Latest Odisha News

BREAKING NEWS

ତାରିଖ ଘୋଷଣା ହୋଇନି, ବିଜେପି ବିଧାୟକ ନିଜେ ନିଜର ନିର୍ବାଚନ କରାଇଦେଲେ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ନିର୍ବାଚନ ହେଉଛି। କଥାଟା ଟିକେ ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ୍ୟ। ଏଭଳି କିଛି ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ।

ଚଳିତ ବର୍ଷ ଶେଷ ଭାଗରେ ଅର୍ଥାତ ଡିସେମ୍ବର ମାସରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହେବ। ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ଯାଏ ତାରିଖ ଘୋଷଣା ହୋଇନାହିଁ।

କିନ୍ତୁ ମଧ୍ୟପ୍ରଦେଶର କଟନୀ ଜିଲ୍ଲାରେ ଜଣେ ବିଧାୟକ ମତଦାନ କରାଉଥିବା ଦେଖିବାକୁ ମିଳିଛି। ନିର୍ବାଚନ ଘୋଷଣାର ବହୁ ପୂର୍ବରୁ ଖୋଦ ବିଧାୟକ ଏଠାରେ ମତଦାନ କରାଉଛନ୍ତି।

ଏପରିକି ଏହି ବିଧାୟକ ନିର୍ବାଚନ କମିଶନଙ୍କ ଭଳି ବୁଥ ସ୍ତର ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି କରିଛନ୍ତି। କଟନୀ ଜିଲ୍ଲାର ବିଜୟରାଘବଗଡ ବିଧାନସଭା କ୍ଷେତ୍ରରେ ବିଜେପି ବିଧାୟକ ସଞ୍ଜୟ ସତ୍ୟେନ୍ଦ୍ର ପାଠକ ଏଭଳି ଭୋଟିଂ କରାଇଛନ୍ତି।

ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ନିର୍ବାଚନ କରାଇ ସେ ନିର୍ବାଚନ ଲଢ଼ିବେ କି ନାହିଁ ପରୀକ୍ଷା କରୁଥିବା କୁହାଯାଇଛି। ଏହି ଭୋଟିଂ ଦ୍ୱାରା ଯଦି ତାଙ୍କୁ ୫୦ ପ୍ରତିଶତରୁ କମ ଭୋଟ ମିଳିବ ତହେଲେ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି।

ସେଥିପାଇଁ ସେ ନିର୍ବାଚନ ପୂର୍ବରୁ ଲୋକଙ୍କ ମନ ଜାଣିବାକୁ ଚାହୁଁଥିବା କହିଛନ୍ତି। ତେଣୁ ବିଜୟରାଘବଗଡ଼ରେ ଜନମତ ସର୍ବେକ୍ଷଣ ପ୍ରକ୍ରିୟା ଆରମ୍ଭ କରିଦିଆଯାଇଛି।

ସେଥିପାଇଁ ବିଧାୟକଙ୍କ ପକ୍ଷରୁ ପୋଲିଂ ପାର୍ଟିକୁ ବ୍ୟବହାର କରି ମତଦାନ କରାଯାଇଛି। ଜନ ଜନଦେଶ ନାଁରେ ହେଉଥିବା ଏହି ମତଦାନ ପ୍ରକ୍ରିୟାରେ ବାଲଟ ପେପର ଓ ବାଲଟ ବାକ୍ସ ବୁଥରେ ପହଂଚାଯାଇଛି।

ଚଳିତ ମାସ ୨୫ ତାରିଖ ପର୍ଯ୍ୟନ୍ତ ମତଦାନ ଚାଲିବ। ବିଧାୟକ ସଞ୍ଜୟ ସତ୍ୟେନ୍ଦ୍ର ପାଠକଙ୍କୁ ଲୋକେ ପ୍ରଧାନ ସେବକ କରିବାକୁ ଚାହୁଁଛନ୍ତି କି? ବାଲଟ ପେପରରେ ହଁ କି ନାଁ ର ବିକଳ୍ପ ରହିଛି।

ଭୋଟର ନିଜର ପସନ୍ଦରେ ମୋହର ମାରିବେ। ଗାଁ ଗାଁର କାର୍ଯ୍ୟକାର୍ତ୍ତା ମତଦାନ ପ୍ରକ୍ରିୟା ସମ୍ପନ୍ନ କରିବେ। ସାମାଜିକ ଗଣମାଧ୍ୟମରେ ମତଦାନର ଲାଇଭ ମଧ୍ୟ କରାଯାଉଛି।

ମତଦାନ ପରେ ଫଳାଫଳ ଘୋଷଣା ହେବ। ବିଜୟରାଘବଗଡ଼ ବିଧାୟକ ତଥା ପୂର୍ବତନ ରାଜ୍ୟମନ୍ତ୍ରୀ ସଞ୍ଜୟ ପାଠକ ମଧ୍ୟପ୍ରଦେଶର ଜଣେ ପ୍ରଭାବୀ ବିଧାୟକ ଭାବେ ଜଣାଶୁଣା। ତେଣୁ ବିଜେପି ବିଧାୟକଙ୍କ ଏହି ନିଜସ୍ୱ ଆଗୁଆ ନିର୍ବାଚନ ସାରା ଦେଶରେ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଛି।

Leave A Reply

Your email address will not be published.