ନୂଆଦିଲ୍ଲୀ: ଜାନୁଆରୀ ୨୯ ତାରିଖରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳାରେ ଦଳାଚକଟା ଘଟି ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଲଗାତାର ରାଜନୈତିକ ବୟାନବାଜି ଜାରି ରହିଛି । ମଥୁରାର ବିଜେପି ସାଂସଦ ହେମା ମାଳିନୀ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଏହା ଏକ ଦୁଃଖଦ ଘଟଣା ଥିଲା ହେଲେ ଘଟଣାଟି ଏତେ ବଡ଼ ନଥିଲା, ଏହାକୁ ଅତିରଞ୍ଜିତ କରାଯାଉଛି ।
ହେମା ମାଳିନୀ ଆହୁରି କହିଛନ୍ତି ଯେ, ମୁଁ ମଧ୍ୟ କୁମ୍ଭ ଯାଇଥିଲି । ମୁଁ ସଙ୍ଗମରେ ସ୍ନାନ କରିଥିଲି । ସବୁକିଛି ଭଲ ଭାବେ ପରିଚାଳିତ ହୋଇଥିଲା । ମୁଁ ଏହା ବିଷୟରେ ଅଧିକ ଜାଣିନାହିଁ, କିନ୍ତୁ ଯେଭଳି ଭାବେ ଏହାକୁ ଅତିରଞ୍ଜିତ କରାଯାଉଛି ସେପରି ଘଟଣା ଏତେ ବଡ ନୁହଁ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପ୍ରୟାଗରାଜ ଗସ୍ତ କରିବେ ଏବଂ ପବିତ୍ର ସ୍ନାନ କରିବେ । ଯଦି ପରିସ୍ଥିତି ପରିଚାଳନା କରାଯାଇ ନଥାନ୍ତା, ତେବେ ପ୍ରଧାନମନ୍ତ୍ରୀ କ’ଣ ଯାଆନ୍ତେ?
#WATCH | Delhi: BJP MP Hema Malini says "…We went to Kumbh, we had a very nice bath. It is right that an incident took place, but it was not a very big incident. I don't know how big it was. It is being exaggerated…It was very well-managed, and everything was done very… pic.twitter.com/qIuEZ045Um
— ANI (@ANI) February 4, 2025
ବିଜେପି ସାଂସଦ ହେମା ମାଳିନୀଙ୍କ ବୟାନ ଉପରେ କଂଗ୍ରେସ ସାଂସଦ ତାରିକ ଅନୱର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି “ହେମା ମାଳିନୀ କେବେ ଜାଣିପାରିବେ ନାହିଁ ଯେ ସେଠାରେ ପ୍ରକୃତରେ କ’ଣ ଘଟିଥିଲା।” ସେ ସେଠାକୁ ଗଲେ, ତାଙ୍କୁ ଭିଆଇପି ସୁବିଧା ଦିଆଗଲା । ପୋଲିସ ଏବଂ ପ୍ରଶାସନ ଉଭୟ ଭିଆଇପିଙ୍କ ପଛରେ ପଡ଼ିଥିବାରୁ ମହାକୁମ୍ଭରେ ପରିସ୍ଥିତି ଆହୁରି ଖରାପ ହୋଇଗଲା । ସାଧାରଣ ଲୋକଙ୍କ ସୁରକ୍ଷା ଏବଂ ଶୃଙ୍ଖଳା ପ୍ରତି ତାଙ୍କର କୌଣସି ଚିନ୍ତା ନଥିଲା । ଯଦି ସେ କୁହନ୍ତି ଯେ ଏହା ଏକ ବଡ଼ ଘଟଣା ନୁହେଁ, ତେବେ ଏହା ଦୁର୍ଭାଗ୍ୟଜନକ ଏବଂ ଏହା ପୀଡିତଙ୍କ ପ୍ରତି ମଜା କରୁଛନ୍ତି ।
ସୂଚନାଯୋଗ୍ୟ, ମୌନୀ ଅମାବାସ୍ୟା ଦିନ ସ୍ନାନ କରିବା ପାଇଁ କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜ ମହାକୁମ୍ଭରେ ପହଞ୍ଚିଥିଲେ । ରାତି ପ୍ରାୟ ୨ଟା ସମୟରେ ଦଳାଚକଟା ହୋଇଥିଲା ଯେଉଁଥିରେ ୩୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା । ଏହା ବ୍ୟତୀତ ୯୦ ରୁ ଅଧିକ ଭକ୍ତ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
Comments are closed.