Latest Odisha News

BREAKING NEWS

ଯେଉଁ ସ୍ଥାନର ଘଟଣା ପାଇଁ ମେଣ୍ଟ ଭାଙ୍ଗିଥିଲା, ସେହି ସ୍ଥାନରୁ ୨୦୨୪ ପାଇଁ ବିଗୁଲ ଫୁଙ୍କିବ ବିଜେପି!

ଭୁବନେଶ୍ୱର:  ୨୮ରେ ଓଡ଼ିଶା ଗସ୍ତରେ ଆସିବେ ବିଜେପିର ରାଷ୍ଚ୍ରୀୟ ସଭାପତି ଜେ.ପି ନଡ୍ଡା। ଏହି ସମୟରେ ପୁରୀ ଏବଂ କନ୍ଧମାଳ ଲୋକସଭା ଆସନରେ ଦଳୀୟ କାର୍ଯ୍ୟକ୍ରମ ରହିଛି। କନ୍ଧମାଳ ଜିଲ୍ଲାରେ ଜଲେଶପେଟା ସ୍ଥିତ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବେ। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। କାରଣ ୨୦୦୮ରେ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପରେ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଥିଲା।

ଦେଶର ସେହି ୧୪୪ ଲୋକସଭା ଆସନ ପାଇଁ ବିଜେପି ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଯେଉଁଠାରେ ମୋଦୀ ଲହର ସତ୍ବେ ୨୦୧୪ଏବଂ ୨୦୧୯ ନିର୍ବାଚନରେ ​​ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏବଂ ଦଳ ଦ୍ବିତୀୟ ସ୍ଥାନରେ ରହିଥିଲା। ଏହି ଆସନ ଜିତିବା ପାଇଁ ଦଳ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଦାୟିତ୍ବ ଦେଇଛି। ଏହି ୧୪୪ ଆସନ ମଧ୍ୟରୁ ଓଡ଼ିଶା ବିଜେପିର ୧୮ ଆସନ ( ୮ ଆସନରେ ୨୦୧୯ରେ ଜିତିଥିଲା+ ୧୦ ଲୋକସଭା ଆସନରେ ବିଜେପି ୨୦୧୯ରେ ଦ୍ବିତୀୟ ସ୍ଥାନରେ ରହିଥିଲା) ଉପରେ ନଜର ରଖିଛି ବିଜେପି। ଏବେ ଏହି ଆସନରେ ୨୦୨୪ରେ କିଭଳି ବଜୟୀ ହେବ ସେ ନେଇ ଦଳ ବ୍ଲୁ ପ୍ରିଣ୍ଚ ପ୍ରସ୍ତତ କରିଛି।

ନଡ୍ଡାଙ୍କ ଗସ୍ତ ସମୟରେ ପୁରୀ ଏବଂ କନ୍ଧମାଳ ଲୋକସଭା ଆସନରେ ଦଳୀୟ କାର୍ଯ୍ୟକ୍ରମ ରହିଛି। ଏହି ଦୁଇଟା ବିଜେପିର ସ୍ୱତନ୍ତ୍ର ଫୋକସ ୧୮ ଆସନ ମଧ୍ୟରେ ରହିଛି। ୨୦୧୯ରେ ଏହି ଦୁଇ ଆସନରେ ବିଜେପି ଦ୍ବିତୀୟ ସ୍ଥାନରେ ଥିଲା। ତେଣୁ ନଡ୍ଡାଙ୍କ ଗସ୍ତ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦୁର୍ବଳ ସ୍ଥାନରେ ଦଳ କିଭଳି ମଜବୁତ ହେବ ସେ ଦିଗରେ ଦେଖାଯାଉଛି।

ଆସନ୍ତା ୨୮ ତାରିଖରେ ନଡ୍ଡାଙ୍କ ଗସ୍ତ ପୂର୍ବରୁ କନ୍ଧମାଳରେ ଜୋରଦାର ପ୍ରସ୍ତୁତି ଚାଲିଛି। ତୁମୁଡ଼ିବନ୍ଧସ୍ଥିତ ପିଡବ୍ଲ୍ୟୁଡି ବଙ୍ଗଳାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମର ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ନଡ୍ଡା ତୁମୁଡ଼ିବନ୍ଧରେ ପହଞ୍ଚିବା ପରେ ପ୍ରଥମେ ଜଲେଶପେଟା ସ୍ଥିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ‘କନ୍ୟାଶ୍ରମ’ ଯିବେ। ସେଠାରେ ସେ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବେ। ସେଠାରେ ତିଆରି ହୋଇଥିବା ଏକ ନୂତନ କନ୍ୟାଶ୍ରମର ଉଦଘାଟନ କରିବେ। ପରେ ତୁମୁଡିବନ୍ଧସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ସାଧାରଣ ସଭାରେ ଯୋଗଦେବେ।

ଉଲ୍ଲେଖଯୋଗ୍ୟ, ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଓ ତାଙ୍କୁ ନେଇ ସାମ୍ପ୍ରଦିକ ଦଙ୍ଗା ପରେ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଯାଇଥିଲା। ଏବେ ଯେତେବେଳେ ରାଜ୍ୟ ବିଜେପି ୨୦୨୪ ପାଇଁ ବିଜେଡି ବିରୋଧରେ ବଡ଼ ପ୍ରସ୍ତୁତି କରୁଛି ସେହି ସମୟରେ ସାଧାରଣ ନିର୍ବାଚନ ପାଇଁ ବିଜେପିର ରାଷ୍ଚ୍ରୀୟ ସଭାପତି ଜଲେଶପେଟା ସ୍ଥିତ ସେହି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପକାଇ ବିଗୁଲ ଫୁଙ୍କିବାକୁ ଯାଉଥିବା କୁହାଯାଉଛି। ଆଉ କନ୍ଧମାଳରେ ଗେରୁଆ ପାର୍ଟି ହିନ୍ଦୁତ୍ୱ କାର୍ଡ ଖେଳି ୨୦୨୪ ପାଇଁ ଭୋଟ୍ ସାଉଁଟିବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି।

 

 

Leave A Reply

Your email address will not be published.