Latest Odisha News

BREAKING NEWS

ବିଜେଡ଼ି ରଣନୀତି: ଲଢି ନ’ପାରନ୍ତି ପ୍ରଣବ, ଅରୁଣ ଓ ସଞ୍ଜୟ, କରିବେ ନିର୍ବାଚନ ପରିଚାଳନା

ଭୁବନେଶ୍ୱର: ଶାସକ ବିଜେଡ଼ି ଏଥର ସାଧାରଣ ନିର୍ବାଚନରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ସମେତ କିଛି ବର୍ତ୍ତମାନର ବିଧାୟକଙ୍କୁ ଦଳର ପ୍ରାର୍ଥୀ ନକରିପାରେ, ବରଂ ଆଗାମୀ ନିର୍ବାଚନ ରଣାଙ୍ଗନରେ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇପାରେ ବିଜୁ ଜନତା ଦଳ ।

ପାର୍ଟି ସୂତ୍ରରୁ ସୂଚନାମିଳିଛି, ବିଜେଡ଼ି ଯୁବନେତା ପ୍ରଣବ, ନୟାଗଡ଼ ବିଧାୟକ ଅରୁଣ ସାହୁ ଏବଂ ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ନକରି ବରଂ ଆଗାମୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଏହି ଉପରସ୍ତରୀୟ ନେତାମାନଙ୍କୁ ଦଳର ସାଂଗଠନିକ ଦାୟିତ୍ୱ ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହସ୍ତାନ୍ତର କରିବା ନେଇ ଆଲୋଚନା ହେଉଛି ।

ଏହି ତିନିଜଣ ନେତା ବିଭିନ୍ନ ସମୟରେ ବିଜେଡ଼ିର ଗୁରୁତ୍ୱପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରିଥାଆନ୍ତି । ଗତ ୨୦୧୭ ପଞ୍ଚାୟତନ ନିର୍ବାଚନରେ ଦଳ ବିଶେଷ ସଫଳତା ହାସଲ କରିପାରିନଥିବା ଏବଂ ଦଳର ଭାବମୂର୍ତ୍ତିକୁ ଅକ୍ଷୁର୍ଣ୍ଣ ରଖିବା ଲାଗି ଏହି ତିନି ନେତାଙ୍କୁ ମନ୍ତ୍ରୀପଦରୁ ହଟାଇ ଦିଆଯାଇଥିଲା ।

ଏପରିକି ବିଜେଡ଼ି ଦଳୀୟ ସୂତ୍ରରୁ ସୂଚନା ମିଳିଛି ଯେ, ଯେହେତୁ ବର୍ତ୍ତମାନ ସାଂଗଠନିକସ୍ତରରେ ନିର୍ବାଚନ ଲାଗି ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟ ଏକରକମ ଚାଲିଲାଣି ତେଣୁ ରଣନୀତି ପ୍ରସ୍ତୁତ କରିବାକୁ ବିଜେଡ଼ିର ମୁଖ୍ୟ ପରାମର୍ଶଦାତାମାନେ ଏହି ତିନିନେତାଙ୍କର ଆବଶ୍ୟକତା ଉପଲବ୍ଧୀ କରିଛନ୍ତି । ସେପଟେ ବିଜେପି ଏବଂ କଂଗ୍ରେସର କଡ୍ଡା ଚ୍ୟାଲେଞ୍ଜକୁ ପ୍ରତିହତ କରିବାକୁ ଏହି ତିନିଜଣ ନେତାଙ୍କ ମିଳିତ ରଣନୀତି ଦଳର ଏବେ ଆବଶ୍ୟକତା ରହିଛି ବୋଲି ବରିଷ୍ଠ ବିଜେଡ଼ି ନେତାମାନେ ଅନୁଭବ କରିସାରିଛନ୍ତି ।

ପୂର୍ବ ନିର୍ବାଚନମାନଙ୍କରେ ବରିଷ୍ଠ ନେତାମାନେ ସାଂଗଠନିକ କାର୍ଯ୍ୟ ପରିଚାଳନା କରୁଥିବା ବେଳେ ଏବେ ଦଳ ଯୁବନେତାମାନଙ୍କୁ ବେଶ୍ ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଇଛି ।

