Latest Odisha News

ଦ୍ୱିତୀୟ ପର୍ଯ୍ୟାୟ ମତଦାନବେଳେ ବିଜେପି ଘଟାଇଛି ବ୍ୟାପକ ହିଂସାକାଣ୍ଡ: ବିଜେଡି

ଭୁବନେଶ୍ୱର: ଆଜି ରାଜ୍ୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ ସରିଛି । ହେଲେ ମତଦାନ ପୂର୍ବରୁ ଓ ମତଦାନ ସମୟରେ ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ତେବେ ଏହିପ୍ରରିପେକ୍ଷିରେ ଆଜି ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମୀ ଅଶୋକ ମହାନନ୍ଦ ବିଶ୍ବନାଥ ମିର୍ଧାଙ୍କୁ ଛୁରାମାଡ ହୋଇଥିବା ଅଭିଯୋଗ ହୋଇଛି ।

ଯାହାକୁ ନେଇ ବିଜେଡି ସାଂସଦ ତଥା ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ଯେ, ଏହି ଘଟଣା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ ବରଂ ମଦ୍ୟପାନ କରି ଦୁଇ ଜଣଙ୍କ ମଧ୍ୟରେ ବ୍ୟକ୍ତିଗତ ଝଗଡ଼ା । କିନ୍ତୁ ବିଜେପି ଏହାକୁ ଏକ ରାଜନୈତିକ ପ୍ରସଙ୍ଗ କରିବାକୁ ଚାହୁଁଥିଲା ଏବଂ ସେହି ଢଙ୍ଗରେ ଏହାକୁ ଦର୍ଶାଇଥିଲା ବୋଲି ସେ କହିଛନ୍ତି ।

ଡ.ପାତ୍ର କହିଛନ୍ତି ଯେ, ମିଳିଥିବା ସୂଚନା ଅନୁଯାୟୀ, ରୋକ୍ସା ଗ୍ରାମପଞ୍ଚାୟତ, ବୌଦ୍ଧ ବ୍ଲକ, କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମହେଶ୍ୱରପିଣ୍ଡା ବୁଥ୍ ନଂ ୨୮ ଓ ଅମୁରଦା ବୁଥ୍ ନଂ ୦୯ ରେ ବିଜେପି ନେତା, କର୍ମୀ ଓ ବିଜେପି ବିଧାୟକ ପ୍ରାର୍ଥୀ ସରୋଜ କୁମାର ପ୍ରଧାନଙ୍କ ସମର୍ଥକମାନେ ବୁଥ୍ ଦଖଲରେ ଲାଗିଛନ୍ତି । ସେହିପରି ସୁନ୍ଦରଗଡ଼ ପୌରପାଳିକା ୭ ନମ୍ବର ୱାର୍ଡ ବୁଥ୍ ନମ୍ବର ୨୧୩ ରେ ବିଜେପି ବିଧାୟିକା ପ୍ରାର୍ଥୀ କୁସୁମ ଟେଟେ ତାଙ୍କ ସମର୍ଥକଙ୍କ ସହ ମିଶି ଭୋଟରଙ୍କୁ ଧମକ ଦେଇଛନ୍ତି ବୋଲି ସେ କହିଛନ୍ତି ।

ଟିଟଲାଗଡ଼ର ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନ ପରାଜୟ ଭୟରେ ବିଜେଡି କର୍ମୀଙ୍କୁ ଲଗାତାର ଧମକ ଦେଉଛନ୍ତି । ବିଜେପି ସପକ୍ଷରେ ଭୋଟ୍ ଦେବା ପାଇଁ ସେ ଲଗାତାର ଲୋକଙ୍କୁ ଭୟଭୀତ କରୁଛନ୍ତି ନଚେତ୍ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଶ୍ରୀ ପାତ୍ର କହିଛନ୍ତି । ଅତାବିରା ନିର୍ବାଚନ ମଣ୍ଡଳୀରେ ଅନୁରୂପ ଘଟଣା ଦେଖିବାକୁ ମିଳିଛି । ସୁଆଳଖଣ୍ଡ ପଞ୍ଚାୟତ, ଯୋଗୀପାଲି ମତଦାନ କେନ୍ଦ୍ର, ବୁଥ୍ ନଂ ୨୨୧ରେ ସ୍ୱେଚ୍ଛାସେବୀ ବେଶରେ ବିଜେପି କର୍ମୀମାନେ ଭିନ୍ନକ୍ଷମ ଭୋଟରଙ୍କୁ ବିଜେପିକୁ ଭୋଟ୍ ଦେବାକୁ ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସାଂସଦ ।

