Latest Odisha News

BREAKING NEWS

ସନାଙ୍କୁ ତାଗିଦ୍ କଲେ ନବୀନ; କହିଲେ, ‘କାହିଁକି ଆସିନଥିଲ?’

ଭୁବନେଶ୍ବର: ଆଜିଠୁ ବିଧାନସଭା ଆରମ୍ଭ ହେଉଥିବା ବେଳେ ଗୃହ ବାହାରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଗୃହକୁ ପ୍ରବେଶ କରିବା ବେଳେ ଚମ୍ପୁଆ ବିଜେଡି ବିଧାୟକ ସନାତନ ମହାକୁଡଙ୍କୁ ଦେଖି ଚିହିଁକି ଉଠିଥିଲେ ନବୀନ । କାହିଁକି ପାର୍ଟି ମିଟିଙ୍ଗରେ ଯୋଗ ଦେଇନଥିଲେ ବୋଲି ପ୍ରଶ୍ନ କରି ଭରା ମଇଦାନରେ ତାଗିଦ୍ କରିଥିଲେ । ଉତ୍ତରରେ ସନାତନ ଅସୁସ୍ଥତା ଥିବା କହିଥିଲେ ମଧ୍ୟ ଅସନ୍ତୁଷ୍ଟ ହୋଇଥିଲେ ନବୀନ । ଆଗରୁ ନବୀନଙ୍କ ଏପରି ଆଚରଣ ଦେଖିବାକୁ ମିଳିନଥିବା ବେଳେ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି ହୋଇଛି ।

ତେବେ ଆଜି ଯେତେବେଳେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବଜେଟ ଅଧିବେଶନରେ ଯୋଗ ଦେବାକୁ ବିଧାନସଭା ଭିତରକୁ ପ୍ରବେଶ କରୁଥାନ୍ତି, ସେତେବେଳେ ସନାତନଙ୍କୁ ଦେଖି ସିଧା ପ୍ରଶ୍ନବାଣ ମାରିଥିଲେ ନବୀନ । ଗତକାଲି ହୋଇଥିବା ବିଜେଡି ବୈଠକରେ କାହିଁକି ସନାତନ ଯୋଗ ଦେଇନଥିଲେ ବୋଲି ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ, ତାଙ୍କ ଦେହ ଖରାପ ଥିଲା ବୋଲି କାରଣ ଦର୍ଶାଇଥିଲେ ସନାତନ । ହେଲେ ଏହାପରେ ସିଧା ସନାତନଙ୍କୁ କଟାକ୍ଷ କରି, କ’ଣ ବିଜେଡି ଆଡେ ମୁହାଁଉଛ ବୋଲି କହିଥିଲେ । ଏହାପରେ ଉତ୍ତରରେ ସନାତନ କିଛି କହିନଥିଲେ ।

କିନ୍ତୁ ଏହା ଭିତରେ ସବୁଠୁ ରୋଚକ କଥା ହେଉଛି, ପୂର୍ବରୁ ଏଭଳି ଭାବେ ନବୀନଙ୍କ ଆଚରଣ କେବେ ବି ଦେଖିବାକୁ ମିଳିନଥିଲା । ଆଉ ଆଜି ନବୀନଙ୍କ ଏପରି ତେରଛା ପ୍ରଶ୍ନବାଣ, ତାହା ପୁଣି ନିଜ ଦଳୀୟ ନେତାଙ୍କୁ, ଏବେ ରାଜନୈତିକ ମହଲରେ ଏହା ଚର୍ଚ୍ଚା ସୃଷ୍ଟି କରିଛି ।

ସେପଟେ ଏହାକୁ ନେଇ ସନାତନ କହିଛନ୍ତି, ମୁଁ ଦଳ ଠାରୁ ଦୂରେଇନି, ଦଳ ସହ ଅଛି, ରହିଛି, ରହିବି । ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛୁ, ଆଲୋଚନା କରୁଛୁ । ସେ ପୂରା ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଜେପିର ମୁଖ୍ୟମନ୍ତ୍ରୀ ନୁହଁନ୍ତି । କାହିଁକି ଦଳୀୟ ବୈଠକକୁ ଆସିଲେନି ବୋଲି ନବୀନ ପଚାରିଥିଲେ । ସେ ଦଳର ମୁରବି, ପଚାରିବା ଅଧିକାର ତାଙ୍କର ଅଛି । ମୁଁ ଅସୁସ୍ଥତା ଥିବା କହିଲି, ବିଜେପି ଯାଉଛନ୍ତି କି ବୋଲି ସେ ପଚାରିନାହାନ୍ତି  ବୋଲି ପ୍ରତିକ୍ରିୟା ରଖିଛନ୍ତି ସନାତନ ।

Comments are closed.