Latest Odisha News

BREAKING NEWS

‘ମହାରାଷ୍ଟ୍ର’, ଗାଦିରେ ବସିଲେ, ଲାତ ମାରିଲେ !

ଭୁବନେଶ୍ୱର: ଚର୍ଚ୍ଚାରେ ମହାରାଷ୍ଟ୍ରର ସର୍ଭେ ରାଜନୀତି। ସିନ୍ଦେ ଗୋଷ୍ଠି ଶିବସେନା ପକ୍ଷରୁ ମହାରାଷ୍ଟ୍ରର ଏକ ସର୍ଭେ ସମ୍ପର୍କିତ ବିଜ୍ଞାପନକୁ ନେଇ ଦେଶର ରାଜନୀତି ଚଳଚଞ୍ଚଳ ହୋଇଛି।

ଏହି ସର୍ଭେ ଅନୁଯାୟୀ ମହାରାଷ୍ଟ୍ର ଜନତା ଏକନାଥ ସିନ୍ଦେଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସଙ୍କ ଠାରୁ ଅଧିକ ଲୋକେ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି।

ଏପରିକି ସର୍ଭେ ସମ୍ପର୍କିତ ତଥ୍ୟକୁ ନେଇ ପ୍ରକାଶିତ ଏହି ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସିନ୍ଦେ ମହାରାଷ୍ଟ୍ରରେ ସବୁଠୁ ଅଧିକ ପସନ୍ଦ ବୋଲି ଦର୍ଶାଯାଇଛି। ବିଜ୍ଞାପନରେ ମୋଦି ଫର ଇଣ୍ଡିଆ ଓ ସିନ୍ଦେ ଫର ମହାରାଷ୍ଟ୍ର ବୋଲି ଦର୍ଶାଯାଇଛି।

ଏହି ଆଡ଼ରେ ପ୍ରଧାନମନ୍ତ୍ରୀ ମୋଦି ଓ ସିନ୍ଦେ ପରସ୍ପରକୁ ଚାହିଁ ହସୁଥିବା ଦେଖାଯାଇଛି। କିନ୍ତୁ ଏହି ବିଜ୍ଞାପନରେ ଦେବେନ୍ଦ୍ର ଫଡନାଭିସଙ୍କ ଫଟୋ ଆଦୌ ନାହିଁ।

ଏହି ସର୍ଭେ ଅନୁଯାୟୀ ୩୦.୨ ପ୍ରତିଶତ ଲୋକେ ମହାରାଷ୍ଟ୍ରରେ ବିଜେପିକୁ ପସନ୍ଦ କରୁଥିବା ବେଳେ ୧୬.୨ ପ୍ରତିଶତ ଲୋକେ ସିନ୍ଦେ ଗୋଷ୍ଠୀ ଶିବସେନାକୁ ପସନ୍ଦ କରୁଛନ୍ତି। ମହାରାଷ୍ଟ୍ରର ୪୬.୪ ପ୍ରତିଶତ ଲୋକେ ସିନ୍ଦେ ବିଜେପି ସରକାରକୁ ବିଶ୍ୱାସ କରୁଛନ୍ତି ବୋଲି ଦର୍ଶାଯାଇଛି।

ମୁଖ୍ୟମନ୍ତ୍ରୀ ପଦ ପାଇଁ ଏକନାଥ ସିନ୍ଦେଙ୍କୁ ୨୬.୧ ପ୍ରତିଶତ ଭୋଟ ମିଳିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିଶଙ୍କୁ ୨୩.୨ ପ୍ରତିଶତ ଲୋକେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି।

ତେଣୁ ଏଭଳି ଏକ ସର୍ଭେକୁ ସିନ୍ଦେ ଗୋଷ୍ଠି ଶିବସେନା ପ୍ରଚାର ପ୍ରସାର କରାଇବା ରାଜନୈତିକ ଚର୍ଚ୍ଚାକୁ ବଢ଼ାଇ ଦେଇଛି। ଆଗକୁ ଥିବା ନିର୍ବାଚନରେ ବିଜେପି ସହ ଗଠବନ୍ଧନରେ ନିର୍ବାଚନ ଲଢ଼ିବା ନେଇ କିଛି ଦିନ ତଳେ କହିବା ପରେ ଏହି ସର୍ଭେକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ସେପଟେ ଏକନାଥ ସିନ୍ଦେଙ୍କ ସମେତ ୧୬ ଜଣ ସିନ୍ଦେ ଗୋଷ୍ଠି ବିଧାୟକଙ୍କ ଅଯୋଗ୍ୟ ସମ୍ପର୍କିତ ପ୍ରସଙ୍ଗ ଏବେ ବିଚାରାଧୀନ ରହିଛି। ତେଣୁ ଏ ଭିତରେ ଏ ସର୍ଭେ ଚର୍ଚ୍ଚାକୁ ବଢ଼ାଇଛି।

ସେପଟେ ଉଦ୍ଧବ ଗୋଷ୍ଠୀ ଏହି ସର୍ଭେକୁ ନେଇ ପ୍ରତିକ୍ରିୟା ରଖିଛି। ଶିବସେନା ଗୋଷ୍ଠି ମୁଖପାତ୍ର ସଞ୍ଜୟ ରାଉତ ଏ ସର୍ଭେକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସର୍ଭେ ମହାରାଷ୍ଟ୍ର ନା ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ନା ଗୁଜୁରାଟରେ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ସଂଜୟ।

ସେପଟେ କଂଗ୍ରେସ ନେତା ଅତୁଲ ଲୋନ୍ଧେ କହିଛନ୍ତି ଆଉ କିଛି ଦିନ ମଧ୍ୟରେ ଲୋକେ ଜାଣିବେ କିଏ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଯେଉଁମାନେ ଦେଶରେ ନରେନ୍ଦ୍ର ରାଜ୍ୟରେ ଦେବେନ୍ଦ୍ର ସ୍ଲୋଗାନ ଦେଉଥିଲେ ସେମାନେ ଏହି ସର୍ଭେକୁ ଗ୍ରହଣ କରିପାରିବେ ତ ବୋଲି ପ୍ରଶ୍ନ କରିଛି ଏନସିପି। ଏବେ ରାଜ୍ୟରେ ବିଜେପି ଓ ସିନ୍ଦେ ଗୋଷ୍ଠି ମଧ୍ୟରେ ଲଢେ଼ଇ ଆରମ୍ଭ ହେବ ବୋଲି ଏନସିପି ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.