ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରି ଆଜି ରାଜଧାନୀରେ ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶହ ଶହ ସଂଖ୍ୟାରେ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିବା ସହ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି।
ରାଜ୍ୟରେ ହତ୍ୟା, ଲୁଟ୍ ଏବଂ ମହିଳା ନିର୍ଯାତନା ଭଳି ଅପରାଧିକ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ଦଳ ଅଭିଯୋଗ କରିଛି।
ବିଶେଷ କରି ବାଲିଅନ୍ତା, କଣାସ ଏବଂ କେନ୍ଦୁଝରରେ ଘଟିଥିବା ସାମ୍ପ୍ରତିକ ହିଂସାକାଣ୍ଡକୁ ନେଇ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଛି।
ପୋଲିସ ଉପସ୍ଥିତିରେ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଉଛି, ଯାହା ପ୍ରଶାସନର ବିଫଳତାକୁ ଦର୍ଶାଉଛି ବୋଲି ଦଳ କହିଛି।
ସରକାର ଆଇନଶୃଙ୍ଖଳା ରକ୍ଷା କରିବାରେ ଅକ୍ଷମ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦଳ ଦାବି କରିଛି।
ରାଜ୍ୟରେ ଆଇନର ଶାସନ ନାହିଁ। ପୋଲିସ ଉପସ୍ଥିତିରେ ହତ୍ୟାକାଣ୍ଡ ଘଟୁଛି। ଏଭଳି ସ୍ଥିତି ଓଡ଼ିଶାକୁ ଜାତୀୟ ସ୍ତରରେ ନିନ୍ଦିତ କରୁଛି। ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ କହିଛନ୍ତି।
ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନରେ ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ ଭାବେ ଜଣାଥିଲା, କିନ୍ତୁ ଗତ ଦୁଇ ବର୍ଷରେ ସ୍ଥିତି ଅତି ଭୟଙ୍କର ହୋଇଛି। ମହିଳାମାନେ ଆଜି ସୁରକ୍ଷିତ ନୁହନ୍ତି ବୋଲି ବିଜୁ ଛାତ୍ର ଜନତା ଦଳ ନେତ୍ରୀ ଇପ୍ସିତା ସାହୁ କହିଛନ୍ତି ।
ରାଜ୍ୟରେ ବଢୁଥିବା ଅପରାଧକୁ ନେଇ ବିରୋଧୀ ବିଜେଡି ଏବେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି। ବାଲିଅନ୍ତା ମୋବ୍ ଲିଞ୍ଚିଂ ଭଳି ଘଟଣା ଏହି ଆନ୍ଦୋଳନକୁ ଅଧିକ ତେଜିଛି।