ଭୁବନେଶ୍ୱର: ‘ପିଏମ୍ ଇ-ବସ୍ ସେବା’ ଯୋଜନା ଅଧୀନରେ ଓଡ଼ିଶାକୁ ଆଉ ୪୦୦ଟି ଇଲେକ୍ଟ୍ରିକ୍ ବସ୍ ମିଳିବାକୁ ଯାଉଛି। ଏନେଇ ଗୁରୁବାର ରାଜ୍ୟ ବିଧାନସଭାରେ ସୂଚନା ଦିଆଯାଇଛି। ‘ପିଏମ୍ ଇ-ବସ୍ ସେବା’ (PM e-Bus Sewa) ଯୋଜନା ଅଧୀନରେ ଓଡ଼ିଶାର ୫ଟି ପ୍ରମୁଖ ସହରରେ ଚଳାଚଳ କରିବା ପାଇଁ ଆଉ ୪୦୦ଟି ନୂଆ ଇଲେକ୍ଟ୍ରିକ୍ ବସ୍ ମିଳିବ। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧାନସଭାରେ ଏହି ସୂଚନା ଦେଇଛନ୍ତି।
ଏହି ୪୦୦ଟି ନୂଆ ଇ-ବସ୍ ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଏବଂ ବ୍ରହ୍ମପୁର ସହରରେ ଚଳାଚଳ କରିବ। ପ୍ରସ୍ତାବିତ ଯୋଜନା ଅନୁଯାୟୀ, ସମ୍ବଲପୁର ଏବଂ ରାଉରକେଲାରେ ୨୦୨୭ ମସିହାରେ ଇ-ବସ୍ ସେବା ଆରମ୍ଭ ହେବାର ଲକ୍ଷ୍ୟ ରହିଥିବା ବେଳେ ବ୍ରହ୍ମପୁରରେ ନଭେମ୍ବର ୨୦୨୭ ସୁଦ୍ଧା ଏହି ସେବା ଆରମ୍ଭ ହେବ। ସ୍ୱଚ୍ଛ ଯାତାୟାତରୁ ଆଧୁନିକ ସହର, ଆଉ ଆଧୁନିକ ସହରରୁ ବିକଶିତ ଓଡ଼ିଶା-ଏହି ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛି ରାଜ୍ୟର ସାର୍ବଜନୀନ ପରିବହନ ବ୍ୟବସ୍ଥା।
ଏହା ବ୍ୟତୀତ ବାଲେଶ୍ୱର ସହରରେ ଗୋଟିଏ ଡିପୋରୁ ୬ଟି ନିର୍ଦ୍ଧାରିତ ରୁଟ୍ରେ ୩୫ଟି ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରିବ। କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ମାଧ୍ୟମରେ ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପରିବେଶ ଅନୁକୂଳ ଯାତାୟାତକୁ ପ୍ରୋତ୍ସାହନ ଦେବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ।
