ଆଗାମୀ ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳୁଛି। ଅସଦୁଦ୍ଦିନ ଓୱେସୀଙ୍କ ନେତୃତ୍ୱାଧୀନ AIMIM ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ଆଜାଦ ସମାଜ ପାର୍ଟି ମିଳିତ ଭାବେ ରାଜ୍ୟରେ ଏକ ‘ତୃତୀୟ ସାମ୍ମୁଖ୍ୟ’ ଗଠନ କରିବାକୁ ଯାଉଛନ୍ତି। ଲକ୍ଷ୍ନୌରେ ଉଭୟ ନେତା ଏହି ମେଣ୍ଟକୁ ଅନ୍ତିମ ରୂପ ଦେବା ସହ ଏହାର ଆନୁଷ୍ଠାନିକ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି।
ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ନୂଆ ମେଣ୍ଟ ମୁଖ୍ୟତଃ ଦଳିତ ଏବଂ ମୁସଲମାନ ଭୋଟରଙ୍କୁ ଏକଜୁଟ କରିବା ଉପରେ ଗୁରୁତ୍ୱ ଦେଉଛି । ଉତ୍ତର ପ୍ରଦେଶର ପୂର୍ବ ଏବଂ ପଶ୍ଚିମ ଭାଗର ୨୦ରୁ ଅଧିକ ବିଧାନସଭା ଆସନରେ ଏହି ବୁଝାମଣା* ର ସିଧାସଳଖ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।
କୁନ୍ଦରକି, ସମ୍ଭଲ, ରାମପୁର, ମେରଠ, ନଗିନା, କାନପୁର କ୍ୟାଣ୍ଟ, ଆଜମଗଡ଼, ଜୌନପୁର, ବହରାଇଚ ଏବଂ ଶ୍ରାବସ୍ତୀ ଭଳି ଅଞ୍ଚଳ ଉପରେ ଉଭୟ ଦଳ ବିଶେଷ ନଜର ରଖିଛନ୍ତି। AIMIM ପକ୍ଷରୁ ପୂର୍ବରୁ ମଟେରା, ଭିନଗା ଏବଂ କୈରାନା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି।
ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ଏହି ତୃତୀୟ ସାମ୍ମୁଖ୍ୟ ସମାଜବାଦୀ ପାର୍ଟି, କଂଗ୍ରେସ ଏବଂ ବହୁଜନ ସମାଜ ପାର୍ଟି ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିପାରେ। ଓୱେସୀ ନିଜ ସଭାରେ ସିଧାସଳଖ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରୁଛନ୍ତି। ୨୦୨୨ ବିଧାନସଭା ନିର୍ବାଚନରେ AIMIM ୯୫ଟି ଆସନରେ ଲଢ଼ି ୦.୪୯% ଭୋଟ ପାଇଥିବା ବେଳେ ଆଜାଦ ସମାଜ ପାର୍ଟି ୧୧୦ଟି ଆସନରେ ଲଢ଼ି ୦.୧୩% ଭୋଟ ହାସଲ କରିଥିଲା। ପରବର୍ତ୍ତୀ ସମୟରେ ପୌର ନିର୍ବାଚନରେ AIMIM ଭଲ ପ୍ରଦର୍ଶନ କରି ୫ ଜଣ ନଗରପାଳିକା ଅଧ୍ୟକ୍ଷ ଏବଂ ୮୩ ଜଣ କର୍ପୋରେଟର୍ ଜିତିଥିଲା। ଯଦି ଏହି ନୂଆ ମେଣ୍ଟ ଦଳିତ ଓ ମୁସଲମାନ ଭୋଟ ବିଭାଜନ କରିବାରେ ସଫଳ ହୁଏ, ତେବେ ବିରୋଧୀ ଦଳଗୁଡ଼ିକର ଅଙ୍କ ବିଗିଡ଼ିବା ସହ ଭାରତୀୟ ଜନତା ପାର୍ଟିକୁ ଏହାର ଲାଭ ମିଳିପାରେ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି।
