Latest Odisha News

BREAKING NEWS

ବ୍ରଜରାଜନଗର ଜିତିଲେ ବିଜେଡିର ଅଳକା ମହାନ୍ତି; ତୃତୀୟ ସ୍ଥାନରେ ରାଧାରାଣୀ

ଭୁବନେଶ୍ୱର: ବ୍ରଜରାଜନଗର ଉପ-ନିର୍ବାଚନରେ ୬୫ହଜାର ୭୯୧ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି । ଅଳକାଙ୍କୁ ସର୍ବ ମୋଟ୍ ୯୩ ହଜାର ୭୯୦ ଭୋଟ୍ ମିଳିଛି । ବିଜୟ ଲାଭ କରିବା ପରେ ଅଳକା କହିଛନ୍ତି ଯେ, ସେ ବ୍ରଜରାଜନଗର ବାସୀଙ୍କ ସବୁ ପ୍ରକାର ଉନ୍ନତି ପାଇଁ କାମ କରିବେ ।

ତାଙ୍କ ସ୍ୱାମୀ କିଶୋର ମହାନ୍ତି କରିଥିବା ଭଲ କାମ ପାଇଁ ଲୋକେ ତାଙ୍କୁ ଭୋଟ୍ କରିଛନ୍ତି । ଏହା ସହ ସେ ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅସହନୀୟ ଗରମରେ ତାଙ୍କ ପାଇଁ କାମ କରିଥିବା ସମସ୍ତ ବିଜେଡି କର୍ମୀଙ୍କୁ ସେ ଆଭାର ବ୍ୟକ୍ତ କରିଛନ୍ତି ।

ସେପଟେ, ବିଜେପି ଓ କଂଗ୍ରେସ ଅଳକାଙ୍କ ଠାରୁ ସମସ୍ତ ୨୦ ରାଉଣ୍ଡରେ ପଛରେ ରହିଥିଲେ । ସମୁଦାୟ ଗଣତିରେ ଉଭୟ ବିଜେପି ଓ କଂଗ୍ରେସ ଢ଼େର ଭୋଟ୍ ବ୍ୟବଧାନରେ ପଛରେ ରହିଗଲେ । ସେପଟେ ୨୦୧୯ ନିର୍ବାଚନ ପରେ କଂଗ୍ରେସ ପ୍ରଥମ କରି କିଛିଟା ଭଲ ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନରେ ରହିଛି ।

୨୦୧୪ ନିର୍ବାଚନରେ ଜିତିଥିବା ବିଜେପିର ରାଧାରାଣୀ ପଣ୍ଡା ଏହି ଉପ-ନିର୍ବାଚନରେ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ସେ ଗତ ନିର୍ବାଚନରେ ଜିତିଥିବା ବେଳେ ୨୦୧୯ରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । କିନ୍ତୁ ଚଳିତ ଥର ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି ।

କଂଗ୍ରେସ ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲଙ୍କୁ ଟିକେଟ ଦେଇଥିଲା । ଦଳ ଅଧିକ ଭଲ ଆଶା କରୁଥିଲେ ବି କିଶୋର କେବଳ ଦ୍ୱିତୀୟ ସ୍ଥାନ ଅଧିକାର କରିପାରିଛନ୍ତି ।

Leave A Reply

Your email address will not be published.