Latest Odisha News

କ୍ରାଇମବ୍ରାଞ୍ଚ ଉପରେ ଭରସା ନାହିଁ, ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର:ନବ ଦାସଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ସୁରକ୍ଷା ବ୍ୟବସ୍ଥାକୁ କଟାକ୍ଷ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ସ୍ପଷ୍ଟ ଦିବାଲୋକରେ ଗୃହ ବିଭାଗ ଅଧିନରେ ଥିବା ଜଣେ  ପୋଲିସ ଅଧିକାରୀ  ଯେଭଳି ଭାବେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀଙ୍କୁ ହତ୍ୟା କଲେ  ଏବଂ  ଦୀର୍ଘ ୨୩ବର୍ଷ ଧରି ଗୃହ ବିଭାଗର ଦାୟିତ୍ୱରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ତଦନ୍ତ ନେଇ ଯେପରି ଚୁପ ରହିଛନ୍ତି ତାହା ଅତ୍ୟନ୍ତ ଲଜ୍ଜାର ବିଷୟ  ବୋଲି କହିଛନ୍ତି  ବିଜେପି ନେତା ସମୀର ମହାନ୍ତି ।

ସେ କହିଛନ୍ତି,  ଗତ ଦୁଇ ଦିନ ତଳେ ଜଣେ ପୋଲିସ ଅଧିକାରୀ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି ମାରି ହତ୍ୟା କରିବା ଘଟଣା କେବଳ ରାଜ୍ୟରେ ନୁହେଁ ଦେଶରେ ବି ବିରଳ ।   ଏଭଳି ଏକ ସ୍ପର୍ଶକାତର ଘଟଣାରେ ପୋଲିସ ଡିଜି ଘଟଣା ସ୍ଥଳକୁ ନଯିବା ଓ ଗୃହ ସଚିବ ନୀରବତା ଅବଲମ୍ବନ କରିବା ପଛରେ ବିରାଟ ଷଡଯନ୍ତ୍ର ରହିଛି ବୋଲି ଶ୍ରୀ ମହାନ୍ତି  କହିବା ସହ ରାଜ୍ୟରେ କିଏ ସରକାର ଚଳାଉଛି ବୋଲି ପ୍ରଶ୍ନ କରିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଯେଉଁ ରାଜ୍ୟରେ ଜଣେ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦିବାଲୋକରେ ଗୁଳି କରି ହତ୍ୟା କରାଯାଉଛି, ସେଇଠି ଆଇନ ଶୃଙ୍ଖଳାକୁ ନେଇ ଆଉ କ’ଣ ଆଶା କରାଯାଇପାରେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା କରିଥିବା ପୋଲିସ ଅଧିକାରୀଙ୍କୁ ବିଗତ ଦିନରେ ରାଜ୍ୟ ସରକାର ପଦୋନ୍ନତି ଦେଇ ବାରମ୍ବାର ପୁରସ୍କୃତ କରିବା ସହ ମେଡାଲ ଓ ଅର୍ଥରାଶି ମଧ୍ୟ ଦେଇଛନ୍ତି । ହଠାତ୍ ସେହି ଦକ୍ଷ ପୋଲିସ ଅଧିକାରୀଜଣକ କାହିଁକି ମନ୍ତ୍ରୀଙ୍କୁ ଗୁଳି ମାରିଲେ ତାହା ଏବେ ଓଡ଼ିଶାବାସୀଙ୍କ ମନକୁ ଆନ୍ଦୋଳିତ କରୁଛି ।

ସେହିପରି ଜଣେ ପୋଲିସ ହତ୍ୟା କରିବ ଆଉ ଜଣେ ପୋଲିସ ଏହାର ତଦନ୍ତ କରିବ, ଏହା ଆଦୌ ବିଶ୍ୱାସଯୋଗ୍ୟ ହୋଇପାରିବ ନାହିଁ । ଯିଏ କ୍ରାଇମ କଲା ତାହାରି ବିଭାଗ ତଦନ୍ତ କରିବ ଏହାକୁ ଓଡ଼ିଶାବାସୀ ସହଜରେ ଗ୍ରହଣ କରିପାରୁ ନଥିବା ଶ୍ରୀ ମହାନ୍ତି କହିଛନ୍ତି । ବିଗତ ଦିନରେ ମମିତା ମେହେର ହତ୍ୟାକାଣ୍ଡ, କୁନ୍ଦୁଲି ଗଣଦୁର୍ଷ୍କମ, ଯାଜପୁରର ସ୍ମିତାରାଣି ବିଶ୍ୱାଳଙ୍କର ହତ୍ୟାକାଣ୍ଡ ଭଳି ଅନେକ ଘଟଣାରେ କ୍ରାଇମବ୍ରାଂଚ ତଦନ୍ତ କରିଛି ।  ହେଲେ ସବୁଥିରେ ଫଳ ଶୂନ । ରାଜ୍ୟରେ ଦଣ୍ଡବିଧାନ ହାର ମାତ୍ର ୫.୭ ପ୍ରତିଶତ, ଯାହାକି ସମଗ୍ର ଦେଶରେ ସର୍ବନିମ୍ନ ।

ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବାରେ ପୋଲିସ ବିଭାଗ ବିଫଳ ସାବ୍ୟସ୍ତ ହୋଇଥିବା ରାଜ୍ୟବାସୀ ଅନୁଭବ କରୁଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ଘଟଣାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ଦେଇ ପୁଣି ଜଣେ ଅବସରପ୍ରାପ୍ତ ବିଚାରପତି କିମ୍ବା ଜିଲ୍ଲା ଜଜ୍‌ଙ୍କ ଦ୍ୱାରା ମନିଟରିଂ ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିବା ରାଜ୍ୟ ସରକାରଙ୍କ ଭୟକୁ ସ୍ପଷ୍ଟ କରୁଛି। ଭାରତୀୟ ଜନତା ପାର୍ଟି ଆଜି କ୍ରାଇମବ୍ରାଂଚ ତଦନ୍ତ ଉପରେ ଭରସା କରୁନାହିଁ । ବିଗତ ଦିନମାନଙ୍କରେ ଅନେକ ପ୍ରମାଣ ନଷ୍ଟ କରାଯାଇଛି ଏବଂ ଏହି ଘଟଣାରେ ବି ପ୍ରମାଣ ନଷ୍ଟ କରିବା ପାଇଁ ରାସ୍ତା ତିଆରି ହୋଇଛି । ଏଭଳି ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ସ୍ୱଚ୍ଛତା ଅବଲମ୍ବନ କରନ୍ତୁ ଏବଂ ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ଅନୀଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.