Latest Odisha News

BREAKING NEWS

ବିଜେପି ବନାମ ଆଞ୍ଚଳିକ ଦଳ ଲଢ଼େଇ: ଆଜି ଆସିବ ଫଳାଫଳ

ନୂଆଦିଲ୍ଲୀ: ଦେଶର ରାଜନୀତିରେ ଏବେ ବିଜେପି ବନାମ ଆଞ୍ଚଳିକ ଦଳରେ ରାଜନୈତିକ ଲଢ଼େଇ ଚାଲିଛି । ନିର୍ବାଚନକୁ ନେଇ ସବୁଦଳ ଏବେ ବେଶ ସତର୍କ ହୋଇଯାଇଛନ୍ତି । ଜିତିବା ପାଇଁ ରାତି ଦିନ କରି ଲଢ଼େଇ କରୁଛନ୍ତି । ଏଭଳି ସ୍ଥିତିରେ ଆସନ୍ତା ଗୁଜରାଟ , ହିମାଚଳ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନ ନେତାଙ୍କ ଭବିଷ୍ୟତ ପାଇଁ  ଅନେକ ଗୁରୁତ୍ବ ରଖିଛି ।

 ଓଡ଼ିଶାର ଧାମନଗର ଉପନିର୍ବାଚନ ସହିତ ୬ ରାଜ୍ୟର ୭ ବିଧାନସଭା ନିର୍ବାଚନମଣ୍ଡଳୀରେ ଗତ ୩ ତାରିଖରେ ଉପନିର୍ବାଚନ ହୋଇଥିଲା। ଆଜି ଏହି ୭ ବିଧାନସଭା ଆସନରେ ଭୋଟ୍‌ ଗଣତି ହେବ। ତେବେ କେଉଁ ଦଳ ଏହି ସବୁ ଆସନରେ ବାଜି ମାରିବେ ତାକୁ ନେଇ ଦିଲ୍ଲୀରୁ ପଲ୍ଲୀ ଏବେ ଆରମ୍ଭ ହୋଇଛି ଆଲୋଚନା ।

ଓଡ଼ିଶାର ଧାମନଗରରେ ଭୋଟ୍‌ ଫଳାଫଳକୁ ନେଇ ଓଡ଼ିଶାରେ ଯେପରି ଉତ୍ସାହ ରହିଛି । ବିହାରର ମୋକମା ଏବଂ ଗୋପାଳଗଂଜ, ମହାରାଷ୍ଟ୍ରର ଅନ୍ଧେରି (ପୂର୍ବ), ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡ଼, ଉତ୍ତରପ୍ରଦେଶର ଗୋଲା ଗୋକର୍ଣ୍ଣନାଥ ଆସନକୁ ନେଇ ସେଭଳି ସବୁ ରାଜ୍ୟରେ ଉତ୍ସାହ ରହିଛି । ଏହି ସବୁ ଆସନରେ ମୁଖ୍ୟତ ବିଜେପି ବନାମ ଆଞ୍ଚଳିକ ଦଳ ମଧ୍ୟରେ ତୀବ୍ର ଲଢ଼େଇ ହୋଇଛି । ଫଳାଫଳ କଣ ହେବ ତାହା ଆଉ କିଛି ଘଣ୍ଟା ମଧ୍ୟରେ ସ୍ପଷ୍ଟ ହେବ । ଯାହା କି ଆଗାମୀ ନିର୍ବାଚନ ପାଇଁ ଏକ ମେସେଜ ହୋଇପାରେ ।

 ବିହାରରେ ବିଜେପି ହାତରୁ କ୍ଷମତା ଯାଇଛି । ଏବେ ବିଜେପି ସେଠାରେ ବିରୋଧୀ ଆସନରେ ଏଭଳି ସ୍ଥିତିରେ ବିଜେପି ବନାମ ଆରଜେଡି ଲଢ଼େଇ ସେଠି ଦେଖିବାକୁ ମିଳିଥିଲା ।  ବିହାରରେ ୨ଟି ଆସନରେ ବିଜେପି ଏବଂ ଆର୍‌ଜେଡି ମଧ୍ୟରେ କଡ଼ା ଟକ୍କର ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଚଳିତ ନିର୍ବାଚନରେ ଆର୍‌ଜେଡିକୁ ସହଯୋଗ କରିବାରେ ପଛଘୁଞ୍ଚା ଦେଇଥିଲେ। ଯାହାକୁ ନେଇ ମଧ୍ୟ ଜାତୀୟ ସ୍ତରରେ ଆଲୋଚନା ହୋଇଥିଲା ।