ଦେଖିବାକୁ ଗଲେ, ୨୦୦୦ ବିଧାନସଭା ନିର୍ବାଚନରେ ସେତେବେଳେ ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ଦିଲିପ ରାୟ, ନଳୀନିକାନ୍ତ ମହାନ୍ତି ଏବଂ ରାମକୃଷ୍ଣ ପଟ୍ଟନାୟକଙ୍କ ପରି ବିଜେଡ଼ି ନେତାମାନେ ସଂଶ୍ଳିଷ୍ଟ ରହିଥିଲେ । ସେହପରି ୨୦୦୪ ଓ ୨୦୦୯ ନିର୍ବାଚନରେ ପ୍ୟାରୀମୋହନ ମହାପାତ୍ର ନବୀନଙ୍କ ମୁଖ୍ୟ ସହଯୋଗୀ ଭାବେ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲେ । ସେହି ସମୟରେ ବିଜେପି-ବିଜେଡ଼ି ମେଣ୍ଟର ଗମ୍ଭୀରତାକୁ ଉପଲବ୍ଧି କରିପାରି ସୁନ୍ଦର ରଣନୀତି ପ୍ରସ୍ତୁତ କରି ଦଳ ୧୦୦ଟି ଆସନ ନିଶ୍ଚିତ ପାଇବ ବୋଲି ଯେଉଁ ଭବିଷ୍ୟବାଣୀ କରିଥିଲେ, ପ୍ରକୃତରେ ତାହାହିଁ ହୋଇଥିଲା । ବିଜେଡ଼ି ସେହି ନିର୍ବାଚନରେ ୧୦୩ଟି ଆସନ ପାଇ ଅଦ୍ଭୁତପୂର୍ବ ସଫଳତା ହାସଲ କରିପାରିଥିଲା ।

ତେବେ ପ୍ୟାରୀଙ୍କ ଅନ୍ତେ ୨୦୧୪ରେ ଦଳର ସାଂଗଠନିକ ଦାୟିତ୍ୱ ହାତକୁ ନେଇଥିଲେ ଯୁବନେତା ପ୍ରଣବ, ଅରୁଣ ଓ ସଞ୍ଜୟ ଦାସବର୍ମା, କିନ୍ତୁ ଏମାନେ ରାଜ୍ୟସଭା ସାଂସଦ କଳ୍ପତରୁଙ୍କ ପରାମର୍ଶ ଓ ସାହାଯ୍ୟ ଗ୍ରହଣ କରିଥିଲେ । ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ୧୪୭ଟି ବିଧାନସଭା ଆସନରୁ ଏକାକୀ ୧୧୭ଟି ଏବଂ ୨୧ଟି ଲୋକସଭା ଆସନରୁ ଏକାକୀ ୨୦ଟି ଆସନ ନେଇ ଆଞ୍ଚ ଳିକ ଦଳଭାବେ ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଦେଇଥିଲା ।

ଜଣେ ବରିଷ୍ଠ ବିଜେଡ଼ି ନେତା କହିଛନ୍ତି, “ଯୁବନେତା ପ୍ରଣବ, ଅରୁଣ ଏବଂ ସଞ୍ଜୟଙ୍କ ନିର୍ବାଚନୀ ଗୋଟିଚାଳନାରେ ବେଶ୍ ଦକ୍ଷତା ରହିଥିବା ଯୋଗୁଁ ସେମାନେ ଏହି ନିର୍ବାଚନରେ ନଲଢି ବରଂ ଦଳର ସମ୍ପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ ନେବେ, ଏବଂ ଦଳକୁ ପୁନର୍ବାର ବିଜୟର ଟୀକା ପିନ୍ଧାଇପାରିବେ,”ବୋଲି ଏହି ବରିଷ୍ଠ ନେତା ଜଣକ କହିଛନ୍ତି ।

ତେବେ ଏନେଇ ଦଳର ସୁପ୍ରିମୋ କ’ଣ ନିଷ୍ପତ୍ତି ଗ୍ରହଣ କରୁଛନ୍ତି ତାହା ଦେଖିବାକୁ କେବଳ ବାକି ରହିଛି ।

Leave A Reply

Your email address will not be published.