ଅନ୍ୟପଟେ, ବରଗାଁର ଅଇଁପାଲି ପଞ୍ଚାୟତ, ବୁଥ୍ ନଂ ୨୧୨ ରେ ବିଜେଡି ଭୋଟର ଓ ବୁଥ୍ ଏଜେଣ୍ଟଙ୍କୁ ଧମକାଇଛନ୍ତି ବିଜେପି କର୍ମୀ । ସାଲେପାଲି, ଅରିଗୁଡି ଜିପି, ବୁଥ୍ ନଂ ୨୪୬ରେ ବିଜେପି କର୍ମୀମାନେ ବିଜେଡି କର୍ମୀଙ୍କୁ ମାଡ଼ ମାରିଛନ୍ତି ।

ଏଭଳି ହିଂସାକାଣ୍ଡ ଅତ୍ୟନ୍ତ ଉଦବେଗଜନକ ଏବଂ ଓଡ଼ିଶାରେ ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତାକୁ ନେଇ ଗଭୀର ସନ୍ଦେହ ସୃଷ୍ଟି କରିଛି । ନିର୍ବାଚନ ପ୍ରକ୍ରିୟାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବା ଜରୁରୀ । ଗଣତନ୍ତ୍ରର ନୀତିକୁ ବଜାୟ ରଖିବା ଏବଂ ଓଡ଼ିଶାରେ ଅବାଧ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଆମେ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରୁଛୁ । ଆଗକୁ ହିଂସା ରୋକିବା ପାଇଁ ଏବଂ ଦାୟୀ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଲାଗି ସୁନିଶ୍ଚିତ ଉତ୍ତରଦାୟୀ କରିବା ପାଇଁ ଆମେ ଏହି ମାମଲାରେ ଆପଣଙ୍କ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରୁଛୁ ।

ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୨୪ ମେ ୨୦ ତାରିଖ ସକାଳେ ଏକ ଅଭାବନୀୟ ଘଟଣା ଘଟିଥିଲା । ପଦ୍ମପୁରର ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୋୟଙ୍କ ସମର୍ଥକ ତଥା ଗ୍ରାମ ପଞ୍ଚାୟତ ସରଗିବାହାଲ ଗ୍ରାମର ଦୟାନିଧି ସୁନାଙ୍କୁ ବିଜେପି କର୍ମୀମାନେ ନିର୍ମମ ଭାବେ ଆକ୍ରମଣ କରିଥିଲେ । ପଞ୍ଚାଭୟା ବୁଥ୍ ନିକଟରେ ଏହି ଆକ୍ରମଣ ଘଟିଥିବା ବେଳେ ସୁନା ଗୁରୁତର ଆହତ ହୋଇଛନ୍ତି । ଏଥିସହିତ ବିଜେପି କର୍ମୀମାନେ ତାଙ୍କୁ ଜୀବନ ପ୍ରତି ବିପଦପୂର୍ଣ୍ଣ ଚେତାବନୀ ଦେଇଛନ୍ତି । ଗଣତାନ୍ତ୍ରିକ ସମାଜରେ ଏଭଳି ହିଂସାକାଣ୍ଡ ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ ଏବଂ ଅବାଧ ଓ ନିରପେକ୍ଷ ନିର୍ବାଚନ ନୀତିକୁ ଗୁରୁତର ଭାବେ କ୍ଷୁଣ୍ଣ କରୁଛି ବୋଲି ଡ. ପାତ୍ର କହିଛନ୍ତି ।

ଏହାବ୍ୟତୀତ ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନେଗିମାଣ୍ଡା ଗ୍ରାମରେ ଘଟିଥିବା ଅପହରଣ ଓ ହିଂସାକାଣ୍ଡର ଏକ ଗମ୍ଭୀର ଘଟଣା ପ୍ରତି ଆମେ ତୁରନ୍ତ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛୁ । ଗାଁରେ ବିଜୁ ଜନତା ଦଳ କାର୍ଯ୍ୟାଳୟ ଖୋଲିବାକୁ ଉଦ୍ୟମ କରୁଥିବା ବେଳେ ଭଟଲିର ବିଜେପି ବିଧାୟକ ପ୍ରାର୍ଥୀଇରାଶିଷ ଆଚାର୍ଯ୍ୟଙ୍କ ସମର୍ଥକମାନେ ନେଗିମାଣ୍ଡା ଗ୍ରାମର ସାନନ୍ଦ ସାହୁଙ୍କୁ ଅପହରଣ କରି ନିର୍ମମ ଭାବେ ମାଡ଼ ମାରିଥିଲେ । ଏକ ରାଜନୈତିକ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ଏକ ବୈଧ ଏବଂ ଗଣତାନ୍ତ୍ରିକ କାର୍ଯ୍ୟକଳାପ । ତେବେ ଏହାକୁ ନେଇ ବିରୋଧୀ ପ୍ରାର୍ଥୀଙ୍କ ସମର୍ଥକମାନେ ହିଂସାକାଣ୍ଡ ଘଟାଇଥିବା ଡ.ପାତ୍ର ଦର୍ଶାଇଛନ୍ତି ।

Comments are closed.