ଭୋଟ ଗଣତିର ଫଳାଫଳ ଗୁଜରାଟ ନିର୍ବାଚନ ଏବଂ ହିମାଚଳ ନିର୍ବାଚନ ଉପରେ ପଡିବାର ସଂଭାବନା ଥିବାରୁ ରାଜନୀତି ସମୀକ୍ଷକମାନେ ଏହାକୁ ମିନି ନିର୍ବାଚନ ପରୀକ୍ଷା କହୁଛନ୍ତି । ଗୁଜୁରାଟ ନିର୍ବାଚନ ଆସନ୍ତା ମାସରେ ହେବାକୁ ଥିବାବେଳ ଚଳିତ ମାସରେ  ହିମାଚଳ ପ୍ରଦେଶ ନିର୍ବାଚନ ହେବାକୁ ଯାଉଛି ।

ଧାମନଗର ବିଧାନସଭା ଆସନ ଓଡ଼ିଶାର ରାଜନୀତି ପାଇଁ ଏସିଡ ଟେଷ୍ଟ କୁହାଯାଉଛି ।  ସେପ୍ଟେମ୍ବର 9 ରେ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ମୃତ୍ୟୁ ପରେ ଏହି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭଦ୍ରକର ଏହି ଚର୍ଚିତ ଆସନରେ ବିଜେପି  ପୁଣି ବିଜୟ ହାସଲ କରିବା ପାଇଁ ଆଶା ରଖିଛି ।  ଦଳ ସହାନୁଭୂତି ଭୋଟ ଆଶାରେ ଦିବଙ୍ଗତ ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ଲଢ଼େଇରେ ସେନାପତି କରିଛି । ସେ ମଧ୍ୟ ଭଲ ଲଢ଼େଇ କରିଥିବା ତାଙ୍କ ପ୍ରଚାର ସମୟରେ ଦେଖିବାକୁ ମିଳିଥିଲା । ତିନି କେନ୍ଦ୍ରମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତାମାନେ ସମସ୍ତେ ତାଙ୍କୁ ପ୍ରଚାରବେଳେ ସହଯୋଗ କରିଛନ୍ତି ।  ତାଙ୍କ ସାମ୍ନାରେ ବିଜୁ ଜନତା ଦଳ (ବିଜେଡି) ର ଅବନ୍ତୀ ଦାସ ଟକ୍କର ଦେଉଥିବା ବେଳେ ଏହି ଆସନର ପୂର୍ବତନ ବିଧାୟକ ରାଜୁ ଦାସ ମଧ୍ୟ କେଁ ପୁରାଇ ସମ୍ମୁଖ  ଲଢ଼େଇ କରୁଛନ୍ତି ।  କଂଗ୍ରେସର ବାବା ହରେକୃଷ୍ଣ ସେଠୀ କେବଳ କଂଗ୍ରେସ ଚିହ୍ନକୁ ବଂଚାୟ ରଖିବା ପାଇଁ ପରୋକ୍ଷରେ ମଇଦାନରେ ଥିବା ଦେଖିବାକୁ ମିଳିଛି । ଗତ ଥର ଅପେକ୍ଷା ଏଥର ଆହୁରି କମ ଭୋଟ କଂଗ୍ରେସକୁ ମିଳିବ ବୋଲି ସମୀକ୍ଷକମାନେ ଆଲୋଚନା କରୁଛନ୍ତି ।  ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଜଣେ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବାରୁ ସେ କିଛି ବିଜେଡି ଭୋଟ କାଟି ପାରନ୍ତି ବୋଲି ଚର୍ଚା ହେଉଛି ।

