ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ଚର୍ଚ୍ଚା ପ୍ରାୟ ନିଶ୍ଚିତ ହୋଇଛି । ଏଥିପାଇଁ ସିଟ୍ ବଣ୍ଟା ଫର୍ମୁଲା ମଧ୍ୟ ଚୂଡ଼ାନ୍ତ ହୋଇଛି। ଟିଡିପି ସହ ବିଜେପି ଏକ ବୁଝାମଣା କରିଛି। ତଦନୁଯାୟୀ ରାଜ୍ୟର ୮ ଲୋକସଭା ଏବଂ ୩୦ ବିଧାନସଭା ଆସନରେ ବିଜେପି ଲଢ଼ିବ। ସେହିପରି ବିଜେପି ନେତୃତ୍ୱାଧୀନ ଏନ୍ଡିଏରେ ଥିବା ଜନସେନା ୩ ଲୋକସଭା ଓ ୨୪ ବିଧାନସଭା ଆସନରେ ଲଢ଼ିବାକୁ ଥିବାବେଳେ ଅବଶିଷ୍ଟ ଆସନରେ ଟିଡିପି ପ୍ରାର୍ଥୀ ଦେବ।
ଏଥିପାଇଁ ବିଜେପି ତା’ର ପ୍ରତିନିଧୀଙ୍କୁ ଆନ୍ଧ୍ରପ୍ରଦେଶ ପଠାଉଛି । ସେଠାରେ ଚନ୍ଦ୍ରବାବୁ ନାଇଡୁଙ୍କ ‘ଘର ବାହୁଡା’ ଘୋଷଣା କରିବାକୁ ଯାଇ ଏକ ତ୍ରି-ଦଳୀୟ ସାମ୍ବାଦିକ ସମ୍ମିଳନୀ ଆୟୋଜୀତ କରାଯିବ । ବାସ୍ତବରେ ଚନ୍ଦ୍ରବାବୁ ନାଇଡୁ ଗତ ତିନି ଦିନ ଧରି ଦିଲ୍ଲୀରେ ରହିଥିଲେ। ଆଲୋଚନା ଶେଷ ହେବା ପରେ ସେ ବିଜେପି ସଭାପତି ଜେପି ନଡାଙ୍କୁ ଭେଟି ହାଇଦ୍ରାବାଦକୁ ଫେରିବେ।
ଏହାପୂର୍ବରୁ ଗୁରୁବାର ଟିଡିପିର ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନାର ପୱନ କଲ୍ୟାଣ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନଡାଙ୍କ ସହ ଏକ ବୈଠକ କରିଥିଲେ । ଯେଉଁଥିରେ ମେଣ୍ଟ ନେଇ ଆଲୋଚନା କରାଯାଇଥିଲା ଏବଂ ସିଟ୍ ବଣ୍ଟନ ଫର୍ମୁଲା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ବର୍ତ୍ତମାନ କେବଳ ଆସନ ବୁଝାମଣା ଚୂଡାନ୍ତ ହୋଇ ରହିଛି । ଏହାପରେ ମେଣ୍ଟ ନେଇ ଘୋଷଣା କରାଯିବ।
ସୂଚନାଯୋଗ୍ୟ ଯେ, ଲୋକସଭା ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଆସନ ବଣ୍ଟନରେ ବିଳମ୍ବ ହେଉଥିଲା। ଏଥି ସହିତ କିଛି ଆସନ ଏବଂ ପ୍ରାର୍ଥୀଙ୍କୁ ନେଇ ବିଜେପି ଏବଂ ଟିଡିପି ମଧ୍ୟରେ ମତଭେଦ ମଧ୍ୟ ରହିଛି। ଖବର ଅନୁଯାୟୀ, ବିଜେପି ୨୫ଟି ମଧ୍ୟରୁ ୬ ଟି ସିଟ୍ ଦାବି କରୁଥିବାବେଳେ ଟିଡିପି ୪ ଟି ସିଟ୍ ଦେବାକୁ ପ୍ରସ୍ତୁତ ଥିଲା। ଏଭଳି ପରିସ୍ଥିତିରେ ଉଭୟ ବିଜେପି ଏବଂ ଜନସେନା ମିଳିତ ଭାବେ ୮ ଟି ଲୋକସଭା ଆସନ ଏବଂ ୩୦ ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ବୁଝାମଣାରେ ନିଷ୍ପତ୍ତି ନିଆଯାଇଛି।
Comments are closed.