ନୂଆଦିଲ୍ଲୀ/ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ସହ କୋଟି କୋଟି ଓଡ଼ିଆ ଲୋକଙ୍କ ଭାବାବେଗ ଜଡ଼ିତ ରହିଛି । ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଏନଏମଏର ଐତିହ୍ୟ ଉପନିୟମକୁ ଲାଗୁ ନକରିବା ପାଇଁ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ବିଜେପି ସାଂସଦମାନେ ନୂଆଦିଲ୍ଲୀ ଠାରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କ ସହ ଆଲୋଚନା କରିଥିଲେ ।

ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଏନଏମଏର ଐତିହ୍ୟ ଉପନିୟମକୁ ପ୍ରତ୍ୟାହାର କରିଥିବାରୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ ଏବଂ ଓଡ଼ିଶା ବିଜେପିର ଏକ ପ୍ରତିନିଧି ମଣ୍ଡଳ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କ ଭେଟି ଧନ୍ୟବାଦ ଜଣାଇଛନ୍ତି । ପୁରୀ ଶ୍ରୀମନ୍ଦିର ଏବଂ ତା’ର ଚତୁଃପାର୍ଶ୍ୱକୁ ସୌନ୍ଦର୍ଯ୍ୟକରଣ ଏବଂ ସଂରକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଯାହା ବ୍ୟବସ୍ଥା କରାଯିବ ତାହା ସମସ୍ତ ନିଯୋଗ, ସେବାୟତ, ସ୍ଥାନୀୟ ବାସିନ୍ଦା ଓ ଷ୍ଟେକ ହୋଲ୍ଡରଙ୍କ ସହ ଚର୍ଚ୍ଚା ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ କହିବା ସହ ଏଥିପାଇଁ ସେ ବ୍ୟକ୍ତିଗତ ଭାବେ ପୁରୀ ଆସି ସମସ୍ତଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।
ଏହା ପରେ ବିଜେପି ସଦସ୍ୟ ଓ ଶ୍ରୀମନ୍ଦିର ସେବାୟତମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି । ପୁରୀ ଶ୍ରୀମନ୍ଦିର ଏବଂ ତା’ର ନୀତିକାନ୍ତି, ପରମ୍ପରା, ସେବାୟତ ଓ ଭକ୍ତ ସମସ୍ତଙ୍କର ଭାବାବେଗ ଓ ଆବଶ୍ୟକତାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ । ମୋଦି ସରକାର ଥିବା ଯାଏ ଶ୍ରୀଜଗନ୍ନାଥ ମନ୍ଦିର ଉପରେ କୌଣସି ଆଞ୍ଚ ଆସିବ ନାହିଁ ବୋଲି ଗୃହମନ୍ତ୍ରୀ ଶ୍ରୀ ଶାହା ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ପ୍ରତିନିଧି ଦଳ ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ସଂରକ୍ଷଣ ସମ୍ପର୍କରେ ଆଲୋଚନା କରିଥିଲେ । ସେବାୟତମାନେ କେନ୍ଦ୍ର ଗୃହ ମନ୍ତ୍ରୀ ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ପୁରୀ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ।

ଏହି ସାକ୍ଷାତକାଳରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଡ. ବସନ୍ତ ପତି, ଭୀମସେନ ଚନ୍ଦନ ହଜୁରୀ, ମଧୁସୂଦନ ସିଂହାରୀ, ରାମଚନ୍ଦ୍ର ସୁଆଁର, ଭବାନୀ ଶଙ୍କର ଦାସମହାପାତ୍ର ଏବଂ ସୋମନାଥ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.