ବିହାର ମୋକାମା ବିଧାନସଭା ଆସନ ପାଇଁ ବିଜେପି ଏବଂ ଆରଜେଡି ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଛି । ବାହୁବଲୀ ବିଧାୟକ ଅନନ୍ତ ସିଂ ଏହି ଆସନରୁ ଚାରିଥର ନିର୍ବାଚନରେ ​​ବିଜୟୀ ହୋଇଛନ୍ତି। ତାଙ୍କୁ ଜେଲ ଦଣ୍ଡ ଯୋଗୁଁ  ସେ ଜେଲରେ ଅଛନ୍ତି। ଏହି କାରଣରୁ ମୋକାମା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି।  ପାଟନା ଜିଲ୍ଲାରେ ମୋକାମା ଆସନରେ  ଏଥର ଅନନ୍ତ ସିଂଙ୍କ ପତ୍ନୀ ନୀଲମ ଦେବୀ ନିର୍ବାଚନ ଲଢ଼ୁଛନ୍ତି। ତାଙ୍କୁ ମୁକାବିଲା କରିବା ପାଇଁ  ବିଜେପି ସୋନମ ଦେବୀ ଙ୍କୁ ଟିକେଟ ଦେଇଥିଲା । ଏହାର ଫଳାଫଳ ବିହାର ରାଜନୀତି ପାଇଁ ରୋଚକ ହେବା ନିଶ୍ଚିତ ।

ବିଜେପି ବିଧାୟକ ସୁଭାଷ ସିଂଙ୍କ ମୃତ୍ୟୁ ପରେ ଏହି ଆସନରେ ନିର୍ବାଚନ ହୋଇଛି  ।  ଉପ-ନିର୍ବାଚନରେ ​​ସୁଭାଷ ସିଂଙ୍କ ପତ୍ନୀ କୁସୁମ ଦେବୀଙ୍କୁ ବିଜେପି ଟିକେଟ ଦେଇଛି ।  ଅନୁକମ୍ପାମୂଳକ ଭୋଟରେ ବିଜେପି ଏହି ଆସନରେ ବିଜୟୀ ହେବାକୁ ଆଶା ରଖିଛି । ତେବେ ବିଜେପି ହାତରୁ ଏହି ଆସନକୁ ଛଢ଼ାଇ ନେବାକୁ  ଆରଜେଡିର ମୋହନ ଗୁପ୍ତା, ବହୁଜନ ସମାଜ ପାର୍ଟିର ଇନ୍ଦିରା ଯାଦବ  ଏବଂ ଏଆଇଏମଆଇଏମର ଅସଲମ ମୁଖିଆ ଚ୍ୟାଲେଞ୍ଜ ଦେଇଛନ୍ତି ।  ଗୋପାଳଗଞ୍ଜ ହେଉଛି ଲାଲୁଙ୍କ ଘର ଜିଲ୍ଲା  ।  ତେଣୁ ଏହି ଆସନରେ କିଏ ବିଜୟ ହେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ୟୁପିର ଗୋକର୍ଣ୍ଣନାଥ ବିଧାନସଭା ଆସନ ମଧ୍ୟ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ରହିଛି ।  ବିଜେପି ବିଧାୟକ ଅରବିନ୍ଦ ଗିରିଙ୍କ ସେପ୍ଟେମ୍ବରରେ ହୃଦଘାତରେ ମୃତ୍ୟୁ ଘଟିବା ପରେ ଏଠାରେ ଉପ ନିର୍ବାଚନ ହୋଇଛି ।  ଗିରି ଲକ୍ଷ୍ମୀପୁର ଖେରୀ ଜିଲ୍ଲାର ଗୋଲା ଆସନରୁ ପାଞ୍ଚ ଥର ବିଧାୟକ ଥିଲେ। ଏଥର ନିର୍ବାଚନରେ ​​ବିଜେପି ତାଙ୍କ ପୁଅ ଅମାନ ଗିରିଙ୍କୁ ଟିକେଟ ଦେଇଛି । ତାଙ୍କୁ ଏସପି ପ୍ରାର୍ଥୀ ବିନୟ ତିୱାରୀ ଟକ୍କର ଦେଉଛନ୍ତି । ଏଥିରେ ସମାଜବାଦୀ ପାର୍ଟି ଜିତୁଛି କି ବିଜେପି ଜିତୁଛି ତାକୁ ଅପେକ୍ଷା କରିଛନ୍ତି ୟୁପି ବାସୀ  । ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଏହା ବଡ଼ ସମ୍ମାନର ଆସନ ବୋଲି କୁହାଯାଉଛି

