କୋଲକାତା: ହରିୟାଣା ଏବଂ ମହାରାଷ୍ଟ୍ର ପରେ ଏବେ ପଶ୍ଚିମବଙ୍ଗରେ ଭୋଟର ତାଲିକାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୋଟର ତାଲିକାରେ ହେରଫେର ପାଇଁ ବିଜେପି ନିର୍ବାଚନ କମିଶନଙ୍କ ସହ ହାତ ମିଳାଇଥିବା ଅଭିଯୋଗ କରିଛନ୍ତି। ଚେତାବନୀ ଦେଇ ମମତା କହିଛନ୍ତି ଯେ ଯଦି ନିର୍ବାଚନ କମିଶନ ଯଥାଶୀଘ୍ର ଭୋଟର ତାଲିକାରେ ଥିବା ଅନିୟମିତତାକୁ ଦୂର ନକରନ୍ତି, ତେବେ ସେ କମିଶନଙ୍କ କାର୍ଯ୍ୟାଳୟ ବାହାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରତିବାଦ କରିବେ।
ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଦିଲ୍ଲୀ ବିଜୟ ପରେ ଏବେ ପଶ୍ଚିମବଙ୍ଗ ଦଖଲ ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି। ଏହାପୂର୍ବରୁ ସକ୍ରିୟ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିମଏମସି ମୁଖ୍ୟ ମମତା ବାନାର୍ଜୀ। ଦଳର ସମସ୍ତ ସାଂସଦ, ମନ୍ତ୍ରୀ, ବିଧାୟକ ଓ କର୍ମୀଙ୍କ ବୈଠକ ଡାକି ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ନକଲି ଭୋଟକୁ ଆଧାର କରି ଦିଲ୍ଲୀ ଓ ମହାରାଷ୍ଟ୍ରରେ ବିଜେପି ବିଜୟ ହାସଲ କରିଛି। ପଶ୍ଚିମବଙ୍ଗରେ ମଧ୍ୟ ବିଜେପି ଏହି ପନ୍ଥା ଆପଣାଇପାରେ। ତେଣୁ ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି ଦିଦି କହିଛନ୍ତି।
ଭୋଟର ତାଲିକାରୁ ନକଲି ଭୋଟରଙ୍କ ନାମ ହଟାଇବାକୁ ଦରକାର ପଡ଼ିଲେ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ମମତା ଆହ୍ବାନ ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଟିଏମସି ସୁପ୍ରିମୋ। ଜ୍ଞାନେସ କୁମାରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରି ବିଜେପି ନିର୍ବାଚନ ଆୟୋଗକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ମମତା।
Comments are closed.