Latest Odisha News

ଫେଲ ମାରିବ କି ବିଜେପିର ମିଶନ ଦକ୍ଷିଣ?

ଭୁବନେଶ୍ୱର: କାହିଁକି କର୍ଣ୍ଣାଟକ ଫଳାଫଳ ବିଜେପି ଓ କଂଗ୍ରେସ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଗକୁ ଦେଶର ସାଧାରଣ ନିର୍ବାଚନ ଥିବାବେଳେ ବିଜେପି ତୃତୀୟ ଥର ପାଇଁ ଦେଶରେ ଶାସନକୁ ଆସିବାକୁ ଚାହୁଁଛି।

କିନ୍ତୁ କଂଗ୍ରେସ ଓ ଅନ୍ୟ ବିରୋଧୀମାନେ ଏକାଠି ହୋଇ ବିଜେପିକୁ ସତ୍ତାରୁ ହଟାଇବା ପାଇଁ ସବୁ ଶକ୍ତିକୁ ଏକାଠି କରୁଛନ୍ତି। ଏପରିକି କଂଗ୍ରେସ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ସିରିୟସ ନେତା ଭାବେ ଉଭା କରିବାକୁ ଉଦ୍ୟମ କରିଛି। ଭାରତ ଜୋଡୋ ଯାତ୍ରା ମାଧ୍ୟମରେ ଏହି ପ୍ରୟାସ କରିଛି ଦଳ। ଦକ୍ଷିଣ ଭାରତରେ ଏହାର ବଡ଼ ପ୍ରଭାବ ପଡିଥିବା ଦଳ ଦାବି କରୁଛି।

ତେଣୁ ବିଜେପି କର୍ଣ୍ଣାଟକରେ ହାରିଲେ ଏହା ନୀତିଶଙ୍କ ବିରୋଧୀ ଏକତାକୁ ଶକ୍ତି ଯୋଗାଇବା ସହ ରାହୁଲଙ୍କ ଭାରତ ଯୋଡୋର ସଫଳତା ସହ ଯୋଡ଼ାଯିବ। ସେପଟେ ଦକ୍ଷିଣ ଭାରତରେ ୧୨୯ ଲୋକସଭା ସିଟ ମଧ୍ୟରୁ ଏବେ କେବଳ ୨୯ ଟି ସିଟ ରହିଛି ଯେଉଁଥିରୁ ୨୫ ଟି କେବଳ କର୍ଣ୍ଣାଟକରୁ ରହିଛି।

ଏପରିକି ବିଜେପିର ଯୋଜନା ଅନୁଯାୟୀ ଆଗାମୀ ଲୋକସଭା ନିର୍ବାଚନରେ ହିନ୍ଦୀ ରାଜ୍ୟଗୁଡିକରେ ଦଳର ସିଟ ସଂଖ୍ୟା କମିଗଲେ ତାର ଭରଣା ଦକ୍ଷିଣ ରାଜ୍ୟ ଗୁଡିକରୁ କରିବାକୁ ବିଜେପି ଯୋଜନା କରିଛି। ତେଣୁ କର୍ଣ୍ଣାଟକରେ ସରକାର କରି ନ ପାରିଲେ ବିଜେପିର ଦକ୍ଷିଣ ମିଶନକୁ ଝଟକା ଲାଗିବ ବୋଲି ଆଲୋଚନା ହେଉଛି।

କର୍ଣ୍ଣାଟକ ସହ ବିଜେପିର ନଜର ତେଲେଙ୍ଗାନା ଓ କେରଳ ଉପରେ ମଧ୍ୟ ରହିଛି। ୨୦୧୮ ମସିହାରେ କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ ସରକାର ଗଢ଼ିଥିଲେ ମଧ୍ୟ ୨୦୧୯ ଲୋକସଭା ନିର୍ବାଚନରେ ରାଜ୍ୟର ୨୮ ଟି ଲୋକସଭା ସିଟ ମଧ୍ୟରୁ ବିଜେପି ୨୫ ଟି ଜିତିଥିବା ବେଳେ ବିଜେପି ସମର୍ଥନରେ ଜଣେ ନିର୍ଦଳୀୟ ପ୍ରାର୍ଥୀ ମଧ୍ୟ ଜିତିଥିଲେ।

