ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାଣିପାଗ ସେତିକି ସରଗରମ ହେବାରେ ଲାଗିଛି। ମୋଦିଙ୍କ ଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ଦେଶର ବିଭିନ୍ନ ରାଜ୍ୟରେ କେନ୍ଦ୍ରମନ୍ତ୍ରୀ ଓ ପ୍ରମୁଖ କେନ୍ଦ୍ରୀୟ ନେତାମାନେ ପ୍ରଚାର ପ୍ରସାର କରିବା ସହ ବିରୋଧୀ ଦଳ ଗୁଡିକ ଉପରେ ବର୍ଷୁଛନ୍ତି।
ଏହି କ୍ରମରେ ଆନ୍ଧ୍ରପ୍ରଦେଶ ରାଜନୀତି ଚଳଚଞ୍ଚଳ ହୋଇଛି। ଆନ୍ଧ୍ରପ୍ରଦେଶରେ ୱାଇଏସଆର କଂଗ୍ରେସର ସରକାର ଅଛି। ଜଗନ ରେଡ୍ଡୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ରହିଛନ୍ତି।
ଏପରିକି ଏନଡିଏ ସହ ମିଶିକି ନ ଥିଲେ ମଧ୍ୟ ଜଗନଙ୍କ ୱାଇଏସଆର କଂଗ୍ରେସ କେନ୍ଦ୍ରର ବିଜେପିକୁ ବିପଦ ସମୟରେ ସବୁ ସହଯୋଗ ଯୋଗାଉଛନ୍ତି। କିନ୍ତୁ ସବୁ ସହଯୋଗ ଯୋଗାଇବା ସତ୍ତ୍ୱେ ମଧ୍ୟ ନିର୍ବାଚନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜଗନଙ୍କ ସରକାରକୁ ଟାର୍ଗେଟ କରିଛନ୍ତି।
ଜଗନଙ୍କ ସରକାରକୁ ଦୁର୍ନୀତି ଓ ସ୍କାଣ୍ଡାଲର ସରକାର କହିବା ସହ ରାଜ୍ୟରେ ଚାଷୀ ଆତ୍ମହତ୍ୟାକୁ ନେଇ ଟାର୍ଗେଟ କରିଥିଲେ ଶାହା। କିନ୍ତୁ ଶାହାଙ୍କ ଏଭଳି ଆଟାକ ପରେ ଜଗନ ମଧ୍ୟ କାଉଣ୍ଟର ଆଟାକ କରିଛନ୍ତି।
ପାଲନାଡୁ ଜିଲ୍ଲାର କ୍ରୋସୁରୁ ଅଞ୍ଚଳରେ ଏକ ସାଧାରଣ ସଭାରେ ଯୋଗ ଦେଇ ଜଗନ ତାଙ୍କୁ ବିଜେପିର ସହଯୋଗ ନ ମିଳିପାରେ କିନ୍ତୁ ସାଧାରଣ ଜନତା ଓ ଭଗବାନଙ୍କର ଆଶୀର୍ବାଦ ତାଙ୍କ ଉପରେ ରହିଛି।
ରାଜ୍ୟର ବିଧାନସଭା ନିର୍ବାଚନ କୁ ଆଉ ମାତ୍ର ବର୍ଷେ ରହିଥିବା ବେଳେ ବିଜେପି ଓ ଜଗନଙ୍କ ମଧ୍ୟରେ ଏଭଳି ଲଢେଇ ଚର୍ଚ୍ଚାକୁ ବଢ଼ାଇଦେଇଛି। ସେପଟେ ଆନ୍ଧ୍ରପ୍ରଦେଶ ରେ ବର୍ତ୍ତମାନ ଚନ୍ଦ୍ରାବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ଓ ଜଗନଙ୍କ ୱାଇଏସଆର କଂଗ୍ରେସ ବିଜେପିର ପ୍ରିୟପାତ୍ର ହେବାକୁ ଚାହୁଁଛନ୍ତି।
ଏପରିକି ଟିଡିପି ଏନଡିଏରେ ସାମିଲ ହେବା ଚର୍ଚ୍ଚା ମଧ୍ୟ ଜୋର ଧରିଛି। ଏ ନେଇ ଚନ୍ଦ୍ରାବାବୁ ନାଇଡୁ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଆଗକୁ ଆନ୍ଧ୍ରପ୍ରଦେଶ ରେ ଟିଡିପି, ବିଜେପି ଓ ଯେଏସପି ମିଳିତ ଭାବେ ନିର୍ବାଚନ ଲଢ଼ିପାରନ୍ତି।
ତେଣୁ ଏକ ବଡ଼ ସଭାରେ ଲୋକଙ୍କ ସମ୍ମୁଖରେ ବିଜେପିକୁ ଟାର୍ଗେଟ କରିବା ସହ ସେମାନଙ୍କ ଆଶୀର୍ବାଦ ଲୋଡିଛନ୍ତି। ବିଜେପିକୁ ବିଭିନ୍ନ କ୍ଷେତ୍ରରେ ସହଯୋଗ ଦେଇ ଆସୁଥିବା ଜଗନଙ୍କ ପ୍ରତି ବିଜେପିର ଆଭିମୁଖ୍ୟ ରାଜନୈତିକ ମହଲକୁ ଚକିତ କରିଛି।
ଏପରିକି ଗତ କିଛି ଦିନ ତଳେ ନୂଆ ସଂସଦ ଭବନ ଉଦଘାଟନ ଅବସରରେ ବିରୋଧୀ ଦଳ ଗୁଡିକ ଏହାକୁ ବର୍ଜନ କରିଥିବା ବେଳେ ଜଗନ ଯୋଗ ଦେଇଥିଲେ। କିନ୍ତୁ ସବୁ ପରେ ବି ବିଜେପିର ଏଭଳି ଆଭିମୁଖ୍ୟ ପରେ ଜଗନଙ୍କ ଆଗାମୀ ରଣନୀତି ଉପରେ ସମସ୍ତଙ୍କର ନଜର।
Comments are closed.