Latest Odisha News

BREAKING NEWS

ମଧ୍ୟପ୍ରଦେଶରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେପି ଓ କଂଗ୍ରେସ ପ୍ରତିନିଧିଙ୍କ ଅଭିନବ ପନ୍ଥା

ନୂଆଦିଲ୍ଲୀ: ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଏବେ ଅନେକ ସ୍ଥାନରେ ପ୍ରାର୍ଥୀମାନେ ବିଭିନ୍ନ ପନ୍ଥା ଆପଣଉଛନ୍ତି । ଆଉ ଜନତାଙ୍କୁ ଦେଉଛନ୍ତି ପୁଳା ପୁଳା ପ୍ରତିଶୃତି । ନିକଟରେ ତେଲେଙ୍ଗାନା ନିର୍ବାଚନୀ ପ୍ରଚାର ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାସ୍ତା କଡ ଏକ ଦୋକାନରେ ଦୋସା ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳିଥିଲା । ତେବେ ପୁଣି ଆଉ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ।

ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲା ସାରଙ୍ଗପୁର ବିଧାନସଭାରୁ କଂଗ୍ରେସର ଜଣେ ପ୍ରାର୍ଥୀ ଭୋଟରଙ୍କ ଘରେ ଲିପାପୋଛା କରୁଥିବାର ନଜର ଆସିଥିବା ବେଳେ ବିଜେପିର ଜଣେ ପ୍ରାର୍ଥୀ ଚା’ ତିଆରି କରି ଜନତାଙ୍କୁ ପରଷୁଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ତେବେ ମଧ୍ୟପ୍ରଦେଶର ୨୩୦ ବିଧାନସଭା ସିଟ୍ ଲାଗି ୧୭ ନଭେମ୍ବରରେ ଭୋଟ ଗ୍ରହଣ ହେବ ଓ ୩ ଡିସେମ୍ବରରେ ଭୋଟ ଗଣତି ହେବ । ଏଠାରେ ଏବେ ବିଭିନ୍ନ ଦଳର ପ୍ରାର୍ଥୀମାନେ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ବିଭିନ୍ନ ପ୍ରକାରର କୌଶଳ ଆପଣାଉଛନ୍ତି । ମଧ୍ୟପ୍ରଦେଶ ରାଜଗଡ ଜିଲ୍ଲାରେ ବିଜେପି ପ୍ରାର୍ଥୀ ଗୌତମ ଟେଟୱାଲ ଏକ ହୋଟେଲରେ ପହଞ୍ଚି ନିଜ ହାତରେ କାର୍ଯ୍ୟକର୍ତ୍ତା ଓ ଅନ୍ୟ ଲୋକମାନଙ୍କ ଲାଗି ଚା’ ତିଆରି କରି ପରଷୁଥିବାର ନଜର ଆସିଛନ୍ତି ।

ଅନ୍ୟପକ୍ଷରେ ସାରଙ୍ଗପୁର ବିଧାନସଭାରୁ କଂଗ୍ରେସ ପ୍ରାର୍ଥୀ କଳା ମାଲବ୍ୟ ଜନସଂପର୍କ ଅଭିଯାନ ଜାରି ରଖିଛନ୍ତି । ଏନେଇ ସେ ମାଲବ୍ୟ ନୈନୱାଡା ଗ୍ରାମରେ ପହଞ୍ଚି ଦୀପାବଳି ଲାଗି ଘର ଲିପାପୋଛା କରୁଥିବା ଜଣେ ମହିଳାଙ୍କୁ ଦେଖି ସେ ନିଜେ ମହିଳାଙ୍କ ସହ ମିଶି ଲିପାପୋଛା କରୁଥିବାର ନଜର ଆସିଛନ୍ତି ।

ତେବେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ତାଙ୍କର ଏପରି କାର୍ଯ୍ୟର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଯାହା  ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.