ଭୁବନେଶ୍ଵର: ବିଜୁ ଶ୍ରମିକ ସାମ୍ମୁଖ୍ୟର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଶନିବାର ସାମିଲ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ଶ୍ରମିକମାନଙ୍କ ସ୍ବାର୍ଥକୁ ନେଇ ସମ୍ବୋଧିତ କରିଛନ୍ତି ନବୀନ। ଜୀବନର ଶେଷ ପର୍ଯ୍ୟନ୍ତ ଶ୍ରମିକଙ୍କ ସହ ତାହି ସେମାନଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି।
ବୈଠକରେ ସମ୍ବୋଧିତ କରି ଶ୍ରୀ ପଟ୍ଟନାୟକ କହିଛନ୍ତି, “ଆଜି ବିଜୁ ଜନତା ଦଳ ଶ୍ରମିକ ସାମୁଖ୍ୟ ସଭାରେ ଯୋଗ ଦେଇ ମୁଁ ବହୁତ ଖୁସି । ଏହି ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଜଣାଉଛି । ଗୋଟିଏ ରାଷ୍ଟ୍ରର ସବୁଠାରୁ ବଡ ଶକ୍ତି ହେଉଛନ୍ତି ଶ୍ରମିକ। ଆପଣମାନଙ୍କର ତ୍ୟାଗ ଓ ପରିଶ୍ରମ ଦେଶକୁ ସମୃଦ୍ଧ କରିଥାଏ। ବିକାଶ ଓ ସମୃଦ୍ଧିର ପ୍ରତି କ୍ଷେତ୍ରରେ ଆପଣମାନଙ୍କର, ଆମର ଶ୍ରମିକ ଭାଇ ଭଉଣୀ ମାନଙ୍କର ବିଶେଷ ଅବଦାନ ରହିଛି। ଆପଣମାନଙ୍କର ଏହି ଅବଦାନକୁ ମୁଁ ସମ୍ମାନ ଜଣାଉଛି ।
ଏହି ଅବସରରେ ଶ୍ରୀ ପଟ୍ଟନାୟକ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ। ସେ କହିଥିଲେ ୧୯୯୦ ରେ ମହାନ ଜନନାୟକ ବିଜୁ ବାବୁ ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି କରି ଇତିହାସ ସୃଷ୍ଟି କରିଥିଲେ। ଆପଣମାନଙ୍କର କଲ୍ୟାଣ ପାଇଁ ନିର୍ମାଣ ଶ୍ରମିକଙ୍କଠାରୁ ଆରମ୍ଭ କରି କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ କ୍ଷେତ୍ରରେ ଆମ ସରକାର ନୂଆ ଯୁଗ ଆରମ୍ଭ କରିଥିଲା । ବିଜୁ ଜନତା ଦଳ ସବୁବେଳେ ଆପଣମାନଙ୍କର ହକ୍ ପାଇଁ ଲଢେଇ କରି ଆସିଛି ଓ କରି ଚାଲିବ। ଆପଣମାନେ ଖୁସିରେ ରହିଲେ, ଭଲରେ ରହିଲେ ମୁଁ ସବୁଠାରୁ ବେଶୀ ଖୁସି ହେବି । ମୁଁ ସବୁବେଳେ ଆପଣମାନଙ୍କ ସାଥିରେ ଅଛି ଏବଂ ଶେଷ ପର୍ଯ୍ୟନ୍ତ ଆପଣମାନଙ୍କ କଲ୍ୟାଣ ପାଇଁ କାମ କରି ଚାଲିବି ବୋଲି ସେ କହିଥିଲେ।
Comments are closed.