ସେପଟେ କର୍ଣ୍ଣାଟକ ଇତିହାସରେ ୧୯୮୫ ମସିହାଠାରୁ କୌଣସି ଦଳ ଲଗାତର ଦ୍ଵିତୀୟ ଥର କ୍ଷମତାକୁ ଫେରି ନାହାଁନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେପଟେ ଗତ କିଛି ବର୍ଷକୁ ଅନୁଧ୍ୟାନ କଲେ ହିମାଚଳ ପ୍ରଦେଶକୁ ଛାଡିଲେ ଗୁଜୁରାଟ, ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ସମେତ ବହୁ ରାଜ୍ୟରେ କଂଗ୍ରେସକୁ ଝଟକା ଲାଗି ଆସିଛି।

କିନ୍ତୁ କର୍ଣ୍ଣାଟକ ଏମିତି ଏକ ରାଜ୍ୟ ଯେଉଁଠି କଂଗ୍ରେସ ସହ ବିଜେପିର ସିଧା ଟକ୍କର ହେଉଛି। ସେପଟେ ସର୍ବ ପୁରାତନ ଦଳ କଂଗ୍ରେସ ଜାତୀୟ ସ୍ତରରେ ଏକାକୀ ବିଜେପିର ମୁକାବିଲା କରିବାକୁ ସକ୍ଷମ ନୁହେଁ ବୋଲି ଟିଏମସି ଓ ଆପ ଭଳି ଦଳ କହି ଆସୁଛନ୍ତି। ତେଣୁ କର୍ଣ୍ଣାଟକରେ ହାରିଲେ ଆଗକୁ ଏଭଳି ମାନସିକତା ଆହୁରି ଦୃଢ଼ ହେବ। ଯାହାକି କଂଗ୍ରେସ ପାଇଁ ବଡ଼ କ୍ଷତିକାରକ ବୋଲି ଚର୍ଚ୍ଚା ହେଉଛି।

ତେଣୁ କର୍ଣ୍ଣାଟକରେ ଏହି ଗୁରୁତ୍ୱକୁ ଉପଲବ୍ଧି କରି କଂଗ୍ରେସର ରାହୁଲ ଗାନ୍ଧୀଙ୍କ ସମେତ ପ୍ରିୟଙ୍କା ଓ ଖୋଦ ସୋନିଆ ଗାନ୍ଧୀ ମଧ୍ୟ ବେଶ ଆଗ୍ରେସିଭ ପ୍ରଚାର କରିଥିଲେ। ଯାହାକୁ ହିମାଚଳ କିମ୍ବା ଗୁଜୁରାଟ ରେ ମଧ୍ୟ ଦେଖିବାକୁ ମିଳି ନ ଥିଲା। ୨୦୧୮ ନିର୍ବାଚନ ପରେ କର୍ଣ୍ଣାଟକରେ ବିଜେପି ଶାସନ ଗାଦିରେ ବସିପାରି ନ ଥିବା ବେଳେ ଦଳ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ନିର୍ବାଚନ ହାରିଥିଲା।

କିନ୍ତୁ ତା ପରେ ବିଜେପିର ସଫଳ ଗୋଟି ଚାଳନା ଯୋଗୁ ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ଦଳ ସରକାର ଗଢିଲା। କିନ୍ତୁ ଏଥର ଚିତ୍ର କଣ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିହାର ଓ ଉତ୍ତରପ୍ରଦେଶରେ ପଛୁଆ ବର୍ଗର ଭୋଟକୁ ବିଜେପି ଆଡ଼କୁ ଯିବାକୁ ନ ଦେବା ପାଇଁ ବିରୋଧୀ ନିଜ ଭିତରେ ଭାଗ ଭାଗ ନ କରିବାକୁ ବଡ଼ ଯୋଜନା କରିଛନ୍ତି।

ଏଥିପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ମଧ୍ୟରେ ବଡ଼ ଯୋଜନା ହୋଇଥିବା ଚର୍ଚ୍ଚା ହେଉଛି । ଏପରିକି ନୀତିଶ ବିଭିନ୍ନ ଆଞ୍ଚଳିକ ଗଣିତକୁ ଆଖି ଆଗରେ ରଖି ବିରୋଧୀଙ୍କୁ ଏକାଠି କରିବାରେ ଲାଗିଛନ୍ତି। ତେଣୁ ଏ ସବୁକୁ ଆଖି ଆଗରେ ରଖି କର୍ଣ୍ଣାଟକ ନିର୍ବାଚନ ଫଳାଫଳ ବେଶ ଗୁରୁତ୍ୱ ରଖୁଥିବା କୁହାଯାଉଛି।

Leave A Reply

Your email address will not be published.