କରି ଏ ବିଷୟରେ ସୂଚନା ଦେଇଥିଲା । ଏହାକୁ ନେଇ ଦଳୀୟ ସୁପ୍ରିମୋ ନବୀନ ପୂର୍ବରୁ କହିଥିଲେ, ମାଲକାନଗିରି ପାଇଁ ମୁଁ ବି ଲଢ଼ିବି। ତୁମେ ବି ଶେଷ ଯାଏଁ ଲଢ଼।
Comments are closed.