Latest Odisha News

BREAKING NEWS

କାହିଁକି ବାରମ୍ବାର ଓଡିଶା ଆସୁଛନ୍ତି ମୋଦି?..କହିଦେଲେ ପ୍ରତାପ

ଭୁବନେଶ୍ବର: ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ୨୮ ତାରିଖ ସକାଳ ୧୦ଟାରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବେ । ତେବେ ରାଜ୍ୟରେ ବିଜେପି ସରକାର ଗଢା ହେବାର ଗତ ୭ ମାସ ଭିତରେ, ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ୫ମ ଓଡିଶା ଗସ୍ତ । ଯାହାକୁ ନେଇ ରାଜ୍ୟ ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସୁକତା ଭରିରହିଛି । ପ୍ରଥମ ଥର ପାଇଁ ବିଜେପି ହାତକୁ ଓଡିଶା ଆସିଥିବାରୁ, ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚାଲିଛି ଓଡିଶାର ବିକାଶ କାର୍ଯ୍ୟ ।

ଏହାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ମୋଦିଙ୍କ ବାରମ୍ବାର ଓଡିଶା ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ । ଏନେଇ ପ୍ରତାପ କହିଛନ୍ତି, ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଦ୍ଧପରିକର । ସେଥିପାଇଁ  ବାରମ୍ବାର ଓଡିଶା ଆସୁଛନ୍ତି ମୋଦି । ଓଡିଶାର ଐତିହ୍ୟ, ସଂସ୍କୃତି, ପରାଂପରା, କଳା, ଭାଷା, ଖାଦ୍ୟ ଆଦିକୁ ବିଶ୍ୱସ୍ତରରେ ପହଂଚାଇବାର ପାଇଁ ସବୁବେଳେ ପ୍ରୟାସ ଜାରି ରହିଛି ।  ପୋଲିସ ଡିଜି ସମ୍ମିଳନୀ, ଭାରତୀୟ ନୈାସେନା ଦିବସ ପାଳନ, ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଜରିଆରେ ଓଡିଶାର ମାନ ଓ ସମ୍ମାନ ବିଶ୍ୱସ୍ତରରେ ପହଂଚି ପାରିଛି । ଏଥିପାଇଁ ଶପଥ ଗ୍ରହଣ, ସୁଭଦ୍ରା ଯୋଜନାର ଶୁଭାରମ୍ଭ, ପୋଲିସ ଡିଜି ସମ୍ମିଳନୀ, ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପରେ, ପୁଣି ଆସନ୍ତା ୨୮ ତାରିଖ ଦିନ ୫ମ ଥର ପାଇଁ ଓଡିଶା ଆସୁଛନ୍ତି ମୋଦି ।

ତେବେ ଆଗକୁ ଓଡିଶାର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ‘ଉତ୍କର୍ଷ ଓଡିଶା’ କାର୍ଯ୍ୟକ୍ରମରେ ଆୟୋଜିତ ହେଉଥିବା ବେଳେ ଏଥିରେ ଯୋଗ ଦେବା ପାଇଁ ଦିନିକିଆ ଗସ୍ତରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୮ରେ ଭୁବନେଶ୍ବରରେ ପହଞ୍ଚିବା ପରେ ଜନତା ମଇଦାନଠାରେ ଅନୁଷ୍ଠିତ ଉତ୍କର୍ଷ ଓଡିଶା ସମ୍ମିଳନୀରେ ଯୋଗ ଦେବେ ମୋଦି । ଏଥିସହିତ ଏଥିରେ ଦେଶ ତଥା ବିଦେଶରୁ ପ୍ରାୟ ୫ ହଜାର ପୁଞ୍ଜି ନିବେଶକାରୀ ପ୍ରତିନିଧି ମଧ୍ୟ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି ପ୍ରତାପ ଷଢଙ୍ଗୀ ।

 

Comments are closed.