ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦୁର୍ଘଟଣା ଘଟାଇଥିବା ମୋ ବସ୍ ଡ୍ରାଇଭରକୁ ଗିରଫ କଲା ନନ୍ଦନକାନନ ଥାନା ପୋଲିସ । ଗିରଫ ହୋଇଥିବା ଡ୍ରାଇଭର ଜଣକ ହେଲେ ନୃସିଂହ ସେଠୀ । ଡ୍ରାଇଭରଙ୍କୁ ଗିରଫ ସହ ଦୁର୍ଘଟଣା ଘଟାଇଥିବା ମୋ ବସ୍ ସିଜ୍ କଲା ପୋଲିସ ।
ସୂଚନାଯୋଗ୍ୟ, ଆଜି ସକାଳୁ ୧୩ ବର୍ଷର ନାବାଳିକାଙ୍କ ଜୀବନ ନେଇଛି ମୋ ବସ୍ । ନାବାଳିକା ଜଣକ ସାଇକେଲ ନେଇ ନନ୍ଦନକାନନ ଛକକୁ ଯାଉଥିବା ସମୟରେ ପଛରୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା ମୋ ବସ୍ । ନନ୍ଦନକାନନ ରାସ୍ତା ରଘୁନାଥପୁର ନିକଟରେ ଘଟିଥିଲା ଦୁର୍ଘଟଣା । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ।
ଦୁର୍ଘଟଣା ପରେ ନନ୍ଦନକାନନ-ଜୟଦେବବିହାର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଉତ୍ୟକ୍ତ ଲୋକ । ଟାୟାର ଜାଳି ପ୍ରତିବାଦକୁ ଓହ୍ଲାଇଥିଲେ ଲୋକେ । ଏହାପରେ କ୍ରୁଟ୍ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବା ପରେ ରାସ୍ତାରୋକ ହଟିଥିଲା ।
Comments are closed.