Latest Odisha News

BREAKING NEWS

ନଡ୍ଡାଙ୍କ ଉପସ୍ଥିତିରେ ରାଜଧାନୀରେ ବିଜେଡି କରିବ ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବର୍ଷେରୁ ଅଧିକ ସମୟ ରହିଛି। ହେଲେ ଏହା ପୂର୍ବରୁ ପ୍ରମୁଖ ରାଜନୈତିକ ଦଳମାନେ ତୃଣମୂଳ ସ୍ତରରେ ସଂଗଠନ ମଜବୁତ କରିବା ଉପରେ ଜୋର ଦେଇଛନ୍ତି। ଆଉ ଏବେ ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି ଦୁଇ ପ୍ରମୁଖ ଦଳ ବିଜେପି ଏବଂ ବିଜେଡି ।

ସେପ୍ଟେମ୍ବର ୩୦ ପ୍ରଥମେ ବିଜେପି ସଭାପତି ଜେ.ପି ନଡ୍ଡାଙ୍କ ଉପସ୍ଥିତିରେ ଦଳ ବିଶାଳ ରାଲିର ଆୟୋଜନ କରୁଥିବା ବେଳେ ଏବେ ବିଜେଡି ମଧ୍ୟ ସମାନ ପ୍ରକାରର ଏକ ରାଲି ଆୟୋଜନ କରିଛି।ପଦଯାତ୍ରା ପ୍ରସ୍ତୁତି ଆଳରେ ବିଜେଡି ଏବେ ବିଜେପି ସଭାପତିଙ୍କ ଆଗରେ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି। ଯାହାକି ବିଜେପି ସଭାପତି ନଡ୍ଡାଙ୍କ ଦୁଇ ଦିନିଆ ଗସ୍ତକୁ କାଉଣ୍ଟର କରିବାକୁ ସେପ୍ଟେମ୍ବର ୨୯ ଓ ୩୦ରେ ଆୟୋଜନ ହୋଇଛି।

ରାଜଧାନୀ ସ୍ଥିତ ବରମୁଣ୍ଡା ପଡିଆରେ ବିଜେଡି ଏହି ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ସାମ୍ବାଦିକ ସମ୍ମିଳନୀ କରି ବିଜେଡି ପକ୍ଷରୁ ଏହି ସୂଚନା ଦିଆଯାଉଛି। ୨୯ ତାରିଖରେ ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ସଙ୍ଗଠନର ପ୍ରତିନିଧି ଓ ଗଠିତ ହୋଇଥିବା କ୍ୟାମ୍ପସ କମିଟିର ପ୍ରତିନିଧିଙ୍କୁ ନେଇ ବୈଠକ ହେବ। ପାଖାପାଖି ୨ ହଜାରରୁ ଅଧିକ ପ୍ରତିନିଧି ଏହି ସାମବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସେହିପରି ସେପ୍ଟେମ୍ବର ୩୦ ତାରିଖରେ ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ତିନି ସହରର ମେୟର, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ, କର୍ପୋରେଟରଙ୍କୁ ନେଇ ବିଜେଡି ବୈଠକ କରିବାକୁ ଯାଉଛି। ଏହି ଦୁଇ ଦିନିଆ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଉଦବୋଧନ ଦେବେ ବୋଲି ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ଏହି ସମାବେଶ ପରେ ବିଜୁ ଜନତା ଦଳ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ୱର ୨ ପର୍ଯ୍ୟନ୍ତ ମାସେ ଧରି ଜନ ସମ୍ପର୍କ ପଦଯାତ୍ରା କରିବ। ସାଂଗଠନିକ ପୁନର୍ଗଠନ ପ୍ରକ୍ରିୟା ଏବେ ପ୍ରାୟତଃ ଶେଷ ପର୍ଯ୍ୟୟରେ ପହଞ୍ଚିଛି, ଛାତ୍ରମାନଙ୍କୁ ସଂଗଠିତ କରିବା ପାଇଁ ଦଳ ପକ୍ଷରୁ କଲେଜମାନଙ୍କରେ କ୍ୟାମ୍ପସ କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦଳର ଛାମୁଆ ସଂଗଠନର ନବକଳେବର କରାଯାଇଛି।

ନଡ୍ଡାଙ୍କ ଗସ୍ତ ପରେ ଓଡିଶା ବିଜେପି କିପରି ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ଏଥିସହ ଆଗକୁ ଆସୁଥିବା ଧାମନଗର ଉପନିର୍ବାଚନ ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିବ ବୋଲି ଜଣାପଡିଛି।

ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ରାଷ୍ଟ୍ରୀୟ ଅଧ୍ୟତକ୍ଷ ହେବା ପରେ ନଡ୍ଡା ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହାକୁ ନେଇ ଦଳୀୟ କର୍ମୀ ଉତ୍ସାହିତ ଅଛନ୍ତି। ଦୁଇ ଦିନିଆ ଗସ୍ତ ସମୟରେ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବେ ନଡ୍ଡା। ବିଜେପି ପୂର୍ବ ପ୍ରସ୍ତୁତି ଅନୁଯାୟୀ ସମାବେଶ କରୁଛି। ବିଜେଡି କିମ୍ବା ଅନ୍ୟ କୌଣସି ଦଳ ସମାବେଶ କଲେ କିଛି ଅସୁବିଧା ନାହିଁ। ଯିଏ ସମାବେଶ କରୁଛନ୍ତି ତାଙ୍କୁ ମଧ୍ୟ ସେ ଶୁଭେଚ୍ଛା ଜଣାଉଛନ୍ତି ବୋଲି ସମୀର ମହାନ୍ତି କହିଛନ୍ତି।

ବୈଠକ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ବିଜେପି ଓ ବିଜେଡି ଦୁଇ ଭାଇ ଥିଲେ ଅଛନ୍ତି। ବିଜେଡି ରାଜ୍ୟବାସୀଙ୍କ ଆସ୍ଥା ହରାଇ ସାରିଛି। ସ୍ଵାଧୀନତା ପରେ କଂଗ୍ରେସ ଅମଳରେ ରାଜ୍ୟରେ କଣ ହୋଇଛି ତାହା ୨୯ ଓ ୩୦ ତାରିଖରେ କହିବୁ। ବିଜେପି ସଭାପତି ଜେ.ପି ନଡ୍ଡା ଆସନ୍ତୁ ହୁଅନ୍ତୁ ଅବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ କଂଗ୍ରେସ କେବେ ଚିନ୍ତିତ ନୁହେଁ।

Leave A Reply

Your email address will not be published.