Latest Odisha News

BREAKING NEWS

‘ବିଜେଡି ବିଧାୟକ ଏବଂ ମନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବାରେ ଅସୁବିଧା କେଉଁଠି’

ଭୁବନେଶ୍ୱର: ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀକୁ ନେଇ ବର୍ଷିଛି ବିଜେପି । ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ରାଜ୍ୟରେ ଅଫିସର ରାଜ ଚାଲିଛି । ସୁବାସ ପାଣିଗ୍ରାହୀ ଶାନ୍ତ ସରଳ ଓ ଅମାୟୀକ ବ୍ୟକ୍ତି ଭାବେ ନିଜ ଅଞ୍ଚଳରେ ବେଶ ପରିଚିତ। ସେଥିପାଇଁ ଲଗାତାର ସେ ସେହି ଅଞ୍ଚଳରୁ ବାରମ୍ବାର ନିର୍ବାଚିତ ହୋଇ ଆସୁଛନ୍ତି। ବିଧାୟକ 2.30 ରେ ଏତଲା ଦେଇଥିବା ବେଳେ ବିଡ଼ିଓ 4 ଟା ରେ ଦେଇଥିଲେ । ବିଧାୟକଙ୍କ ଏତଲା ବିଳମ୍ବରେ ଗ୍ରହଣ କରାଯାଇଛି।

ବିଧାୟକ ଏତଲାରେ ଲେଖିଛନ୍ତି ଯେ ବିଡ଼ିଓଙ୍କୁ ବିଧାୟକ ବାରମ୍ବାର ଦେଖା କରିବାକୁ ଫୋନ କରୁଥିଲେ ବି ବିଡ଼ିଓ ତାଙ୍କୁ ଗୋଟିଏ ପରେ ଗୋଟିଏ ସ୍ଥାନକୁ ଡାକି ଥିଲେ। ଏପରିକି ବିଧାୟକ ତାଙ୍କୁ ଏ ବିଷୟରେ ପଚାରିବାରୁ ବିଡ଼ିଓ ତାଙ୍କ କଲର ଧରି ମାଡ଼ ମାରିବାକୁ ଉଦ୍ୟମ କରିଥିଲେ। ବି଼ଧାୟକ ଯେତେବେଳେ ଆଗୁଆ ଏତଲା ଦେଇଛନ୍ତି ସେତେବେଳେ ତାଙ୍କ ଏତଲାକୁ ଆଗ ବିଚାର ନକରି ପୋଲିସ ବିଡିଓଙ୍କ କଥାକୁ ବିଚାର କରି କେଉଁ ଆଧାରରେ ଗିରଫ କଲା ସେ ନେଇ ବିଜେପି ପ୍ରଶ୍ନ କରିଛି ।

ବିଜେପି କହିଛି,  ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଏତଲା ଥିଲେ ପୋଲିସ ଧରିପାରିଲାନି । ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ରେ ଅଭିଯୋଗ ଥିଲେ ବି ପୋଲିସ ତଦନ୍ତ କରିବାକୁ ପଛ ଘଞ୍ଚା ଦେଲା । ମନ୍ତ୍ରୀ ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିପାରିଲାନି ପୋଲିସ । ମମିତା ମେହେର ମାମଲାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ନାଁରେ ଅଭିଯୋଗ ଥିଲେ ତାଙ୍କୁ ପୋଲିସ ତଦନ୍ତ ପରିସର ଭୁକ୍ତ କଲା ନାହିଁ କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି ।

ବିଧାୟକଙ୍କୁ ଗିରଫ କରିବା ଓ ବଦନାମ କରିବାକୁ ବିଜୁ ଜନତା ଦଳ ଏପରି ଏକ ଷଡଯନ୍ତ୍ର କରିଛି। ଏହା ପୂର୍ବ ପ୍ରସ୍ତୁତି । ସୁପରିକଳ୍ପିତ ଯୋଜନା । ବିଜୁ ଜନତା ଦଳ ଭାରତୀୟ ଜନତା ପାର୍ଟି ପ୍ରତି ଅସହିହୁଷ୍ଣୁ ହୋଇ ପଡିଛି। ଏଥିରୁ ଜଣା ପଡୁଛି ରାଜ୍ୟରେ ଶାସନ ବ୍ୟବସ୍ଥା କେମିତି ଚାଲିଛି। ରାଜ୍ୟରେ ଗଣତନ୍ତ୍ର ନାହିଁ । ବିଧାୟକ କେବଳ ନାଁ ମାତ୍ର ନିର୍ବାଚିତ ହେଉଛନ୍ତି ତାଙ୍କ କଥାର କିଛି ଏଠି ଗୁରୁତ୍ୱ ନାହିଁ ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରେସମିଟ୍ କରି କହିଛନ୍ତି। ଏହାକୁ ନେଇ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବର୍ଷିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତକାଲି ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଓ ତାଙ୍କ ସମର୍ଥକ ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ବିଡିଓ ଏବଂ ବିଧାୟକ ପରସ୍ପର ଆଗ ପଛ ହୋଇ ଥାନାରେ ଏତଲା ଦେଇଥିଲେ । ବିଧାୟକ ଓ ତାଙ୍କ ସମର୍ଥକ ଛେପଲିପାଲି ଗାଁକୁ ଯାଇ ବିଡିଓଙ୍କୁ ମାଡ଼ ମାରିବା ସହ ଗାଳିଗୁଳଜ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ବିଧାୟକଙ୍କ ବିରୋଧରେ ମାମଲା ଦେବା ସହ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ ବିଡିଓ ।

Leave A Reply

Your email address will not be published.