Latest Odisha News

୧୪ ଓ ୧୫ ତାରିଖରେ ରାଜ୍ୟର ସମସ୍ତ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବିଜୁଳି ବିତରଣ କଂପାନୀ ଟାଟା ପାୱାରର ଅରାଜକତା ସମସ୍ତ ସୀମା ଉଲ୍ଲଂଘନ କରିଛି । ସରକାରଙ୍କ ନିୟନ୍ତ୍ରଣ ବାହାରେ ଟାଟା ପାୱାର ଅଛି ଏବଂ ସାଧାରଣ ଉପଭୋକ୍ତା ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରୀ ରହିଥିବା ବେଳେ ସାମାନ୍ୟ ବର୍ଷା, ପବନ, ଧୂଳିଝଡ଼ରେ ଯେଉଁଭଳି ଭାବରେ ମନଇଚ୍ଛା ବିଦ୍ୟୁତ୍ କାଟ କରାଯାଉଛି, ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ୪୫ ଡିଗ୍ରୀ ଖରାରେ ଲୋକେ ହନ୍ତସନ୍ତ ହେଉଛନ୍ତି ।

ସାଧାରଣ ଉପଭୋକ୍ତା, ବୁଦ୍ଧିଜୀବି, ଗଣମାଧ୍ୟମ, ସ୍ୱେଚ୍ଛାସେବୀ ସଂଗଠନ ଓ ରାଜନୈତିକ ଦଳଗୁଡିକ ବିଜୁଳି କାଟ୍ ପ୍ରତିବାଦରେ ସ୍ୱର ଉତ୍ତୋଳନ କଲେ ସୁଦ୍ଧା ଉଭୟ ଟାଟା ପାୱାର ଏବଂ ରାଜ୍ୟ ସରକାର ଜବାବ୍ ଦେଉନାହାନ୍ତି । ଯେପରି ମନେ ହେଉଛି, ଏ ସମସ୍ତ ବ୍ୟବସ୍ଥାର ମାଲିକ ରାଜ୍ୟ ସରକାର ନୁହଁ ବରଂ ଟାଟା ପାୱାର । କେବଳ ମାତ୍ର ବିଜୁଳି ବିତରଣ ପାଇଁ ଅନୁବନ୍ଧିତ ହୋଇଥିବା ଗୋଟିଏ ଘରୋଇ କଂପାନୀ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ଅହେତୁକ ଅନୁକଂପା ସବୁଠୁ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି ।

ଶକ୍ତି ବିଭାଗର ବିଫଳତା ଏବଂ ରାଜ୍ୟ ସରକାରଙ୍କ ଟାଟା ପାୱାର କଂପାନୀ ପ୍ରୀତି ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ତରଫରୁ ଆସନ୍ତା କାଲି ୧୪ ଓ ୧୫ ତାରିଖରେ ସାରା ରାଜ୍ୟରେ ଥିବା ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁୁଖରେ ବିକ୍ଷୋଭ ଓ ଆନେ୍ଦାଳନ କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୁଚନା ଦେଇଛନ୍ତି ।

ରାଜ୍ୟରେ ଅଘୋଷିତ ବିଜୁଳି କାଟ୍ କଣ ପାଇଁ ? ରାଜ୍ୟବାସୀଙ୍କୁ ନିରବିଚ୍ଛନ ଭାବେ ବିଜୁଳି ସେବା ଯୋଗାଇ ଦେବାର ଦାୟୀତ୍ୱ ନେଇଥିବା ଟାଟା ପାୱାର ସମସ୍ତ ଚୁକ୍ତି ଓ ନିୟମକୁ ଖିଲାପ କରୁଛି ଏବଂ ଗ୍ରାମାଂଚଳରେ ଦିନକୁ ୪-୫ ଘଂଟାରୁ ଉଦ୍ଧ୍ୱର୍ ଏବଂ ସହରାଂଚଳରେ ଦିନକୁ ୨୦-୨୫ ଥର ଅଘୋଷିତ ପାୱାର କଟ୍ କରୁଛି ।