ତେଲେଙ୍ଗାନାର ମୁନୁଗୋଡ ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନରେ ​​ଟିଆରଏସ ଏବଂ ବିଜେପି ମଧ୍ୟରେ ମୁଖ୍ୟ ପ୍ରତିଯୋଗିତା ହେଉଛି। କଂଗ୍ରେସ ମଧ୍ୟ ଲଢ଼େଇରେ ରହିଛି । କଂଗ୍ରେସ ବିଧାୟକ କୋମାଟେରେଡି ରାଜାଗୋପାଲ ରେଡ୍ଡୀଙ୍କ ଇସ୍ତଫା କାରଣରୁ ଏହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି ।  ରେଡ୍ଡୀ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଛନ୍ତି। ସେ ମଧ୍ୟ ବିଜେପି ଟିକେଟ୍ ନେଇ ନିର୍ବାଚନ ଲଢ଼ୁଛନ୍ତି ।  କଂଗ୍ରେସ ପାଲଭାଇ ଶ୍ରାବନ୍ତୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି। କେ ପ୍ରଭାକର ରେଡ୍ଡୀ ଟିଆରଏସ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ୁଛନ୍ତି । ଟିଆରଏସ ଏହି ଆସନର ଫଳାଫଳ ସମ୍ମାନର ପ୍ରଶ୍ନ ହୋଇଛି ।

ଆନ୍ଧେରି (ପୂର୍ବ) ଆସନରେ ଶିବସେନା ବିଧାୟକ ବିଳମ୍ବ ରମେଶ ଲାଟେ ଙ୍କ ଅକାଳ ମୃତ୍ୟୁ ପରେ ଏହି ସିଟ୍ ଖାଲି ପଡିଥିଲା  ।  ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ସ୍ୱର୍ଗତ ରମେଶଙ୍କ ପତ୍ନୀ ରୁଟୁଜା ଲାଟେଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛନ୍ତି। ତାଙ୍କ ସାମ୍ନାରେ ଚାରିଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ବିଜେପି ଓ ଏକନାଥ ସିନ୍ଦେଙ୍କ ପାର୍ଟି ରମେଶଙ୍କ ସମ୍ମାନ ପାଇଁ ଏହି ଆସନରେ ପ୍ରାର୍ଥୀ ଦେଇନାହାଁନ୍ତି ।

କଂଗ୍ରେସ ଏବଂ ବିଜେପି ମଧ୍ୟରେ ଏହି ଆସନ ପାଇଁ  ମୁଖ୍ୟ ପ୍ରତିଯୋଗିତା ହେଉଛି । କଂଗ୍ରେସ ନେତା କୁଲଦୀପ ବିଷ୍ଣୋଇ ବିଜେପିରେ ମିଶିବା ପରେ କଂଗ୍ରେସ ପ୍ରତିଶୋଧ ନେବାପାଇଁ ଚାହୁଁଛି  । କୁଲଦୀପ ବିଷ୍ଣୋଇଙ୍କ ପୁଅ ଭବ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କଂଗ୍ରେସର ଜୟ ପ୍ରକାଶ ତାଙ୍କୁ ଟକ୍କର ଦେଇଛନ୍ତି ।  ଆମ୍ ଆଦମୀ ପାର୍ଟି ମଧ୍ୟ ଏଠାରେ ପ୍ରାର୍ଥୀ ଦେଇଛି । ଏହି ଆସନର  ଫଳାଫଳ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ।

ତେଣୁ ଦେଖିବାକୁ ଗଲେ ମହାରାଷ୍ଟ୍ରକୁ ଛାଡିଦେଲେ ଅନ୍ୟ ସମସ୍ତ ଆସନରେ ବିଜେପି ସହ ଆଞ୍ଚଳିକ ଦଳର ତୀବ୍ର ଲଢ଼େଇ ହୋଇଛି । ଆଉ କିଛି ଘଂଟା ପରେ ଜଣା ପଡିବ କିଏ କାହା ଉପରେ ଭାରି ରହିଛି ।

Leave A Reply

Your email address will not be published.