Latest Odisha News

BREAKING NEWS

ବିଜେପି ପ୍ରାର୍ଥୀଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ, ଗୁରୁତରଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ନର: ପୋଷ୍ଟର ମାରିବାକୁ ନେଇ ରାଜଧାନୀରେ ହିଂସା । ବିଜେପି କର୍ପୋରେଟର ପ୍ରାର୍ଥୀ ଧରିତ୍ରୀ ଜେନାଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତ୍ରିରେ ସଂଘବଦ୍ଧ ଭାବେ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତରଙ୍କୁ ରାଜଧାନୀ ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରାଜଧାନୀରେ ମହାନଗର ନିଗମ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ହୋଇଛି ।  ୩୩ ନମ୍ବର ଓ୍ୱାର୍ଡର ବିଜେପିରୁ କର୍ପୋରେଟର ପ୍ରାର୍ଥୀ ହୋଇଛନ୍ତି ଧରିତ୍ରୀ ଜେନା । ତାଙ୍କର ଏକ ପୋଷ୍ଟର ଲଗାଯାଇଥିଲା। କିନ୍ତୁ ଏହି ପୋଷ୍ଟରକୁ ବିଜେଡି କର୍ମୀ ଚିରି ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିଜେପି ଏବଂ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ବିଜେପି ପ୍ରାର୍ଥୀଙ୍କ ସ୍ୱାମୀ ଏବଂ ପରିବାର ଲୋକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ସ୍ଥାନୀୟ ବିଜେପି ନେତା କହିଛନ୍ତି । ଏଥିରେ ବିଜେପିର ପ୍ରାୟ ୫ ଜଣ କର୍ମୀ ଗୁରୁତର ହୋଇଛନ୍ତି। ଏନେଇ ଲକ୍ଷ୍ମୀ ସାଗର ଥାନାରେ ଲିଖିତ ଅଭିଯୋଗ ହୋଇଛି ବୋଲି ବିଜେପି ନେତା ଜଗନ୍ନାଥ ପ୍ରଧାନ ସୂଚନା ଦେଇଛନ୍ତି।

ଏବେ ସମସ୍ତ ଆହତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତରଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ। ଗୁରୁତରଙ୍କୁ ଅପରାଜିତା ଭେଟିବା ସହ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିଛନ୍ତି ଏଥିସହ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି।  ୩ ଜଣ କର୍ମୀଙ୍କ ଅବସ୍ଥା ସଙ୍କଟପର୍ଣ୍ଣ ରହିଛି। ଜଣଙ୍କ ମୁଣ୍ଡରେ ବହୁତ ଆଘାତ ଲାଗିଛି ଆଉ ଜଣଙ୍କ ହାତ ଭାଙ୍ଗିଯାଇଛି । ଏହି ତିନି ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ଘଟଣାରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନରେଟ ପୋଲିସଙ୍କ ନିକଟରେ ଅଭିଯୋଗ ହୋଇଛି । ୨୪ ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତ ମାନଙ୍କୁ ଧରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଯଦି ଏହା ନା ହୁଏ ତେବେ ସେ ନିଜେ ଓ ବିଜେପି କର୍ମୀ କମିଶରେଟ ପୋଲିସ ଆଗରେ ଧାରଣା ଦେବେ ବୋଲି ଅପରାଜିତା କହିଛନ୍ତି।

Comments are closed, but trackbacks and pingbacks are open.