୧୯୯୫ ମସିହାରୁ ରାଜ୍ୟବାସୀଙ୍କ ଟ୍ୟାକ୍ସ ପଇସାରେ ବିଜୁଳି ବିଭାଗର ଭିତିଭୁମିର ଆଧୁନିକୀକରଣ ଆରମ୍ଭ ହୋଇଥିଲା । ରାଜ୍ୟର ସମସ୍ତ ବିଜୁଳି ଭିତ୍ତିଭୂମିକୁ ମାଗଣାରେ ସଂପୂର୍ଣ୍ଣ ବ୍ୟବହାର କରି ମଧ୍ୟ ବିଜୁଳି ସେବା ଯୋଗାଇ ଦେବାରେ ଟାଟା ପାୱାର ଫେଲ୍ ମାରିଛି ଏବଂ ରାଜ୍ୟ ସରକାର ଏଥି ପ୍ରତି କର୍ଣ୍ଣପାତ କରୁନାହାନ୍ତି । ରାଜ୍ୟ ସରକାର ଟାଟା ପାୱାର ଉପରୁ ନିଜ ନିୟନ୍ତ୍ରଣ ହରାଇଛନ୍ତି । ଶକ୍ତି ବିଭାଗ ସ୍ଥାଣୁ ପାଲଟିଛି । ବାସ୍ତବରେ ଏଠି କିଏ ସରକାର ଚଲାଉଛି ଏବଂ ଏହି ସରକାରର ମାଲିକ କିଏ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

ମହାମହିମ୍ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ବିଜୁଳି କାଟ୍ ହେବା ଭଳି ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି । ମାତ୍ର ୧୫-୨୦ ମିନିଟ୍ର କାଳବୈଶାଖୀରେ ରାଜଧାନୀ ଭୁବନଶ୍ୱେର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ୨୪ ଘଂଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ ହେଲା । ପାୱାର କଟ୍କୁ ପାୱାର ଟ୍ରିପ୍ ବୋଲି କହି ବିଭାଗୀୟ ମନ୍ତ୍ରୀ ପ୍ରତାପ ଦେବ ଟାଟା ପାୱାର ସପକ୍ଷରେ ଯୁକ୍ତି ବାଢ଼ିଲେ ଏବଂ ଟାଟା ପାୱାରକୁ ସୁହାଇଲା ଭଳି ମନ୍ତବ୍ୟ ଦେଲେ । ଅଘୋଷିତ ପାୱାର କଟ୍କୁ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସନ୍ତୋଷ ପ୍ରକାଶ କରିବା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଶକ୍ତି ବିଭାଗ ପ୍ରସ୍ତୁତ ନଥିବାକୁ ପରୋକ୍ଷରେ ସ୍ୱୀକାର ମଧ୍ୟ କରିଲେ । ବାସ୍ତବରେ ଓଡ଼ିଶା ସରକାର ଟାଟା ପାୱାର ଆଗରେ ବନ୍ଧା ପଡିଛନ୍ତି ।

୧୯୯୫ ମସିହାରୁ ଟାଟା ଟ୍ରାନ୍ସମିସନ୍ ଏବଂ ସଂଯୋଗୀକରଣକୁ ଆଧୁନୀକରଣ ପାଇଁ ସାଧାରଣ ଲୋକଙ୍କର ପଇସାରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିଭଳି ଓଇଆରସିର ନିୟମକୁ ଉଲ୍ଲଂଘନ କରି ବିଜୁଳି ଉପଭୋକ୍ତାଙ୍କଠାରୁ ବେଆଇନ ଭାବେ ୨୭୨୭ କୋଟି ଟଙ୍କା ଆଦାୟ କରାଯାଇଥିଲା ଏବଂ ଏହି ଟଙ୍କା ଫେରାଇ ଦେବାକୁ ନିଦେ୍ର୍ଦଶ ଦିଆଯାଇଥିବା ସତ୍ୱେ ତାହା ଫେରସ୍ତ କରିଲେ ନାହିଁ । ବିଜୁଳି ବଳକା ରାଜ୍ୟ ଭାବେ ପରିଗଣିତ ଓଡ଼ଶାବାସିଙ୍କ ଉପରେ ବିଜେଡି ସରକାରର ଏଭଳି ଜୁଲମ୍ କାହିଁକି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

ରାଜ୍ୟବାସୀ କେତେ ଘଂଟା ବିଜୁଳି କାଟ୍ କଷ୍ଟ ସହିବେ, ତାହା ଶ୍ୱେତପତ୍ର ଜରିଆର ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ରାଜ୍ୟ ସରକାର ଶକ୍ତି ବିଭାଗ ମନ୍ତ୍ରୀଙ୍କ ଅବହେଳା ଓ ଟାଟା ପାୱାର କଂପାନୀ ପ୍ରୀତି ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଗଣମାଧ୍ୟମ ପ୍ରମୁଖ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.